Nepal flood: ଟନେଲ୍ରେ ଫସିଥିବା ଶ୍ରମିକଙ୍କୁ ଛାଡ଼ି ପଳାଇଥିଲେ ଚୀନ୍ ସୁପରଭାଇଜର
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟା ପରେ ତ୍ରିଶୂଳୀ-୩ଏ ଜଳବିଦ୍ୟୁତ୍ ପ୍ରକଳ୍ପର ଜଣେ ବଞ୍ଚିଯାଇଥିବା ଶ୍ରମିକ ଗୁରୁତର ଅଭିଯୋଗ ଆଣିଛନ୍ତି। ରାଜ ଛେତ୍ରୀ ନାମକ ଏହି ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ବନ୍ୟା ଓ ମାଟି-ପଥରର ପ୍ରବଳ ସ୍ରୋତ

କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟା ପରେ ତ୍ରିଶୂଳୀ-୩ଏ ଜଳବିଦ୍ୟୁତ୍ ପ୍ରକଳ୍ପର ଜଣେ ବଞ୍ଚିଯାଇଥିବା ଶ୍ରମିକ ଗୁରୁତର ଅଭିଯୋଗ ଆଣିଛନ୍ତି। ରାଜ ଛେତ୍ରୀ ନାମକ ଏହି ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ବନ୍ୟା ଓ ମାଟି-ପଥରର ପ୍ରବଳ ସ୍ରୋତ ଟନେଲ୍ ଭିତରକୁ ପଶିବା ସମୟରେ ଜଣେ ଚୀନ୍ ସୁପରଭାଇଜର ଶ୍ରମିକଙ୍କୁ ବାହାରକୁ ଯିବାରେ ସାହାଯ୍ୟ ନ କରି ନିଜେ ଟନେଲ୍ରୁ ବାହାରି ପଳାଇଥିଲେ।
ଛେତ୍ରୀ କହିଛନ୍ତି, ଘଟଣା ସମୟରେ ସେ ଅନ୍ୟ ଶ୍ରମିକଙ୍କ ସହ ଟନେଲ୍ ନମ୍ବର-୩ରେ ଥିଲେ। ହଠାତ୍ ଏକ ଜୋର୍ ଶବ୍ଦ ଶୁଣିବା ସହ ବିପଦର ଆଭାସ ମିଳିବାରୁ ସେ ଚୀନ୍ ସୁପରଭାଇଜରଙ୍କୁ ଟନେଲ୍ରୁ ବାହାରିବାକୁ ଅନୁମତି ଓ ସାହାଯ୍ୟ ମାଗିଥିଲେ। ସୁପରଭାଇଜର ଘଟଣାସ୍ଥଳ ଦେଖିବାକୁ ଯାଉଛି ବୋଲି କହି ନିଜେ ବାହାରି ପଳାଇଥିବା ସେ ଅଭିଯୋଗ କରିଛନ୍ତି। ଛେତ୍ରୀଙ୍କ ଅନୁସାରେ, ବନ୍ୟା ଆସିବା ସମୟରେ ଟନେଲ୍ ନମ୍ବର-୩ରେ ପ୍ରାୟ ୨୬୫ ଜଣ କାମ କରୁଥିଲେ।
ପାଣି, କାଦୁଅ ଓ ମାଟି-ପଥରର ପ୍ରବଳ ସ୍ରୋତ ଟନେଲ୍ ଭିତରକୁ ପଶି ଶ୍ରମିକ, ଗାଡ଼ି ଓ ସାମଗ୍ରୀକୁ ଭସାଇ ନେଇଥିଲା। ସେ ଟନେଲ୍ର ମୁହଁ ଆଡ଼କୁ ଦୌଡ଼ି କୌଣସିମତେ ବାହାରି ଆସିଥିଲେ। ତାଙ୍କ ସହ ଆଉ ୩ ଜଣ ବାହାରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ଏବେ ବି ନିଖୋଜ ଅଛନ୍ତି। ଟନେଲ୍ ଭିତରୁ ଅନେକ ଲୋକଙ୍କ ସାହାଯ୍ୟ ପାଇଁ ଚିତ୍କାର ଶୁଣାଯାଉଥିଲା ବୋଲି ମଧ୍ୟ ସେ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




