BMC promises : ବିଏମସିର କର୍ପୋରେସନ ଅବଧି ପୂରିବାକୁ ଆଉ ମାତ୍ର ୫ ମାସ, କିଛି ପ୍ରତିଶ୍ରୁତି ପୂରା ହେଲା, ଆଉ କିଛି ରହିଗଲା…

ଭୁବନେଶ୍ଵର, ୩୧/୮ : ୨୦୨୨ ଏପ୍ରିଲ ୯ ତାରିଖରେ ବିଏମସିର ପ୍ରଥମ ମହିଳା ମେୟର ଭାବେ ଦାୟିତ୍ୱ ସମ୍ଭାଳିଥିଲେ ସୁଲୋଚନା ଦାସ । ଭୁବନେଶ୍ୱରକୁ ୧ନଂ ସହର କରିବା ତାଙ୍କର ଲକ୍ଷ୍ୟ ବୋଲି ଦାୟିତ୍ୱ ନେବା ପରେ ସେ ପ୍ରଥମେ କହିଥିଲେ । ଭୁବନେଶ୍ୱରବାସୀ ଆଉ ଜଳବନ୍ଦୀ ଯନ୍ତ୍ରଣା ଭୋଗିବେନି । ଲୋକେ ବିଏମ୍ସି ଆସିବେନି, ବିଏମସି ଲୋକଙ୍କ ପାଖକୁ ଯିବେ । ପ୍ରତି ୱାର୍ଡରେ ୱାର୍ଡ ଅଫିସ୍ ହେବ । ସମସ୍ତଙ୍କୁ ସୁବିଧାରେ ନାଗରିକ ସୁବିଧା ମିଳିବ ବୋଲି ବିଏମ୍ସି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା । ସହରକୁ ଆହୁରି ସ୍ୱଚ୍ଛ, ସୁନ୍ଦର ଓ ଯୋଜନାବଦ୍ଧ ଭାବେ ଗଢ଼ାଯିବ । ହାଟ, ବଜାରର ରୂପାନ୍ତରୀକରଣ କରିବୁ । ରାସ୍ତାକଡ଼ରେ ଆଉ ମାଂସ କଟାଯିବନି, ଶୀତତାପ ନିୟନ୍ତ୍ରିତ ଓ ସ୍ୱଚ୍ଛ ପରିବେଶରେ ମାଂସ ବିକ୍ରି ହେବ । ଆଧୁନିକ ମାଂସ ବଜାର ରହିବ । ପାର୍କିଂର ସୁବନ୍ଦୋବସ୍ତ ହେବ । ଜବରଦଖଲ ହଟାଇବୁ । ସହରର ଶ୍ମଶାନକୁ ମଡେଲ କରାଯିବ । ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ । ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ପ୍ରକ୍ରିୟାକରଣ ହେବ । ବୁଲା କୁକୁର, ବୁଲା ଗାଇଗୋରୁ ଆଉ ରାସ୍ତାରେ ବାଧକ ସାଜିବେନି । ସବୁ କଚ୍ଚା ରାସ୍ତାକୁ ପକ୍କା କରାଯିବ । ଚକାଚକ୍ ପେଭର ବ୍ଲକ୍ ରାସ୍ତାରେ ଯା’ଆସ କରିବେ ଲୋକେ । ସହରର ସୌନ୍ଦର୍ଯ୍ୟକରଣକୁ ସ୍ୱତନ୍ତ୍ର ଯୋଜନା ହେବ । ଏମିତି ପ୍ରତିଶ୍ରୁତିର ଲମ୍ବା ତାଲିକା ଦେଇଥିଲା ବିଏମସି । ବିଏମସିର କର୍ପୋରେସନ ଅବଧି ପୂରିବାକୁ ଆଉ ମାତ୍ର ୫ ମାସ । ୨୦୨୭ ଏପ୍ରିଲ ୯ ତାରିଖରେ ଏହା ଶେଷ ହୋଇଯିବ । ବିଏମସି ଦେଇଥିବା ପ୍ରତିଶ୍ରୁତିରୁ କିଛି ପୂରା ହୋଇଛି, ଆହୁରି ଅନେକ ବାକି ରହିଛି ।
