ସମାଲୋଚନା ଭୟ: ଜେନ୍-ଜି ହରାଉଛନ୍ତି କ୍ୟାରିୟର ସୁଯୋଗ

ମୁମ୍ବାଇ, ୩ା୯: ଲୋକେ କ’ଣ ଭାବିବେ’ ବା ସମାଲୋଚନା ହେବାର ଭୟ ଯୋଗୁ ନୂଆପିଢ଼ିର ‘ଜେନ୍-ଜି’ ପେସାଦାରମାନେ ନେଟୱର୍କିଂ କରିବାରୁ ଓ କ୍ୟାରିୟରରେ ସହାୟକ ହୋଇପାରୁଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରିବାରୁ ଓହରିଯାଉଛନ୍ତି। ଏହି କାରଣରୁ ସେମାନେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ୟାରିୟର ସୁଯୋଗ ହରାଉଛନ୍ତି ବୋଲି ପ୍ରସିଦ୍ଧ ପେସାଦାର ନେଟ୍ୱର୍କିଂ ପ୍ଲାଟ୍ଫର୍ମ ‘ଲିଙ୍କଡ୍ଇନ୍’ର ଏକ ରିପୋର୍ଟରୁ ପ୍ରକାଶ ପାଇଛି।
ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତର ୮୩% ଜେନ୍-ଜି ପେସାଦାର ସବୁବେଳେ ଅନ୍ଲାଇନ୍ରେ ସକ୍ରିୟ ରହୁଥିଲେ ହେଁ, ନିଜ କ୍ୟାରିୟରରେ ସାହାଯ୍ୟ କରିପାରୁଥିବା ଅଭିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା ବା ଯୋଗାଯୋଗ କରିବାକୁ ସଙ୍କୋଚବୋଧ କରୁଛନ୍ତି। ଏହାର ମୁଖ୍ୟ କାରଣ ମଧ୍ୟରେ ଲୋକଙ୍କ ସମାଲୋଚନାର ଭୟ ୪୪ ପ୍ରତିଶତ, ଅନ୍ୟକୁ ବିରକ୍ତ କରିବାର ଚିନ୍ତା ୩୯ ପ୍ରତିଶତ ଓ କଥାବାର୍ତ୍ତାରେ ଆନ୍ତରିକତା ନ ଥାଇପାରେ ବୋଲି ଆଶଙ୍କା ୩୭ ପ୍ରତିଶତ ଜେନ୍-ଜିଙ୍କୁ ଘାରୁଛି। ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ, ୭୯ ପ୍ରତିଶତ ଭାରତୀୟ ଜେନ୍-ଜି ସମ୍ପର୍କ ଓ ନେଟ୍ୱର୍କିଂର ମହତ୍ତ୍ୱ ବୁଝୁଥିଲେ ବି, ୫୨ ପ୍ରତିଶତ ପେସାଦାର ନେଟ୍ୱର୍କିଂ କିପରି ଆରମ୍ଭ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଅନ୍ୟପଟେ ୫୯ ପ୍ରତିଶତଙ୍କ କହିବା ଅନୁଯାୟୀ, ସେମାନଙ୍କୁ ପେସାଦାର ସମ୍ପର୍କ ଗଢ଼ିବା ନେଇ କେହି ଠିକ ମାର୍ଗଦର୍ଶନ ଦେଇନାହାନ୍ତି।
ଲିଙ୍କଡ୍ଇନ୍ ତଥ୍ୟ ଅନୁଯାୟୀ, କୌଣସି ସଂସ୍ଥା ଭିତରେ ପୂର୍ବରୁ ସମ୍ପର୍କ ବା କନେକ୍ସନ ଥିବା ଆବେଦନକାରୀଙ୍କ ଚାକିରି ପାଇବାର ସମ୍ଭାବନା ଅନ୍ୟମାନଙ୍କ ତୁଳନାରେ ୮.୫ ଗୁଣା ଅଧିକ। ଅନ୍ୟପଟେ ନୂଆ ପିଢ଼ି କଥା ହେବାକୁ ଭୟ କରୁଥିବା ବେଳେ ବରିଷ୍ଠ ପିଢ଼ିର ‘ମିଲେନିଆଲ୍ସ’ (୯୨%) ଏବଂ ‘ଜେନ୍-ଏକ୍ସ’ (୯୫%) ପେସାଦାରମାନେ କହିଛନ୍ତି, ସେମାନେ କ୍ୟାରିୟରର ଆରମ୍ଭରେ ଥିବା ଯେକୌଣସି ନୂଆ ପେସାଦାରଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ, ଏପରିକି ଚିହ୍ନା ପରିଚୟ ନ ଥିଲେ ମଧ୍ୟ।
ଲିଙ୍କଡ୍ଇନ୍ର କ୍ୟାରିୟର ବିଶେଷଜ୍ଞ ତଥା ଇଣ୍ଡିଆ ସିନିୟର ମ୍ୟାନେଜିଂ ଏଡିଟର ନୀରଜିତା ବାନାର୍ଜୀ କହିଛନ୍ତି, ‘କ୍ୟାରିୟର ପାଥ ଏବେ ବଦଳୁଛି, ତେଣୁ ଦକ୍ଷତା ହାସଲ କରିବା ଯେତିକି ଜରୁରୀ, ସାରଗର୍ଭକ ସମ୍ପର୍କ ସ୍ଥାପନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଛୋଟ ଛୋଟ ବାର୍ତ୍ତାଳାପ ମାଧ୍ୟମରେ ସ୍ବାଭାବିକ ଭାବେ ବିଶ୍ୱାସ ଓ ସମ୍ପର୍କ ଗଢ଼ିହେବ। ସୂଚନାଯୋଗ୍ୟ, ଲିଙ୍କଡ୍ଇନ୍ ପକ୍ଷରୁ ‘ସେନ୍ସସ୍ୱାଇଡ’ ମାଧ୍ୟମରେ ୨୦୨୬ ଜୁଲାଇ ୨୦ରୁ ଅଗଷ୍ଟ ୧୧ ମଧ୍ୟରେ ଭାରତ, ଆମେରିକା, ବ୍ରିଟେନ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ୟୁଏଇ ଭଳି ବିଭିନ୍ନ ଦେଶର ୧୮,୦୫୦ ଜଣ କର୍ମଜୀବୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।
ସୌଜନ୍ୟ ସମାଜ




