ଜାତୀୟ

Nepal Alert: ନେପାଳଠାରୁ ଆହୁରି ଭୟଙ୍କର ବିପର୍ଯ୍ୟୟ ଆଶଙ୍କା, ହିନ୍ଦୁକୁଶରେ ଫାଟିପାରେ ୪୦୭ ହିମହ୍ରଦ, ସତର୍କ କରାଇଲା ଜାତିସଂଘର ରିପୋର୍ଟ

ନୂଆଦିଲ୍ଲୀ, ୩୧/୮: ନେପାଳରେ ଆସିଥିବା ଆକସ୍ମିକ  ବନ୍ୟା ଦେଶର ୪ଟି ଜିଲ୍ଲାକୁ ଛାରଖାର  କରି ଦେଇଥିବା ବେଳେ ଏହାଠାରୁ  ବି ଆହୁରି ଭୟଙ୍କର ବିପର୍ଯ୍ୟୟର  ଆଶଙ୍କା ହିନ୍ଦୁକୁଶ ହିମାଳୟ କ୍ଷେତ୍ରରେ  ରହିଛି ବୋଲି ବିଶେଷଜ୍ଞମାନେ ସତର୍କ  କରାଇ ଦେଇଛନ୍ତି । ଏକ ଅନ୍ତର୍ଜାତୀୟ  ଅଧ୍ୟୟନ ଅନୁସାରେ ହିନ୍ଦୁକୁଶ  ହିମାଳୟ (ଏଚ୍‌କେଏଚ୍‌) କ୍ଷେତ୍ରରେ  ଥିବା ୪୦୭ ହିମବାହ ହ୍ରଦ ଫାଟିବାର  ବିପଦ ରହିଛି । ଏଥିଯୋଗୁ ସମଗ୍ର  ପାର୍ବତ୍ୟାଞ୍ଚଳରେ ହିମହ୍ରଦ ବିସ୍ଫୋରଣ  ଜନିତ ବନ୍ୟା (ଜିଏଲ୍‌ଓଏଫ୍‌) ଆଶଙ୍କା  ଘନେଇଥିବା ଜାତିସଂଘ ୟୁନିଭର୍ସିଟି  ଇନ୍‌ଷ୍ଟିଚ୍ୟୁଟ ଫର୍‌ ଏନ୍‌ଭିରୋନମେଣ୍ଟ  ଆଣ୍ଡ ହ୍ୟୁମାନ୍‌ ସିକ୍ୟୁରିଟି (ୟୁଏନ୍‌ୟୁ ଇଏଚ୍‌ଏସ୍‌)ର ଅଧ୍ୟୟନରୁ ଜଣାପଡ଼ିଛି ।