ନିର୍ବାଚନ ଆସୁଛି, ଯାଉଛି । ପ୍ରତିଶ୍ରୁତି ପାଣିରେ ଧୋଇଯାଉଛି । ବର୍ଷ ପରେ ବର୍ଷ ସ୍ୱାୟତ୍ତ ଶାସନ ଦିବସ ଧୁମ୍ଧାମରେ ପାଳୁଛନ୍ତି । କୋଟି କୋଟି ଟଙ୍କାର ଯୋଜନା ହେଉଛି, ନକ୍ସା ଆଙ୍କୁଛନ୍ତି । ହେଲେ ରାଜଧାନୀରୁ ଜଳବନ୍ଦୀ ଯନ୍ତ୍ରଣା ଏଯାଏଁ ଟଳିନି । ଏବେ ବି ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଲହଡ଼ି ମାରୁଛି । ତଳିଆ ଅଞ୍ଚଳ ଜଳବନ୍ଦୀ ହେଉଛି । ୧୦ ବର୍ଷ ତଳେ ଯେଉଁ ଜଳବନ୍ଦୀ ଯନ୍ତ୍ରଣାରେ ରାଜଧାନୀବାସୀ ଯୁଝୁଥିଲେ, ସେ ସମସ୍ୟା ପୁଣି ଆକ୍ତମାକ୍ତ କରୁଛି । ବସ୍ତି କଥା କିଏ ପଚାରେ, ଲୋକସେବା ଭବନ, ଜନପଥରେ ଆଣ୍ଠୁଏ ପାଣି ଲହଡି ଖେଳୁଛି । ହଁ, ଗତ ୪ ବର୍ଷ ଭିତରେ ଅନେକ ଡ୍ରେନ୍ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି । ଇସ୍କନ ଆଗରେ ବକ୍ସ ଡ୍ରେନ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ବିଏମସି ଆଇଆଇଟି ରୁର୍କି ସହ ଚୁକ୍ତି କରିଛି । ଭୁବନେଶ୍ୱରର ହାଇଡ୍ରୋଲୋଜିକାଲ ସର୍ଭେ ହୋଇଛି । ଜଳବନ୍ଦୀର କାରଣ ଖୋଜି ଏହାକୁ ଦୂର କରିବାକୁ ମିଳିତ ମାଷ୍ଟରପ୍ଲାନ ତିଆରି ହୋଇଛି । ଇସ୍କନ ଆଗରେ ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବାଣୀବିହାରରୁ ଇସ୍କନ ଯାଏ ବକ୍ସ ଟାଇପ୍ ଡ୍ରେନ୍ ତିଆରି ପାଇଁ ସାନି ଯୋଜନା ହୋଇଛି । ମୁଖ୍ୟ ଡ୍ରେନ୍ ସମେତ ବମିଖାଲ ଡ୍ରେନ୍ ଓ ସଙ୍କୁଚିତ ହୋଇଥିବା ଅନ୍ୟ ଡ୍ରେନ୍ର ବିକାଶ ପାଇଁ ନକ୍ସା ଅଙ୍କାଯାଇଛି । ୪୩ଟି ୱାର୍ଡରେ ୱାର୍ଡ ଅଫିସ୍ କାମ ଆରମ୍ଭ ହୋଇଛି । ଏଥିରୁ ଅନେକ ଜାଗାରେ କାମ ସରିନି । କିନ୍ତୁ ୨୪ଟି ୱାର୍ଡରେ ଏବେସୁଦ୍ଧା ୱାର୍ଡ ଅଫିସ୍ କାମ ଆରମ୍ଭ ହୋଇପାରିନି । ସ୍ୱଚ୍ଛତା କ୍ଷେତ୍ରରେ ବିଏମସି ପ୍ରଦର୍ଶନ ଆଖିଦୃଶିଆ ରହିଛି । ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଅଳିଆ ବୋହିବା ବନ୍ଦ କରି ସହରର ବିଭିନ୍ନ ସ୍ଥାନରେ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ପ୍ରକ୍ରିୟାକରଣ ଚାଲିଛି । ୱାର୍ଡରେ ଥିବା ଅଧିକାଂଶ କଚ୍ଚା ରାସ୍ତାକୁ ପକ୍କା କରାଯାଇଛି । କିନ୍ତୁ ବୁଲା କୁକୁର ଓ ଗାଇଗୋରୁଙ୍କ ସମସ୍ୟା ଏବେ ବି ଦୂର ହୋଇନି । ଜାମୁକୋଳିରେ ନୂଆ ଗୋଶାଳା ପାଇଁ ସୋମବାର ଶୁଭ ଦିଆଯିବ । ଅନେକ ହାଟର ରୂପାନ୍ତରୀକରଣ କାମ ଅଟକି ରହିଥିଲା । ଡେରିରେ ହେଲେ ବି ଏଥିପାଇଁ ଶିଳାନ୍ୟାସ ହେବ ।
ସୌଜନ୍ୟ ପ୍ରମେୟ




