Medical Negligence : ମୋବାଇଲ୍ ଆଲୁଅରେ ରୋଗୀସେବା ,ପାୱାରକଟ୍ ଯୋଗୁ ରୋଗୀ ହନ୍ତସନ୍ତ

- ଜିଲ୍ଲା ହସ୍ପିଟାଲ୍ ରେ ଅବ୍ୟବସ୍ଥା
- ପାୱାରକଟ୍ ଯୋଗୁ ରୋଗୀ ହନ୍ତସନ୍ତ
- ଲିଫ୍ଟ୍ ଚାଲିଲାନି, ରୋଗୀଙ୍କୁ ଠେଲିଠେଲି ନେଲେ
- ସବଷ୍ଟେସନ୍ ମରାମତି ଆଗୁଆ ସୂଚନା ଦିଆଯାଇଥିଲା : କର୍ତ୍ତୃପକ୍ଷ
ଜୟପୁର, ୩୧ \୮ : ଦୀର୍ଘ ୮ ଘଣ୍ଟିଆ ପାୱାରକଟ୍ ଲାଗି ରୋଗୀ, ସମ୍ପର୍କୀୟ ହନ୍ତସନ୍ତ । ମେଡିକାଲ ପରିସର ଅନ୍ଧାର ହୋଇଗଲା । ଲିଫ୍ଟ୍ ଚାଲିଲାନି । ବିକଳ୍ପ ବିଦ୍ୟୁତ୍ ଯୋଗାଣର ବାରମ୍ବାର ଲୁଚକାଳି ଖେଳ ଅଡ଼ୁଆ ପରିସ୍ଥିତି ସୃଷ୍ଟି କଲା । ଏଥିଯୋଗୁ ମୋବାଇଲ୍ ଆଲୁଅରେ ହେଲା ରୋଗୀ ସେବା । ରବିବାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ହସ୍ପିଟାଲରେ । ଏଭଳି ବିଭ୍ରାଟକୁ ନେଇ ସାଧାରଣରେ ତେଜିଛି ଅସନ୍ତୋଷ । ଏହି ସମୟ ମଧ୍ୟରେ ଡିଏଚ୍ଏଚ୍ ପରିସର ସବଷ୍ଟେସନ୍ ଜୟନଗର ଗ୍ରୀଡ୍ ସହ ପରୀକ୍ଷାମୂଳକ ସଂଯୋଗ କରାଯାଇଛି । ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ଅନ୍ୟ ମରାମତି କାମ ହୋଇଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।
ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି, ସକାଳ ପ୍ରାୟ ୯ଟାରେ ଡିଏଚ୍ଏଚ୍ ରୁ ବିଦ୍ୟୁତ୍ କଟି ଯାଇଥିଲା । ଏହାର କିଛି ମିନିଟ୍ ପରେ ବିଦ୍ୟୁତ୍ ଆସିଥିଲା । କିଛି ସମୟ ପରେ ପୁଣି କଟି ଯାଇଥିଲା । ଏଭଳି ବିଭ୍ରାଟ ବାରମ୍ବାର ହୋଇଥିଲା । ପାଗ ଖରାପ ଯୋଗୁ ଅନ୍ଧାରୁଆ ପରିବେଶ ଥିଲା । ବାଧ୍ୟ ହୋଇ ଡାକ୍ତରମାନେ ଗୁରୁତର ରୋଗୀଙ୍କ ଚିକିତ୍ସା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିଲେ । ସବୁ ଲିଫ୍ଟ୍ ବନ୍ଦ ହୋଇଯିବାରୁ ସମସ୍ତେ ନାହିଁ ନଥିବା ହଇରାଣ ହୋଇଥିଲେ ।
ରୋଗୀ ଓ ସମ୍ପର୍କୀୟ ପ୍ରଥମରୁ ଆରମ୍ଭ କରି ଷଷ୍ଠ ମହଲା ପର୍ଯ୍ୟନ୍ତ ର୍ୟାମ୍ପ୍ ଓ ସିଡି ବ୍ୟବହାର କରିଥିଲେ । ଗୁରୁତର ରୋଗୀଙ୍କୁ ଠେଲିଠେଲି ର୍ୟାମ୍ପ୍ରେ ନେବାଆଣିବାକୁ ପଡ଼ିଥିଲା । ଡାକ୍ତର, ପାରାମେଡ଼ିକାଲ୍ ଷ୍ଟାଫ୍ ବି ସମସ୍ୟା ଭୋଗିଥିଲେ । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଅସୁବିଧା ଲାଗି ରହିଥିଲା । ଏ ସମ୍ପର୍କରେ ଡାକ୍ତରଖାନା ପକ୍ଷରୁ କୁହାଯାଇଛି, ପରିସରକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଲାଗି ପଦକ୍ଷେପ ନିଆଯାଇଛି । ଏଣିକି ଜୟନଗର ଗ୍ରୀଡ୍ ରୁ ଡିଏଚ୍ଏଚ କୁ ସିଧାସଳଖ ବିଦ୍ୟୁତ୍ ଯୋଗାଣ ହେବ । ବୋରିଗୁମ୍ମା ଫିଡର୍ ଉପରେ ସବୁବେଳେ ନିର୍ଭର ହେବାକୁ ପଡ଼ିବନି ।
ସୌଜନ୍ୟ ପ୍ରମେୟ




