ଦେଶ ବିଦେଶ

US Minneapolis Shooting: ମିନିଆପୋଲିସରେ ରକ୍ତରଞ୍ଜିତ ସନ୍ଧ୍ୟା! ଗୁଳିର ଶବ୍ଦରେ ଥରିଲା ସହର

ଆମେରିକାର ମିନିଆପୋଲିସ ସହର ବୁଧବାର ସନ୍ଧ୍ୟାରେ ହଠାତ୍ ଗୁଳିର ଶବ୍ଦରେ କମ୍ପି ଉଠିଲା। ସହରର ମଧ୍ୟଭାଗରେ ଘଟିଥିବା ଏହି ଭୟଙ୍କର ଗୁଳିକାଣ୍ଡରେ ସନ୍ଦିଗ୍ଧ ସୁଟର ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ପୋଲିସ ଅଧିକାରୀ ଥିବା ସୂଚନା ମିଳିଛି।

ନୂଆଦିଲ୍ଲୀ: ଆମେରିକାର ମିନିଆପୋଲିସ ସହର ବୁଧବାର ସନ୍ଧ୍ୟାରେ ହଠାତ୍ ଗୁଳିର ଶବ୍ଦରେ କମ୍ପି ଉଠିଲା। ସହରର ମଧ୍ୟଭାଗରେ ଘଟିଥିବା ଏହି ଭୟଙ୍କର ଗୁଳିକାଣ୍ଡରେ ସନ୍ଦିଗ୍ଧ ସୁଟର ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ପୋଲିସ ଅଧିକାରୀ ଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ପୋଲିସର ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ୍‌ରେ ଏକ ବିଲ୍ଡିଂ ଭିତରେ ଗୁଳିଚାଳନା ହେଉଥିବା ଖବର ମିଳିଥିଲା।

ସୂଚନା ପାଇବାର ମାତ୍ର ୩ ମିନିଟ୍‌ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କର ମୃତଦେହ ମିଳିଥିବାବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଘଟଣାରେ ଆହତ ହୋଇଥିବା ୩ ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଦୁଇଜଣଙ୍କ ଦେହରେ ଗୁଳି ବାଜିଥିଲା। ତେବେ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ସ୍ଥାନୀୟ ହସ୍ପିଟାଲକୁ ମୋଟ ୭ ଜଣ ଆହତଙ୍କୁ ନିଆଯାଇଥିଲା, ଯେଉଁଥିରୁ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ସନ୍ଦିଗ୍ଧ ସୁଟରର ମୃତ୍ୟୁ।

ପୋଲିସ କହିଛି ଯେ ସୁଟର ନିହତ ହୋଇଛି, କିନ୍ତୁ ତା’ର ମୃତ୍ୟୁ କିପରି ହେଲା ସେନେଇ ତଦନ୍ତ ଚାଲିଛି। ଏପଟେ ମିନିସୋଟାର ଗଭର୍ଣ୍ଣର ଟିମ୍ ୱାଲଜ୍ ଘଟଣାକୁ ଦୁଃଖଦ ବୋଲି ବର୍ଣ୍ଣନା କରି ସୁରକ୍ଷାକର୍ମୀଙ୍କ ସାହସକୁ ପ୍ରଶଂସା କରିଛନ୍ତି। ଗୁଳିକାଣ୍ଡର ପ୍ରକୃତ କାରଣ ଏବଂ ସୁଟରର ଉଦ୍ଦେଶ୍ୟ କ’ଣ ଥିଲା, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଏହି ରକ୍ତରଞ୍ଜିତ ଘଟଣା ପୁଣିଥରେ ଆମେରିକାରେ ବଢ଼ୁଥିବା ଗନ୍‌ ହିଂସାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button