ରାଜ୍ୟ

Raygada: ସେପ୍ଟେମ୍ବର ୨ ଏବଂ ୩ରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ଗସ୍ତ, ରିଭଲକଣା ରାଗିଙ୍ଗର ଯାଞ୍ଚ କରିବେ

ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ବବିତା ପାତ୍ର ଏବଂ ସଭ୍ୟ ସୁଜାତା ନାୟକ ଆସନ୍ତା‌ ସେପ୍ଟେମ୍ବର ମାସ ୨ ଏବଂ ୩ ତାରିଖରେ ରାୟଗଡ଼ା ଜିଲ୍ଲା ଗସ୍ତ କରିବେ। କୋଲନରା ବ୍ଲକ ରିଭଲକଣା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଉଚ୍ଚ ବିଦ୍ୟାଳୟ ଗସ୍ତ କରିବେ ।

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଏବଂ ସଭ୍ୟା । ସୂଚନାରୁ ଜଣାପଡିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ବବିତା ପାତ୍ର ଏବଂ ସଭ୍ୟ ସୁଜାତା ନାୟକ ଆସନ୍ତା‌ ସେପ୍ଟେମ୍ବର ମାସ ୨ ଏବଂ ୩ ତାରିଖରେ ରାୟଗଡ଼ା ଜିଲ୍ଲା ଗସ୍ତ କରିବେ । ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଓ ସଭ୍ୟ କୋଲନରା ବ୍ଲକ ରିଭଲକଣା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଉଚ୍ଚ ବିଦ୍ୟାଳୟ ଗସ୍ତ କରିବେ ।

କନିଷ୍ଠ ଛାତ୍ରମାନଙ୍କୁ ଗାଈଗୋରୁଙ୍କୁ ପିଟିବା ଭଳି ଭିଡିଓ ଭାଇରାଲ ହୋଇଥିଲା

ଏଠାରେ ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ରିଭଲକଣା ଉଚ୍ଚ ବିଦ୍ୟାଳୟର ଜଣେ ବରିଷ୍ଠ ଛାତ୍ର କିଛି ସହପାଠୀଙ୍କ ସହ ମିଶି କନିଷ୍ଠ ଛାତ୍ରମାନଙ୍କୁ ଗାଈଗୋରୁଙ୍କୁ ପିଟିବା ଭଳି ଭିଡିଓ ଭାଇରାଲ ହୋଇଥିଲା । ଛାତ୍ରଙ୍କ ଏଭଳି ଆଚରଣକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ବିଭାଗୀୟ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ ବିଦ୍ୟାଳୟର ଛାତ୍ରମାନଙ୍କ ନାମରେ ଚାନ୍ଦିଲି ଥାନାରେ ଏତଲା ହେବା ସହ ୭ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ଟିସି ଦେଇ ବହିଷ୍କାର କରାଯାଇଥିଲା । ପୂର୍ବରୁ ମଧ୍ୟ ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରମାନଙ୍କୁ ଅତ୍ୟାଚାର କରୁଥିଲେ ବୋଲି ଅଭିଯୋଗ ହୋଇଥିବା ବେଳେ ଏହି ଘଟଣା କ୍ରିକେଟ ଖେଳକୁ ନେଇ ଘଟିଥିବା ବଚସାରୁ ଏଭଳି ଅମାନୁଷିକ କାଣ୍ଡ ହୋଇଥିବା ପ୍ରଶାସନ ସ୍ପଷ୍ଟୀକରଣ ରଖିଥିଲା । କିଛି କନିଷ୍ଠ ଛାତ୍ର ବରିଷ୍ଠ ଛାତ୍ରଙ୍କ ନାମରେ ଅଭିଯୋଗ କରିଥିବାରୁ ବରିଷ୍ଠ ଛାତ୍ରମାନେ ଉତକ୍ଷିପ୍ତ ହୋଇ ୨୦ରୁ ଉର୍ଧ୍ବ ଅନ୍ତେବାସୀଙ୍କୁ ଅମାନବୀୟ ଭାବେ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଏହି ସ୍ପର୍ଶକାତର ଘଟଣାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଓ ସଭ୍ୟା ଗସ୍ତ କରି ତଦନ୍ତ କରିବେ ବୋଲି ସୂଚନାରୁ ଜଣାପଡିଛି । ଜିଲ୍ଲାରେ ବିଭିନ୍ନ ଆବାସିକ ବିଦ୍ୟାଳୟରେ ହିଂସ୍ରିକ ଆଚରଣ ବୃଦ୍ଧି ତଥା ପରିଚାଳନାଗତି ତ୍ରୁଟି ବାରମ୍ବାର ସାମ୍ନାକୁ ଆସୁଥିବାରୁ  ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି । ରିଭଲକଣା ଉଚ୍ଚ ବିଦ୍ୟାଳୟ ଗସ୍ତ ସହିତ  ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଅଙ୍ଗନବାଡି  କେନ୍ଦ୍ର, ଶିଶୁଯତ୍ନ ଅନୁଷ୍ଠାନ ଓ ଅନ୍ୟ କିଛି ଶିଶୁ ସମ୍ପର୍କିୟ ଅନୁଷ୍ଠାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଡାକ୍ତରଖାନା,ବିଦ୍ୟାଳୟ ଏବଂ ଟିଏଚଆର ୟୁନିଟ (ଟେକ ହୋମ ରେସନ) ଗୁଡିକୁ  ଆକସ୍ମିକ ପରିଦର୍ଶନ ଓ ଯାଞ୍ଚ  କରିବାର କାର୍ଯ୍ୟକମ ମଧ୍ୟ ରହିଛି । ଏହା ସହ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକର କାର୍ଯ୍ୟକ୍ରମ ରହିଛି ।

