ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଆଜି (ମଙ୍ଗଳବାର) ଶକ୍ତି ସମ୍ମିଳନୀରେ ଏକାଠି ହୋଇଛନ୍ତି।
ସମ୍ମିଳନୀର ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି, ମହିଳା ସୁରକ୍ଷା ଓ ମହିଳା ସଶକ୍ତୀକରଣକୁ ଭିନ୍ନ ଭିନ୍ନ ଭାବେ ଦେଖାଯାଇପାରିବ ନାହିଁ। ମଜବୁତ ଅନୁଷ୍ଠାନ, ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ସାମୂହିକ ଉତ୍ତରଦାୟିତ୍ୱ ମାଧ୍ୟମରେ ଏଗୁଡ଼ିକ ସହସମ୍ବନ୍ଧିତ ହୋଇ ଆଗେଇବା ଆବଶ୍ୟକ। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପରସ୍ପରଠାରୁ ଶିଖିବା, ସମନ୍ୱୟ ବୃଦ୍ଧି କରିବା ଏବଂ ପ୍ରତ୍ୟେକ ମହିଳା ଯେପରି ସୁରକ୍ଷା, ସମ୍ମାନ ଓ ସୁଯୋଗ ସହ ଜୀବନ ଯାପନ କରିପାରିବେ, ତାହା ସୁନିଶ୍ଚିତ କରିବା ପାଇଁ ଶକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହଟକର ସମ୍ମିଳନୀର ଲକ୍ଷ୍ୟ ସମ୍ପର୍କରେ କହିଛନ୍ତି, ସମଗ୍ର ଦେଶରେ ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତୀକରଣକୁ ଆଗକୁ ନେବା ପାଇଁ ଅଧିକ ସୁଦୃଢ଼ ଏବଂ ନିରନ୍ତର ସାମୂହିକ ପଦକ୍ଷେପର ଆବଶ୍ୟକତା ରହିଛି।
ଜାତୀୟ ମହିଳା ଆୟୋଗର ସଦସ୍ୟ ସଚିବ ସୁଦୀପ ଜୈନ, ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ଡ. ମୃଣାଳିନୀ ଦାର୍ସୱାଲ ଏବଂ ମିଶନ ଶକ୍ତିର ସଚିବ ମାନସୀ ନିମ୍ଭାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ଚଣ୍ଡୀଗଡ଼ ଏବଂ ତେଲେଙ୍ଗାନା ସମେତ ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସଚିବ, କମିସନର, ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପ୍ରମୁଖ ୨୯ ଜଣ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଛନ୍ତି।
ସୌଜନ୍ୟ ସମ୍ବାଦ