Rivalry from tradition: ପରମ୍ପରାରୁ ପ୍ରତିଦ୍ବନ୍ଦ୍ବିତା: ବାଟୁଳି ଖୋଲୁଛି ନୂଆ ବାଟ
ଦିନେ ଯେଉଁ ବାଟୁଳି ବା ଗୁଲେର କୁନିକୁନି ପିଲାଙ୍କ ଶୈଶବ ସ୍ମୃତିର ଏକ ଅଭୁଲା ଅଂଶ ଥିଲା, ଆଜି ସେହି ପାରମ୍ପରିକ ଖେଳନା ଓ ସୌଖୀନ ଶସ୍ତ୍ର ଭାରତୀୟ କ୍ରୀଡ଼ା ଜଗତରେ ନିଜ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରୁଛି।

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ଦିନେ ଯେଉଁ ବାଟୁଳି ବା ଗୁଲେର କୁନିକୁନି ପିଲାଙ୍କ ଶୈଶବ ସ୍ମୃତିର ଏକ ଅଭୁଲା ଅଂଶ ଥିଲା, ଆଜି ସେହି ପାରମ୍ପରିକ ଖେଳନା ଓ ସୌଖୀନ ଶସ୍ତ୍ର ଭାରତୀୟ କ୍ରୀଡ଼ା ଜଗତରେ ନିଜ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରୁଛି। ଗାଁ ଗହଳିରେ ଛୋଟବେଳେ ପିଲାମାନଙ୍କ ହାତରେ ଦେଖିବାକୁ ମିଳୁଥିବା ଏହି ବାଟୁଳି ଆଜି ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ାର ରୂପ ନେଇଛି। ଯାହା ଦିନେ ମନୋରଞ୍ଜନର ମାଧ୍ୟମ ଏବଂ ପାରମ୍ପରିକ ଖେଳର ଅଂଶ ଥିଲା, ତାହା ଏବେ ‘ଟାର୍ଗେଟ୍’ରେ ସଠିକ୍ ନିଶାନା, ଏକାଗ୍ରତା, ନିୟନ୍ତ୍ରଣ ଓ ମାନସିକ ଦୃଢ଼ତାର ପରୀକ୍ଷା ଦେଉଛି। କ୍ରମପରିବର୍ତ୍ତନର ସ୍ରୋତରେ ସେହି ବାଟୁଳି, ଫେତି ଅଥବା ଗୁଲେର ଆଜି ‘ସ୍ଲିଙ୍ଗ୍ସଟ୍’ ଭାବେ ଅଧିକ ପରିଚିତ ହୋଇଛି। ଭାରତୀୟ ସୀମା ସରହଦ ପାର ହୋଇ ବିଦେଶ ମାଟିରେ ମଧ୍ୟ ନିଜ ପାଇଁ ନୂଆ ବାଟ ଫିଟାଇ ଚାଲିଛି। ଛୋଟ ‘ଗାର୍ଟେଟ୍’ରୁ ମଧ୍ୟ ବଡ଼ ସ୍ବପ୍ନକୁ ସାକାର କରାଯାଇପାରେ, ତାହା ଶିଖାଇ ଚାଲିଛି।
ଭାରତରେ ବାଟୁଳିକୁ ଅନେକ ସମୟରେ ଶିକାରର ଏକ ସାଜ ଭାବେ ବ୍ୟବହାର କରାଯାଇଥାଏ। ଆଦିବାସୀ ସଂସ୍କୃତିର ଏହା ଏକ ଅଭିନ୍ନ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। କାଳକ୍ରମେ ଏହା ଏବେ ପ୍ରତିଦ୍ବନ୍ଦ୍ବିତାର ରୂପ ନେଇଛି। ଭାରତରେ ଏହାର ସଂଗଠିତ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରୂପ ପାଖାପାଖି ୨୦୦୬ ମସିହାରୁ ଦେଖିବାକୁ ମିଳି