ରାଜ୍ୟ

Vegetable Price Hike ; ଖସୁନି ପରିବା ଦର, ବଢୁଛି ଚିନ୍ତା: ୨ ମାସ ହେଲା ୬୦ ଉପରେ ଦର, ବନ୍ୟାରେ କମିଛି ସ୍ଥାନୀୟ ଉତ୍ପାଦନ

ବାଲିଅନ୍ତା ୩୧/୦୮: ଖସୁନି ପରିବା ଦର । ଦୀର୍ଘ ୨ମାସ ହେବ ଦର ଉଚ୍ଚ ରହିଛି । ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି । ତଥାପି ଏବେବି ଦର ୬୦ ଉପରେ ରହିଛି । ଖାଲି ଭୁବନେଶ୍ୱର ସହର ନୁହେଁ, ଉପକଣ୍ଠ ଗାଁରେ ମଧ୍ୟ ପରିବାକୁ ନେଇ ସଭିଙ୍କ ଟେନସନ ବଢ଼ିଚାଲିଛି । ଏକରେ ପରିବା ଦର କମୁନି । ଦୁଇରେ ଦୀର୍ଘଦିନ ଧରି ଦର ସେମିତି ରହୁଛି । ଆଜି ଭୁବନେଶ୍ୱରର ୟୁନିଟ-୧ ପରିବା ହାଟରେ ବାଇଗଣ ୬୦ରୁ ୮୦, କାଙ୍କଡ଼ ୧୦୦, ବିନ୍ସ ୧୪୦, ପିଆଜ ୫୦, ଭେଣ୍ଡି ୬୦, ପୋଟଳ ୮୦, ଜହ୍ନି ୪୦, କାକୁଡ଼ି ୪୦ ଟଙ୍କାରେ ବିକ୍ରି ହେଉଥିଲା । ବନ୍ୟା ଯୋଗୁ ସ୍ଥାନୀୟ ପରିବା ଉତ୍ପାଦନ ହ୍ରାସ ପାଇଛି । ରାଜ୍ୟ ବାହାରୁ ପରିବା ଆସୁଥିବାରୁ ଦର ଉଚ୍ଚ ରହିଛି ବୋଲି ବ୍ୟବସାୟୀନମାନେ କହିଛନ୍ତି ।

ସେପଟେ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ପନିପରିବା ମୂଲ୍ୟ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବା ଫଳରେ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି । ବାଲିଅନ୍ତା ଥାନା ଅଧୀନରେ ଥିବା ବାଲିଅନ୍ତା (ବୁଧ, ରବି), ବଇଁଚୁଆ (ସୋମ, ଗୁରୁ), ବେଣୁପୁର (ମଙ୍ଗଳ, ଶନି), ସରକଣା (ସୋମ, ଶୁକ୍ର), ବାଳକାଟି (ମଙ୍ଗଳ, ଶନି) ପରି ୫ଟି ସାପ୍ତାହିକ ହାଟ ଏବଂ ଭିଙ୍ଗାରପୁର ଦୈନିକ ହାଟରେ ପରିବା ଦର ଆକାଶଛୁଆଁ ହୋଇଛି । ଏହି ଅଞ୍ଚଳ ନିଜେ ପନିପରିବା ଚାଷର ପେଣ୍ଠସ୍ଥଳୀ ହୋଇଥିଲେ ବି ବାରମ୍ବାର ଲଘୁଚାପ, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କ୍ଷେତରେ ମାଟି ଓଦା ରହି ଗଛ ଝାଉଁଳି ଯାଇଛି । ଫଳରେ ବେପାରୀମାନେ ବାହାର ରାଜ୍ୟରୁ ଆମଦାନୀ ପରିବା ଉପରେ ନିର୍ଭର କରୁଛନ୍ତି ।

ସ୍ଥାନୀୟ ଗାଁମାନଙ୍କରେ ଏବେ ପିଆଜ ୬୦ ଟଙ୍କା, ରସୁଣ ୩୦୦ ଟଙ୍କା ଟପିଛି, ଅଦା ୨୫୦ ଟଙ୍କା ସେହିପରି ସବୁଜ ପନିପରିବା ଯଥା ବିନ୍ସ ୨୫୦ ଟଙ୍କା, କାଙ୍କଣ ଓ କଞ୍ଚାଲଙ୍କା ୨୦୦ ଟଙ୍କା, ପୋଟଳ ୧୦୦ ଟଙ୍କା, ଜହ୍ନି ୮୦ ଟଙ୍କା, ଶାଗ ବିଡ଼ା ୧୦ ଟଙ୍କା । ସେହିପରି ବୋଇତିକାକୁଡ଼ି, ବାଇଗଣ, ଭେଣ୍ଡି, କଲରା, ଝୁଡ଼ଙ୍ଗ କେଜି ପ୍ରତି ୬୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି ।“ ବାଲିଅନ୍ତା ହାଟକୁ ଆସିଥିବା ଖବରକାଗଜ ବିତରକ ଜୟଦେବ ବେହେରାଙ୍କ ଧର୍ମପତ୍ନୀ ସୌଦାମିନୀ ବେହେରା କ୍ଷୋଭର ସହ କହିଛନ୍ତି, “ପୂର୍ବରୁ ଯେତିକି ଟଙ୍କାରେ ବ୍ୟାଗ୍ ଭରି ପରିବା ମିଳୁଥିଲା, ଏବେ ସେତିକିରେ ଅଧା ବ୍ୟାଗ୍ ବି ହେଉନାହିଁ । ସ୍ଥାନୀୟ ଚାଷୀ ଅନିଲ୍ କୁମାର ପ୍ରଧାନଙ୍କ କହିବା ଅନୁଯାୟୀ, କ୍ରମାଗତ ବର୍ଷା ଯୋଗୁଁ ଜମିରୁ ଘାସ ସଫା କରିବା ସମ୍ଭବ ହେଉନାହିଁ, ଯାହାଦ୍ୱାରା ଅମଳ ଯଥେଷ୍ଟ କମିଯାଇଛି । ସରକାରୀ ସ୍ତରରେ ବଜାର ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ସ୍ଥିତି ଆହୁରି ଜଟିଳ ହେବା ନିଶ୍ଚିତ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button