BRICS Summit: ଇରାନରୁ ଚାପ, ଟ୍ରମ୍ପଙ୍କ ଚେତାବନୀ; BRICSରେ ଭାରତ ପାଇଁ ବଡ଼ କୂଟନୈତିକ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୧।୯: ବ୍ରିକ୍ସ ଶିଖର ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହମତି ସୃଷ୍ଟି କରିବା ପାଇଁ ଭାରତ ବ୍ୟାପକ ପ୍ରୟାସ ଆରମ୍ଭ କରିଛି । ସମ୍ମିଳନୀ ଶେଷରେ ସବୁ ଦେଶର ସମ୍ମତିକ୍ରମେ ଏକ ସର୍ବସମ୍ମତ ଜଏଣ୍ଟ ଷ୍ଟେଟମେଣ୍ଟ ଜାରି କରିବାକୁ ଭାରତ ଚାହୁଁଥିବା ବେଳେ, ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଆମେରିକା ସହ କୂଟନୈତିକ ସନ୍ତୁଳନ ରକ୍ଷା କରିବା ଏବେ ନୂଆଦିଲ୍ଲୀ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ନିଜ ଅଧ୍ୟକ୍ଷତାରେ ବ୍ରିକ୍ସକୁ ଆମେରିକା କିମ୍ବା ପାଶ୍ଚାତ୍ୟ ଦେଶଗୁଡ଼ିକ ବିରୋଧରେ କୌଣସି ଆକ୍ରମଣାତ୍ମକ ମଞ୍ଚ ଭାବେ ବ୍ୟବହାର କରିବାକୁ ଦେବାକୁ ଚାହୁଁନାହିଁ । ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ବ୍ରିକ୍ସ ମଞ୍ଚରୁ ଆମେରିକା ବିରୋଧରେ କୌଣସି ନିନ୍ଦା ପ୍ରସ୍ତାବ ଆସୁ ବୋଲି ପସନ୍ଦ କରୁନାହିଁ । ତେଣୁ ଜଏଣ୍ଟ ଷ୍ଟେଟମେଣ୍ଟରେ ବ୍ୟବହୃତ ହେବାକୁ ଥିବା ଶବ୍ଦାବଳୀ ଉପରେ ଭାରତ ବିଶେଷ ସତର୍କତା ଅବଲମ୍ବନ କରୁଛି ।
ଇରାନର କଠୋର ଆଭିମୁଖ୍ୟ ଓ ବ୍ରିକ୍ସ ଭିତରେ ମତଭେଦ:
ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିକୁ ନେଇ ଇରାନ ଏହି ବୈଠକରେ ଆମେରିକା ଓ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା କରିବାକୁ ଦାବି କରିପାରେ । ଏଥିସହ ନିଜ ଆଞ୍ଚଳିକ ସୁରକ୍ଷା ପାଇଁ ଅନ୍ୟ ସଦସ୍ୟ ଦେଶଙ୍କ ସମର୍ଥନ ଲୋଡ଼ିପାରେ । ଚୀନ୍ ଏବଂ ଷୁଷ ଭଳି ପ୍ରମୁଖ ସଦସ୍ୟ ଦେଶଗୁଡ଼ିକ ଇରାନର ନିକଟତର ହୋଇଥିବାରୁ, ଏହି ବିଷୟରେ ସବୁ ଦେଶକୁ ଗୋଟିଏ ସାଧାରଣ ସହମତିକୁ ଆଣିବା ଭାରତ ପାଇଁ ଆଦୌ ସହଜ ହେବନାହିଁ । ଯଦି ପଶ୍ଚିମ ଏସିଆ ସଙ୍କଟ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ ନପାଏ, ତେବେ ମିଳିତ ଘୋଷଣାପତ୍ର ଜାରି ହେବାରେ ସମସ୍ୟା ସୃଷ୍ଟି ହୋଇପାରେ । ଏଭଳି ପରିସ୍ଥିତିରେ ଅଧ୍ୟକ୍ଷତା କରୁଥିବା ଦେଶ ପକ୍ଷରୁ ପ୍ରଥା ଅନୁଯାୟୀ ଏକ ଅଲଗା ‘ଚେୟାର ସମ୍ମରୀ’ ଜାରି କରାଯାଇପାରେ ।
ଡଲାର-ମୁକ୍ତ ବ୍ୟାପାର ଓ ଆମେରିକାର ଚେତାବନୀ:
କେବଳ ଭୂ-ରାଜନୀତି ନୁହେଁ, ଆର୍ଥିକ ନୀତିକୁ ନେଇ ମଧ୍ୟ ଭାରତ ଉପରେ ଚାପ ରହିଛି । ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ନିଜ ନିଜ ମଧ୍ୟରେ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମାଇ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ, ଡଲାରକୁ ଦୁର୍ବଳ କରୁଥିବା କୌଣସି ପଦକ୍ଷେପରୁ ବ୍ରିକ୍ସ ଦେଶଗୁଡ଼ିକ ଦୂରେଇ ରହିବା ଉଚିତ୍ । ତେଣୁ ଏହି ସମ୍ମିଳନୀରେ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ହେଲେ ତାହା ଆମେରିକାର ଚିନ୍ତା ବଢ଼ାଇପାରେ ।
ସୌଜନ୍ୟ ପ୍ରମେୟ