ରିସର୍ଚ୍ଚରେ ବହୁ ପୁରୁଣା  ରେକର୍ଡଠାରୁ ଆରମ୍ଭ କରି ୨୦୨୪  ପର୍ଯ୍ୟନ୍ତ ଘଟିଥିବା ୪୯୩ଟି ଜିଏଲ୍‌ଓଏଫ୍‌  ଘଟଣାର ସମୀକ୍ଷା କରାଯାଇଥିଲା ।  ହିମବାହ ସମ୍ବନ୍ଧିତ ବୈଜ୍ଞାନିକ  ଦୀପେଶ ଚାପାଗେନ୍‌ଙ୍କ ନେତୃତ୍ୱରେ  ହୋଇଥିବା ଏହି ଗବେଷଣାରେ  ବିଗତ ଦଶନ୍ଧିଗୁଡ଼ିକ ମଧ୍ୟରେ ହିନ୍ଦୁକୁଶ  ହିମାଳୟରେ ବିପଦ କିଭଳି ବୃଦ୍ଧି  ପାଇଛି ତାହା ଅନୁଧ୍ୟାନ କରାଯାଇଥିଲା ।  ରିପୋର୍ଟରୁ ଜଣାପଡ଼ିଛି, ୧୯୫୦ ମସିହା  ପରଠାରୁ ହିମବାହ ହ୍ରଦ ବିସ୍ଫୋରଣ  ଜନିତ ବନ୍ୟା ବା ଜିଏଲ୍‌ଓଏଫ୍‌ ଘଟଣା  ବୃଦ୍ଧି ପାଇଛି । ଏଭଳି ବିପର୍ଯ୍ୟୟର ହାରାହାରି ସଂଖ୍ୟା ପ୍ରତି ଦଶନ୍ଧିରେ ୭ରୁ  ବୃଦ୍ଧି ପାଇ ୩୮ରେ ପହଞ୍ଚିଛି, ଯାହା କି  ପ୍ରାୟ ୫ ଗୁଣା ଅଧିକ । ସେପଟେ ତିବ୍ଦତ-ନେପାଳରେ  ଆସିଥିବା ଭୀଷଣ ବନ୍ୟାରେ ମୃତ୍ୟୁ  ଓ ନିଖୋଜଙ୍କ ସଂଖ୍ୟା କ୍ରମାଗତ ଭାବେ  ବଢ଼ିଚାଲିଛି । ଆଜି ମୃତ୍ୟୁସଂଖ୍ୟା  ୮୦୪କୁ ବୃଦ୍ଧି ପାଇଥିଲା ବେଳେ  ୩ ହଜାରରୁ ଅଧିକ ନିଖୋଜ  ଥିବା ସୂଚନା ମିଳିଛି । ଷଷ୍ଠ ଦିନରେ ମଧ୍ୟ  ଉଦ୍ଧାର କାର୍ଯ୍ୟ ଜାରି  ରହିଛି । ଏଥିରେ ନେପାଳୀ ସେନା  ଓ ଅର୍ଦ୍ଧସାମରିକ ବାହିନୀର ୧୮  ହଜାରରୁ ଅଧିକ ଯବାନ ନିୟୋଜିତ  ଅଛନ୍ତି । ନେପାଳର ୧୧ଟି ଜଳବିଦ୍ୟୁତ  ପ୍ରକଳ୍ପର ଟନେଲ ଭିତରେ ପ୍ରାୟ  ୯୦୦ ଶ୍ରମିକ ଓ କର୍ମଚାରୀ ଫସି  ରହିଥିବା ଆଶଙ୍କା କରାଯାଉଛି । ତେଣୁ  ସେଠାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ  କରାଯାଇଛି । ଭୋଟେକୋଶୀ ଓ  ତ୍ରିଶୁଳୀ ନଦୀର ଜଳସ୍ତର ଆଜି  ବଢ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ  ପ୍ରଭାବିତ ହୋଇଛି । ତେବେ ଉପର  ମୁଣ୍ଡରେ ସୃଷ୍ଟି ହୋଇଥିବା ଅସ୍ଥାୟୀ ହ୍ରଦରୁ  ପାଣି ନିଷ୍କାସିତ ହୋଇଥିବାରୁ ସମ୍ଭାବ୍ୟ  ବନ୍ୟା ଆଶଙ୍କା ଟଳିଯାଇଛି ।

