ଦୁର୍ବଳ ମୌସୁମୀ ବଢ଼ାଇଲା ଦରଦାମ ଚିନ୍ତା, ଏଲ୍ନିନୋ ପ୍ରଭାବ ବଢ଼ିଲେ ସ୍ଥିତି ହେବ ସାଂଘାତିକ, ୫.୫% ଛୁଇଁପାରେ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୩୧/୦୮: ଦକ୍ଷିଣ ପଶ୍ଚିମ ମୌସୁମୀର ଶେଷ ମାସ ସେପ୍ଟେମ୍ବରରେ ଅପେକ୍ଷାକୃତ କମ୍ ବର୍ଷା ହୋଇଛି । ଏଭଳି ସ୍ଥିତିରେ ଏଲ୍ନିନୋ ପ୍ରଭାବ ବଢ଼ିଲେ ଘରୋଇ ବଜାରରେ ମୁଦ୍ରାସ୍ଫୀତି ଆହୁରି ତେଜିବ । ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୫.୫% ଯାଏ ପହଞ୍ଚିପାରେ ବୋଲି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟରେ ପ୍ରକାଶ କରିଛି ।
ବ୍ୟାଙ୍କ ଏକ ଅଧ୍ୟୟନରେ କହିଛି ଯେ, ଗୁରୁବାର ସୁଦ୍ଧା ଦୀର୍ଘମିଆଦି ଭିତ୍ତିରେ ମୌସୁମୀ ୧୩% ନିମ୍ନରେ ରହିଛି । ସେପ୍ଟେମ୍ବରର ବର୍ଷା ଫସଲ ଉତ୍ପାଦକତା ବୃଦ୍ଧି, ମାଟିର ଆଦ୍ରତା ଏବଂ ରବି ଋତୁ ଲାଗି ଜଳ ସଂରକ୍ଷଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମୌସୁମୀର ପ୍ରଦର୍ଶନ ଦୁର୍ବଳ ଥିବାରୁ ଦେଶର ମୁଦ୍ରାସ୍ଫୀତି ଅନୁମାନ ଆଶଙ୍କା ଗସ୍ତ ରହିଛି । ବର୍ଷ ଆରମ୍ଭ ବେଳକୁ ଖରିଫ କୃଷି ପ୍ରଭାବିତ ରହିଥିଲା । ଏଥିରେ ଧିରେ ଧିରେ ହ୍ରାସ ହୋଇ ୧.୫% ନିମ୍ନରେ ରହିଛି । ମଧ୍ୟ ଜୁଲାଇ ବେଳକୁ ଏହା ୧୬% ନିମ୍ନରେ ଥିଲା । ୧୦୫.୭ ନିୟୁତ ହେକ୍ଟର ଜମିରେ ଖରିଫ କୃଷି ହୋଇଛି । ପୂର୍ବ ଅବଧିରେ ଏହା ୧୦୭.୩ ନିୟୁତ ହେକ୍ଟର ଥିଲା । ଅଧିକ ଅଞ୍ଚଳରେ କୃଷି ଉନ୍ନତ କୃଷି ଉତ୍ପାଦନ ନିର୍ଦ୍ଧାରଣ କରି ନ ଥାଏ । ମାତ୍ର ଠିକ୍ ସମୟରେ ବର୍ଷାର ଅଭାବ ରହିଥିଲେ ଏହା ଫସଲ ଉପରେ ବଡ଼ ପ୍ରଭାବ ଆଣେ । ସେହିଭଳି ମୃତ୍ତିକାରେ ଆଦ୍ରତା ନ ରହିଲେ ରବି କୃଷି ମଧ୍ୟ ପ୍ରଭାବିତ ହୁଏ ।
ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାର ସ୍ଥିତି ମଧ୍ୟ ଭିନ୍ନ ରହିଛି । ଉତ୍ତର ପଶ୍ଚିମାଞ୍ଚଳରେ ସ୍ୱାଭାବିକ ଠାରୁ ୧୦% କମ୍ ବର୍ଷା ହୋଇଛି । ଅନ୍ୟପଟେ ଦକ୍ଷିଣ ପ୍ରାନ୍ତରେ ସ୍ୱାଭାବିକ ଠାରୁ ୨୨% କମ୍ ହୋଇଥିବା ରେକର୍ଡ କରାଯାଇଛି । ପୂର୍ବ ଓ ଉତ୍ତର ପୂର୍ବ ଭାଗରେ ଏହା ୨୭% କମ୍ । ରାଜ୍ୟ ଗୁଡ଼ିକୁ ଦେଖିଲେ ଆନ୍ଧ୍ରପ୍ରଦେଶ ଓ ବିହାରରେ ଯଥାକ୍ରମେ ୪୦% ଏବଂ ୪୨% କମ୍ ବର୍ଷା ହୋଇଛି । ଏହି ୨ ରାଜ୍ୟ ସର୍ବାଧିକ କମ୍ ବର୍ଷା ହୋଇଥିବା ରାଜ୍ୟ ବର୍ଗରେ ଶୀର୍ଷରେ ରହିଛନ୍ତି । ସେହିଭଳି ଜଳ ଭଣ୍ଡାର ଗୁଡିକରେ ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି । କେନ୍ଦ୍ରୀୟ ଜଳ ଆୟୋଗ ଅଧିନରେ ରହିଥିବା ୧୭୬ ଜଳ ଭଣ୍ଡାରରେ ଅଗଷ୍ଟ ୨୦ ସୁଦ୍ଧା ୧୧୭ ବିଲିୟନ ଘନ ମିଟର ଜଳ ରହିଛି । ଯାହା ବାସ୍ତବ ଭଣ୍ଡାରଣ କ୍ଷମତାର ୬୪% । ଗତ ବର୍ଷ ତୁଳନାରେ ଜଳ ଭଣ୍ଡାର ଗୁଡିକରେ ୧୮% କମ୍ ଜଳ ରହିଛି । ପଶ୍ଚିମ ଓ ଦକ୍ଷିଣ ପ୍ରାନ୍ତରେ ଗତ ବର୍ଷ ତୁଳନାରେ ଜଳ ଭଣ୍ଡାରର ଗୁଡିକର ସ୍ଥିତି ଗତ ବର୍ଷ ତୁଳନାରେ ଢ଼େର ନିମ୍ନରେ ରହିଛି ।
ଚଳିତ ଆର୍ଥିକ ବର୍ଷରେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ)କୁ ୫%ରେ ସ୍ଥିର ରଖିଛି ୟୁନିୟନ ବ୍ୟାଙ୍କ । ଅଶୋଧିତ ତେଲ ବ୍ୟାରେଲ ପିଛା ୯୦ ଡଲାର ସ୍ତରରେ ସ୍ଥିତାବସ୍ଥା ବଜାୟ ରଖିବା ଅନୁମାନ କରାଯାଇଛି । ମାତ୍ର ଏଲ୍ନିନୋ ଯୋଗୁ ଖାଦ୍ୟ ମୁଦ୍ରାସ୍ଫୀତି ତେଜିବା ଯୋଗୁ ଏହା ୫.୫% କିମ୍ବା ଏହାଠାରୁ ଉଦ୍ଧ୍ୱ ର୍କୁ ଯାଇପାରେ । ଅମଳ ଶେଷ ସମୟ ବେଳକୁ ମୁଦ୍ରାସ୍ଫୀତି ଚିନ୍ତା ବଢ଼ିପାରେ । ଖାଦ୍ୟ ମୁଦ୍ରାସ୍ଫୀତି ଗ୍ରାମାଞ୍ଚଳ ଆୟ ଏବଂ ଚାହିଦା ଉପରେ ପ୍ରଭାବ ପଡିପାରେ । ଫଳରେ ଚଳିତ ଆର୍ôଥକ ବର୍ଷ ଶେଷ ଆଡକୁ ରେପୋ ହାରରେ ବୃଦ୍ଧି କରିପାରେ ରିଜର୍ଭ ବ୍ୟାଙ୍କ । ଜୁଲାଇରେ ମୁଦ୍ରାସ୍ଫୀତି ୪.୫%କୁ ବୃଦ୍ଧି ହୋଇଛି । ଏହା ୧୯ ମାସର ସର୍ବୋଚ୍ଚ ସ୍ତର । ଲଗାତର ଦ୍ୱିତୀୟ ମାସ ଲାଗି ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ସୀମାକୁ ଟପିଛି ମୁଦ୍ରାସ୍ଫୀତି ।
ସୌଜନ୍ୟ ପ୍ରମେୟ