ଆସୁଛି। ଗତ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ହେବ ବାଟୁଳି ବା ସ୍ଲିଙ୍ଗସଟ୍ ପ୍ରତିଯୋଗିତା ବିଭିନ୍ନ ରାଜ୍ୟରେ ଆୟୋଜିତ ହୋଇ ଆସୁଛି। ୨୦୧୫ରେ ଔରଙ୍ଗାବାଦରେ ପ୍ରଥମଥର ଏକ ଜାତୀୟସ୍ତରୀୟ ସ୍ଲିଙ୍ଗ୍ସଟ୍ ଚାମ୍ପିଅନସିପ୍ ଆୟୋଜିତ ହୋଇଥିବାର ଦାବି ହୁଏ। ଏହା ପରେ ୨୦୧୬, ୨୦୧୭, ୨୦୧୮ ଓ ୨୦୧୯ରେ ମଧ୍ୟ ଜାତୀୟସ୍ତରୀୟ ଚାମ୍ପିଅନସିପ୍ ଖେଳାଯାଇଥିଲା। ଦୁଇବର୍ଷର ବ୍ୟବଧାନ ପରେ ୨୦୨୧ରୁ ପୁଣି ଏହି ଜାତୀୟ ପ୍ରତିଯୋଗିତା ନିୟମିତ ଭାବେ ଚାଲିଆସୁଛି। ଭାରତରେ ସ୍ଲିଙ୍ଗସଟ୍ର ବିକାଶ ସହିତ ଏହା ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପହଞ୍ଚିଛି। ୨୦୧୮ରେ ଇଟାଲୀର ଗୁଆଲ୍ଡୋ ଟାଡିନୋରେ ପ୍ରଥମ ବିଶ୍ବ ସ୍ଲିଙ୍ଗସଟ୍ ପ୍ରତିଯୋଗିତାର ଆୟୋଜନ ହୋଇଥିଲା।
ପରେ ୨୦୨୪ରେ ଚୀନ୍ର ସାଂଘାଇରେ ଦ୍ୱିତୀୟ ଅନ୍ତର୍ଜାତୀୟ ଚାମ୍ପିଅନସିପ୍ ଆୟୋଜିତ ହୋଇଥିଲା। ଆଜି ଭାରତର ବିଭିନ୍ନ ରାଜ୍ୟରେ ସ୍ଲିଙ୍ଗସଟ୍ ସଂଗଠନ ଗଢ଼ିଉଠିଲାଣି। ଏହି ସଂଘଗୁଡ଼ିକ ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରତିଯୋଗିତା ବି ଆୟୋଜନ କରୁଛନ୍ତି। ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଞ୍ଜାବ, ହରିୟାଣା, ଗୁଜରାଟ, କର୍ଣ୍ଣାଟକ, କେରଳ ସହ ଅନ୍ୟାନ୍ୟ କେତେକ ରାଜ୍ୟରେ ସ୍ଲିଙ୍ଗସଟ୍ ଦ୍ରୁତ ଲୋକପ୍ରିୟତା ଲାଭ କରିଚାଲିଛି। ଏହି ଖେଳର ସବୁଠାରୁ ବଡ଼ ଆକର୍ଷଣ ହେଉଛି, ଏଥିପାଇଁ ମହଙ୍ଗା ଷ୍ଟାଡିୟମ୍ କିମ୍ବା ଆଧୁନିକ କ୍ରୀଡ଼ା ସାମଗ୍ରୀର ଆବଶ୍ୟକ ନାହିଁ। ତେବେ ପ୍ରତିଯୋଗିତାମୂଳକ ସ୍ତରରେ ସୁରକ୍ଷା, ନିର୍ଦ୍ଦିଷ୍ଟ ଟାର୍ଗେଟ୍, ଦୂରତା, ନିୟମ ଓ ପ୍ରଶିକ୍ଷଣ ଅତ୍ୟନ୍ତ ଜରୁରି। ସ୍ଲିଙ୍ଗସଟ୍କୁ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ଭାବେ ଗଢ଼ି ତୋଳିବା ପାଇଁ ବିଶ୍ବ ସ୍ଲିଙ୍ଗସଟ୍ କ୍ରୀଡ଼ା ମହାସଂଘ ଏହାର ନିୟମ ଧାର୍ଯ୍ୟ କରିବା ସହ ଅନ୍ତର୍ଜାତୀୟ କ୍ୟାଲେଣ୍ଡର୍ ପ୍ରକାଶ କରିଛି। ଭବିଷ୍ୟତରେ ଏହାକୁ ଅଲିମ୍ପିକ୍ କ୍ରୀଡ଼ାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଥିବା ମହାସଂଘ କହିଛି।