“ଗ୍ଲେସିଆଲ୍‌ ଲେକ୍‌ ଆଉଟବର୍ଷ୍ଟ ଫ୍ଲଡ୍‌ ରିସ୍କ୍‌, ରେସପନ୍ସ ଷ୍ଟ୍ରାଟେଜିଜ୍‌ ଆଣ୍ଡ ଆଡାପ୍ଟେସନ୍‌ ଗ୍ୟାପ୍ସ  ଇନ୍‌ ଦ ହିନ୍ଦୁକୁଶ ହିମାଳୟ ରିଜିଅନ୍‌’ ଶୀର୍ଷକ  ଅଧ୍ୟୟନରେ ହିମବାହ ହ୍ରଦ ବିସ୍ଫୋରଣ ଜନିତ  ବନ୍ୟାକୁ ହିନ୍ଦୁକୁଶ ହିମାଳୟ ଅଞ୍ଚଳ ପାଇଁ ଏକ ପ୍ରମୁଖ ତଥା ବଢ଼ିଚାଲିଥିବା ବିପଦ ବୋଲି  ବର୍ଣ୍ଣନା କରାଯାଇଛି । ବିଶ୍ୱତାପନ ବୃଦ୍ଧି ଯୋଗୁ  ହିନ୍ଦୁକୁଶ ହିମାଳୟର ହିମବାହଗୁଡ଼ିକ ଦ୍ରୁତ  ଗତିରେ ତରଳୁଛି । ଫଳରେ ବରଫ, ପଥର  କିମ୍ୱା ପଟୁମାଟିର ପ୍ରାକୃତିକ ଅବରୋଧ ପଛରେ  ପାଣି ଜମା ହୋଇ ହିମବାହ ହ୍ରଦ ସୃଷ୍ଟି ହେଉଛି । ଆଖପାଖର ହିମବାହରୁ ବରଫ ତରଳିବା କାରଣରୁ  ଏହି ହ୍ରଦଗୁଡ଼ିକ ମଧ୍ୟରୁ କେତେକର ଆକାର ଆଶାତୀତ ଭାବେ ବଢ଼ିଯାଇଥାଏ । ଭୂମିକମ୍ପ,  ଭୂସ୍ଖଳନ କିମ୍ୱା ବାଦଲଫଟା ବର୍ଷା ଭଳି ହଠାତ୍‌  ଘଟୁଥିବା ଘଟଣା ଏହି ପ୍ରାକୃତିକ ଅବରୋଧକୁ  ଦୁର୍ବଳ କରିବାର ସମ୍ଭାବନା ରହିଥାଏ । ଏହା ଫଳରେ ବିପୁଳ ପରିମାଣର ପାଣି ତଳିଆ ଅଞ୍ଚଳକୁ  ମାଡ଼ି ଆସି  ବନ୍ୟାର ରୂପ ନେଇଥାଏ ।

ଏହି ଅଧ୍ୟୟନ ଅନୁଯାୟୀ, ୧୮୩୫ରୁ ୨୦୨୫  ମଧ୍ୟରେ ଚୀନରେ ୧୯୯ଟି ଜିଏଲ୍‌ଓଏଫ୍‌ ଘଟଣା  ରେକର୍ଡ କରାଯାଇଛି, ଯାହା ଅଧ୍ୟୟନରେ ଅନ୍ତର୍ଭୁକ୍ତ  ଦେଶଗୁଡ଼ିକ ମଧ୍ୟରେ ସର୍ବାଧିକ । ପାକିସ୍ତାନରେ  ୧୫୨ଟି ଘଟଣା ଘଟିଥିବା ବେଳେ ଭାରତରେ ୬୨ଟି  ଏବଂ ନେପାଳରେ ୫୮ଟି ଘଟଣା ରେକର୍ଡ ହୋଇଛି ।  ତେବେ ଏହି ବିପର୍ଯ୍ୟୟ ଯୋଗୁ ଭାରତରେ  ସର୍ବାଧିକ ୬,୧୧୯ ଜଣଙ୍କର ମୃତ୍ୟୁ ଘଟିଛି ।  ପାକିସ୍ତାନରେ ୧,୯୯୧ ଏବଂ ଚୀନରେ ୬୨୫  ଜଣଙ୍କର ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଛି ।  ଚାପାଗେନ ଏବଂ ତାଙ୍କ ସହଯାଗୀମାନେ “ଗ୍ଲୋବାଲ  ମାଉଣ୍ଟେନ୍‌ ସେଫଗାର୍ଡ ରିସର୍ଚ୍ଚ ପ୍ରୋଗ୍ରାମ’  ମାଧ୍ୟମରେ ହିନ୍ଦୁକୁଶ ହିମାଳୟରେ ଜିଏଲ୍‌ଓଏଫ୍‌  ଘଟଣାଗୁଡ଼ିକର ଅଧ୍ୟୟନ କରୁଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button