ଜାତୀୟ

Expiry Dates: ଏକ୍ସପାୟରୀ ଡେଟ୍ ଦେଖୁନାହାନ୍ତି କି ? ଏମିତି ଖାଦ୍ୟ ହୋଇପାରେ ଜୀବନଘାତୀ !

ନୂଆଦିଲ୍ଲୀ, ୨।୯: ବଜାରରୁ ପ୍ୟାକେଟ୍ ଖାଦ୍ୟ କିଣିବା ସମୟରେ ଆମେ ସାଧାରଣତଃ ଏହାର ମୂଲ୍ୟ, ସ୍ୱାଦ ଏବଂ ବ୍ରାଣ୍ଡ୍ ଦେଖିଥାଉ, କିନ୍ତୁ ପ୍ୟାକେଟ୍ ଉପରେ ଲେଖାଯାଇଥିବା ମ୍ୟାନୁଫ୍ୟାକ୍ଚରିଂ ଡେଟ୍, ଏକ୍ସପାୟାରୀ ଡେଟ୍ ଏବଂ ବେଷ୍ଟ ବିଫୋରକୁ ଅଣଦେଖା କରିବା ଆପଣଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ସମ୍ପ୍ରତି, ମହାନଗରଗୁଡ଼ିକରେ ଏକ୍ସପାୟାର୍ ହୋଇଯାଇଥିବା ଖାଦ୍ୟ ସାମଗ୍ରୀର ତାରିଖ ବଦଳାଇ ପୁନର୍ବାର ବିକ୍ରି କରାଯାଉଥିବା ଅନେକ ମାମଲା ସାମ୍ନାକୁ ଆସିଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଖାଦ୍ୟ ସାମଗ୍ରୀରେ ଥିବା ଏହି ତାରିଖଗୁଡ଼ିକର ପ୍ରକୃତ ଅର୍ଥ କ’ଣ ? ଏକ୍ସପାୟାର୍ ଖାଦ୍ୟ ବିକ୍ରି କଲେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ? ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଏବଂ ଜଣେ ସାଧାରଣ ଗ୍ରାହକ କେଉଁ କେଉଁ କଥା ପ୍ରତି ଦୃଷ୍ଟି ଦେବା ଉଚିତ୍ ?

ଏକ୍ସପାୟାର୍ ଖାଦ୍ୟକୁ ନେଇ କେଉଁଠି ଆସିଛି ବଡ଼ ମାମଲା ?

ମହାରାଷ୍ଟ୍ରର ନୱି ମୁମ୍ବାଇ ଅନ୍ତର୍ଗତ ତୁର୍ଭେ ଅଞ୍ଚଳରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ ତଥା ପୁଲିସ ଏକ ପ୍ୟାକେଜିଂ ଏକଷେତ୍ରରେ ଚଢ଼ଉ କରି ୪,୯୪୨ କାର୍ଟନ୍ ଏକ୍ସପାୟାର୍ ଖାଦ୍ୟ ସାମଗ୍ରୀ ଜବତ କରିଛି, ଯାହାର ମୂଲ୍ୟ ୭୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି । ଏହି ସାମଗ୍ରୀଗୁଡ଼ିକର ମ୍ୟାନୁଫ୍ୟାକ୍ଚରିଂ ଏବଂ ଏକ୍ସପାୟାରୀ ଡେଟ୍ ଜାଲିଆତି କରାଯାଇ ନୂଆ ତାରିଖ ଛାପା ଯାଉଥିଲା । ଜୁଲାଇ ମାସରେ ଦିଲ୍ଲୀର ଓଖଳା ଶିଳ୍ପ ଅଞ୍ଚଳରେ ପୁଲିସ ଏଭଳି ଏକ ରାକେଟ୍ ର ପର୍ଦ୍ଦାଫାଶ କରିଥିଲା, ଯେଉଁଠାରେ ଏକ୍ସପାୟାର୍ ଖାଦ୍ୟର ତାରିଖ ବଦଳାଇ ପୁନଃ ପ୍ୟାକିଂ କରାଯାଉଥିଲା । ଏହି ମାମଲାରେ ୨୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରାଯିବା ସହ ୭ ଜଣଙ୍କୁ ଗିରଫ କରାଯାଇଥିଲା । କାନପୁରରେ ଏକ ଚକୋଲେଟ୍ କାରଖାନା ପକ୍ଷରୁ ଏକ୍ସପାୟାର୍ ହୋଇସାରିଥିବା ଚକୋଲେଟ୍ ଗୁଡ଼ିକୁ ରାସ୍ତାକଡ଼ ଆବର୍ଜନା ପାଖରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା ଏବଂ ସେମାନେ ସେହି କାର୍ଟନ୍ଗୁଡ଼ିକୁ ଉଠାଇ ନେଇଥିଲେ ।

ଖାଦ୍ୟ ସାମଗ୍ରୀରେ ଲିଖିତ ତାରିଖଗୁଡ଼ିକର ଅର୍ଥ କ’ଣ ?

ଖାଦ୍ୟ ପଦାର୍ଥର ଲେବଲିଂ, ମ୍ୟାନୁଫ୍ୟାକ୍ଚରିଂ/ପ୍ୟାକିଂ ତାରିଖ, ସମାପ୍ତି ତାରିଖ ଏବଂ ‘ବେଷ୍ଟ ବିଫୋର’ ସମ୍ବନ୍ଧୀୟ ବ୍ୟବସ୍ଥାଗୁଡ଼ିକ FSSAI (Food Safety and Standards Authority of India) ନିୟମ, 2020 ଅନ୍ତର୍ଗତ ଆସିଥାଏ ।

‘ବେଷ୍ଟ ବିଫୋର’ କ’ଣ ସୂଚାଏ ?

ଏହା ସେହି ତାରିଖକୁ ବୁଝାଏ ଯାହା ଶେଷ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସଂରକ୍ଷଣ ପରିସ୍ଥିତିରେ ଖାଦ୍ୟ ଉତ୍ପାଦ ବିକ୍ରିଯୋଗ୍ୟ ରହିଥାଏ ଏବଂ ଏହାର ଗୁଣବତ୍ତା ବଜାୟ ରହିଥାଏ । ଏହି ତାରିଖ ପରେ ଖାଦ୍ୟ ସାମଗ୍ରୀ ତୁରନ୍ତ ଅସୁରକ୍ଷିତ ହୁଏନାହିଁ, କିନ୍ତୁ ଏହାର ଗୁଣବତ୍ତା କମିଯାଇପାରେ ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button