୧୦ ମିଟରର ଚ୍ୟାଲେଞ୍ଜ
ଆଧୁନିକ ସ୍ଲିଙ୍ଗସଟ୍ରେ ଜଣେ ଖେଳାଳି ଟାର୍ଗେଟ୍ ବୋର୍ଡଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ଠିଆ ହୁଅନ୍ତି। ପ୍ରତିଯୋଗିତାର ଫର୍ମାଟ୍ ଅନୁସାରେ ଏହି ଦୂରତା ୧୦, ୧୫ କିମ୍ବା ୨୦ ମିଟର ହୋଇପାରେ। ଖେଳାଳି ଯେତେବେଳେ ଏଭଳି ଦୂରତାରୁ ଛୋଟ ଟାର୍ଗେଟ୍କୁ ଲକ୍ଷ୍ୟଭେଦ କରନ୍ତି, ସେତେବେଳେ ତାଙ୍କର ଏକାଗ୍ରତାର ପ୍ରକୃତ ପରୀକ୍ଷା ଆରମ୍ଭ ହୁଏ। ହାତର ସାମାନ୍ୟ ଭୁଲ୍ ମଧ୍ୟ ସ୍କୋରରେ ବଡ଼ ପ୍ରଭାବ ପକାଇପାରେ।
ଟାର୍ଗେଟ୍ ବୋର୍ଡରେ ୫ ଲକ୍ଷ୍ୟ
ଖେଳାଳିଙ୍କ ସାମ୍ନାରେ ଥିବା ଟାର୍ଗେଟ୍ରେ ୫ଟି ଗୋଲାକାର ଲକ୍ଷ୍ୟ ରହେ। ଲକ୍ଷ୍ୟ ଯେତେ ଛୋଟ, ତାହାକୁ ଭେଦ ବା ନକ୍ଡାଉନ୍ କରିବା ସେତେ କଷ୍ଟକର। କିନ୍ତୁ ସଫଳ ହେଲେ ପଏଣ୍ଟ୍ ମଧ୍ୟ ସେତେ ଅଧିକ। ଉଦାହରଣ ସ୍ବରୂପ ୮ ସେଣ୍ଟିମିଟର ଟାର୍ଗେଟ୍ରେ ୨ ପଏଣ୍ଟ୍, ୭ ସେଣ୍ଟିମିଟର ଟାର୍ଗେଟ୍ରେ ୪ ପଏଣ୍ଟ୍, ୬ ସେଣ୍ଟିମିଟର ଟାର୍ଗେଟ୍ରେ ୬ ପଏଣ୍ଟ୍, ୫ ସେଣ୍ଟିମିଟର ଟାର୍ଗେଟ୍ରେ ୮ ପଏଣ୍ଟ୍ ଏବଂ ୪ ସେଣ୍ଟିମିଟର ଟାର୍ଗେଟ୍ରେ ପ୍ରାୟତଃ ୧୦ ପଏଣ୍ଟ୍ ମିଳିଥାଏ। ଅର୍ଥାତ୍ ସବୁଠାରୁ ଛୋଟ ୪ ସେଣ୍ଟିମିଟର ଟାର୍ଗେଟ୍କୁ ଠିକ୍ ଭାବେ ନକ୍ ଲକ୍ଷ୍ୟଭେଦ କରିପାରିଲେ ଖେଳାଳିଙ୍କୁ ମିଳେ ସର୍ବାଧିକ ୧୦ ପଏଣ୍ଟ୍।
ପ୍ରତ୍ୟେକ ସଟ୍ ହେଉଛି ନୂଆ ସୁଯୋଗ
ପ୍ରିସିସନ୍, କ୍ଲାସିକ୍ ଓ ଫାର୍ମଲେସ୍ ଭଳି ଫର୍ମାଟ୍ର ସ୍ଲିଙ୍ଗସଟ୍ରେ ଗୋଟିଏ ରାଉଣ୍ଡରେ ସାଧାରଣତଃ ୫ଟି ସଟ୍ ଦିଆଯାଏ। ପ୍ରତ୍ୟେକ ସଟ୍ରେ ଖେଳାଳି ଗୋଟିଏ ପେଲେଟ୍ ବା ଗୋଳା ବ୍ୟବହାର କରନ୍ତି। ଏହି ଗୋଳାକୁ ଆମୋ ଷ୍ଟିଲ୍ ବଲ୍ ବି କୁହାଯାଇଥାଏ। ଯଦି ଜଣେ ଖେଳାଳି ୫ଟି ଟାର୍ଗେଟ୍କୁ ସଠିକ୍ ଭାବରେ ନକ୍ଡାଉନ୍ କରନ୍ତି, ତେବେ ସେ ମୋଟ ୩୦ ପଏଣ୍ଟ୍ ପାଇପାରନ୍ତି। ତେଣୁ ଗୋଟିଏ ରାଉଣ୍ଡର ସର୍ବାଧିକ ସ୍କୋର ୩୦ ପଏଣ୍ଟ୍ ମିଳିବାର ସୁଯୋଗ ରହିଥାଏ। ଗୋଟିଏ ରାଉଣ୍ଡକୁ ସାଧାରଣତଃ ୨ ମିନିଟ୍ ୩୦ ସେକେଣ୍ଡ୍ ମଧ୍ୟରେ ଶେଷ କରିବାକୁ ପଡ଼େ।
ସୌଜନ୍ୟ ସମ୍ବାଦ



