ଜାତୀୟ

Dog Searches For Owner: ବନ୍ୟାରେ ଭାସିଗଲା ଘର, ଧ୍ୱଂସସ୍ତୁପ ମଧ୍ୟରେ ମାଲିକଙ୍କୁ ଖୋଜୁଛି କୁକୁର

ନେପାଳ ୦୨/୦୯: ଗତ ସପ୍ତାହରେ ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ନୁୱାକୋଟ ଜିଲ୍ଲାର ତ୍ରିଶୁଳି ବଜାର ଅଞ୍ଚଳରେ ଥିବା କିଛି ଘର ସଂପୂର୍ଣ୍ଣ ଭାସିଯାଇଛି । ସେହି ସ୍ଥାନରେ ଏବେ କାଦୁଅ ଏବଂ ଧ୍ୱଂସାବଶେଷ ଜମା ହୋଇ ରହିଛି । ଏପରିସ୍ଥଳେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କ ସନ୍ଧାନ ଲାଗି ଉଦ୍ଧାର ଅଭିଯାନ ଚାଲିଛି । ଇତିମଧ୍ୟରେ ସେଠାରେ ଏକ କୁକୁର ନିଜ ମାଲିକଙ୍କ ଫେରିବା ବାଟକୁ ଅପେକ୍ଷା କରି କାଦୁଅ ମଧ୍ୟରେ ପଡି଼ରହିଥିବା ସାମ୍ନାକୁ ଆସିଛି । ଆଖପାଖରେ କେତେଗୁଡ଼ିଏ ଜେସିବି ସହାୟତାରେ ଧ୍ୱଂସାବଶେଷ ସଫା କରିବାର କାମ ଚାଲିଛି । କିନ୍ତୁ ତାହା କୁକୁର ଉପରେ କୌଣସି ପ୍ରକାର ପ୍ରଭାବ ପକାଉନାହିଁ । ସେଇଠି ସେ ଶାନ୍ତ ଭାବେ ପଡି଼ରହିଛି । ମଝିରେ ମଝିରେ କେବଳ କରୁଣ ଆଖିରେ ଉଦ୍ଧାରକାରୀଙ୍କୁ ଚାହିଁ ରହୁଛି । ସତେ ଯେପରି ମାଲିକଙ୍କୁ ମନେ ପକାଇ ସେ ଗୁମୁରି ଗୁମୁରି କାନ୍ଦୁଛି । ମାଲିକ ନ ଫେରିବା ଯାଏ ଘର ଛାଡ଼ି ନ ଯିବାକୁ ପଣ କରିଛି । ଏହି ଦୃଶ୍ୟ ଉଦ୍ଧାରକାରୀମାନଙ୍କୁ ଭାବୁକ କରିଦେଇଛି ।

ସ୍ୱେଚ୍ଛାସେବୀ ବିକ୍ରମ ଥାପା କହିଛନ୍ତି, ପ୍ରଥମେ ସେମାନେ କୁକୁରକୁ ବିସ୍କୁଟ ଦେବା ସହ ବିଭିନ୍ନ ପ୍ରକାର ଶ୍ରଦ୍ଧା ନାମରେ ଡାକିଥିଲେ । ଖାଦ୍ୟ ଖାଇବା ପରେ ତାକୁ ସେଇଠୁ ବାହାର କରିବାକୁ ଯୋଜନା କରିଥିଲେ । କିନ୍ତୁ ସେ ଖାଦ୍ୟ ଖାଇଲା ନାହିଁ କି ମୁଣ୍ଡ ଉଠାଇ ଚାହିଁଲା ନାହିଁ । ଜେସିବିର ବିକଟାଳ ଶବ୍ଦ ଭିତରେ ଭୟଭୀତ ନ ହୋଇ ସେମିତି କାଦୁଅ ମଧ୍ୟରେ ପଡ଼ିରହିଛି । ତ୍ରିଶୁଳି ବଜାରରେ ସେହି ସ୍ଥାନରେ ୪ଟି ଘର ଥିଲା । ସେଥିମଧ୍ୟରୁ କେଉଁ ଘରେ ସେ ରହୁଥିଲା ତାହା କହିବା କଷ୍ଟକର ।

ତେବେ ସେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଛାଡି଼ ଯାଉନଥିବାରୁ ସେହି ସ୍ଥାନରେ ଥିବା ଘରେ ତା’ର ମାଲିକ ରହୁଥିଲେ ବୋଲି ଆଶଙ୍କା କରାଯାଉଛି । ତେଣୁ ଏବେ ଆଉ ଉଦ୍ଧାରକାରୀମାନେ ତାକୁ ସେହି ସ୍ଥାନରୁ ବାହାର କରିବାକୁ ଉଦ୍ୟମ କରୁନାହାନ୍ତି । ବଦଳରେ ତା’ ନିକଟରେ କେଇ ଘଣ୍ଟା ବ୍ୟବଧାନରେ କିଛି ଶୁଖିଲା ଖାଦ୍ୟ ଏବଂ ପାଣି ରଖିଦେଉଛନ୍ତି । ରାସ୍ତା ସଂପୂର୍ଣ୍ଣ ଶୁନଶାନ୍ ହୋଇଗଲେ ମନ ହେଲେ ସେହି ଖାଦ୍ୟରୁ ସେ ବେଳେବେଳେ କିଛି ଖାଉଛି । ସ୍ଥାନୀୟ ଦୋକାନୀ ଦିନେଶ ବଶ୍ୟଲ କହିଛନ୍ତି, ଆମ ଘର ବନ୍ୟାରେ ଭାସିଯାଇଛି । ଆମ ସହ କ’ଣ ହେଲା ତାହା ଆମେ ବୁଝିପାରୁଛୁ । କିନ୍ତୁ କୁକୁରଟି ତା’ର ପ୍ରିୟଲୋକେ କୁଆଡ଼େ ଗଲେ ତାହା ଜାଣିପାରୁନାହିଁ । ସେଥିଯୋଗୁ ସେମାନେ ଫେରିବାକୁ ଅପେକ୍ଷା କରି ଭଗ୍ନାବଶେଷ ମଧ୍ୟରେ ବସିରହିଛି ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button