କିଛି ବର୍ଷ ହେଲା ରାୟଗଡ଼ା ଜିଲ୍ଲାର କାର୍ଯ୍ୟକ୍ଷମ ରହିଥିବା ଆବାସିକ ବିଦ୍ୟାଳୟ ଏବଂ ବିଦ୍ୟାଳୟମାନଙ୍କରେ ଶିଶୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦେବାରେ ବିଫଳ ହେଉଥିବା ବ‌େଳେ ଶିକ୍ଷକମାନଙ୍କୁ ସୁରକ୍ଷା ଦେବା ପାଇଁ ଅଧିକା ଯତ୍ନବାନ ରହୁଥିବା ଦେଖିବାକୁ ମିଳିଛି। ଅମ୍ବାଦଳା ଉଚ୍ଚ ବିଦ୍ୟାଳୟ ହେଉ, ମୁକୁନ୍ଦପୁର ଉଚ୍ଚ ବିଦ୍ୟାଳୟର କପି ପ୍ରଦାନ ଘଟଣା, ଡାଙ୍ଗସୋରଡା ଛାତ୍ର ନିଖୋଜ ଘଟଣା, ମ୍ୟାଲେରିଆରେ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣା,ବୁଡାଗୁଡା ଉଚ୍ଚ ବିଦ୍ୟାଳୟ ଛାତ୍ର ବୁଡ଼ି ମୃତ୍ୟୁ ଘଟଣାରେ ପ୍ରଶାସନ କିମ୍ବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅଧିକାରୀ କେବଳ ତଦନ୍ତ ଚାଲିଛି ବୋଲି କହି ଘଟଣାର ଘଣ୍ଟ ଘୋଡାଉଛନ୍ତି । ଆଇନଗତ ଭାବ‌େ ଆୟୋଗର ଅଧ୍ୟକ୍ଷାଙ୍କ କ୍ଷମତା ପ୍ରମୁଖ ସଚିବ ରେଙ୍କର ରହିଥିବା ବେଳେ ସଭ୍ୟଙ୍କ କ୍ଷମତା ଅତିରିକ୍ତ ସଚିବ ରେଙ୍କ ଏଣୁ ଏହି ଗସ୍ତକୁ ଗୁରୁତ୍ବପୂର୍ଣ ମନେକରାଯାଉଛ।  ଅଧ୍ୟକ୍ଷାଙ୍କ ଗସ୍ତକୁ ନେଇ ରାୟଗଡ଼ା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button