ରାଜ୍ୟ

Odisha Landslide Risk: ଓଡ଼ିଶାକୁ ଭୂସ୍ଖଳନ ବିପଦ: ଦକ୍ଷିଣ ଓଡ଼ିଶା ବେଶି ସମ୍ବେଦନଶୀଳ, ଗଜପତି ଜିଲ୍ଲାରେ ୧୩୯ ସ୍ଥାନ ଚିହ୍ନଟ

ଭୁବନେଶ୍ୱର ୦୩/୦୯: ୨୦୧୮ ଅକ୍ଟୋବର ୧୧ । ତିତ୍‌ଲି ବାତ୍ୟା ପ୍ରକୋପରେ ପ୍ରଥମ ଥର ପାଇଁ ଭୟାନକ ଭୂସ୍ଖଳନ ସାମ୍ନା କଲା ଓଡ଼ିଶା । ଗଜପତି ଜିଲ୍ଲାରେ ମାଟି ଅତଡ଼ା ସହ କାଦୁଅ ଏମିତି ଧସିଲା, ୪୯ ଜୀବନ ଚାଲିଗଲା । ଜିଲ୍ଲାର ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ବାରଘର ଗାଁରେ ହିଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସେପ୍ଟେମ୍ବର ୧୬, ୨୦୨୫ । କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ବଡ଼ ଧରଣର ଭୂସ୍ଖଳନ । ଏତେ ବଡ଼ ପଥର ଆଗରୁ କେବେ ଧସିନଥିଲା । ଦୀର୍ଘ ମାସ ଧରି ରାସ୍ତା ବନ୍ଦ ରହିଲା । ଏବେ ବି ଫାଳେ ରାସ୍ତାରେ ଦି’ ପଟୁ ଗାଡ଼ିମୋଟର ଯା’ ଆସ କରୁଛି ।

୨୦୨୨ରେ ଦାରିଙ୍ଗିବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦରେ ଭୂସ୍ଖଳନ ଯୋଗୁ ୯୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗତ ଅଗଷ୍ଟ ୯ ତାରିଖରେ ବି ସେଇ ଅଞ୍ଚଳରେ ମାଟି ଧସିବାରୁ ୪ଟି ପରିବାରକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା । ଏସବୁ ଘଟଣା ସୂଚାଇ ଦେଉଛି, ବନ୍ୟା, ବାତ୍ୟା ପ୍ରବଣ ଓଡ଼ିଶା ବି ଭୂସ୍ଖଳନ ବିପଦରୁ ମୁକ୍ତ ନୁହେଁ । ନେପାଳରେ ଯେଉଁଭଳି ଭୟାନକ ସ୍ଥିତି ଦେଖିବାକୁ ମିଳିଲା, ତା’ପରଠାରୁ ପ୍ରକୃତିର କରାଳ ରୂପକୁ ନେଇ ଡର ବଢ଼ିଛି । ବିଶେଷଜ୍ଞଙ୍କ ମତରେ, ଭୌଗଳିକ ସ୍ଥିତି କାରଣରୁ ଦକ୍ଷିଣ ଓଡ଼ିଶାକୁ ଭୂସ୍ଖଳନ ବିପଦ ବେଶି ।

ଦିନକୁ ଦିନ ପ୍ରକୃତି ଦେଖାଉଛି କରାଳ ରୂପ । ଅଚାନକ ବାଦଲ ଫଟା ବର୍ଷା କେତେବେଳେ କିଛି ବି କରିପାରେ । ଏମିତିରେ ପାହାଡ଼ ଧସିବା, ମାଟି ଅତଡ଼ା ଖସିବା ଭୟ ବଢ଼ୁଛି । ତିତଲି ବାତ୍ୟା ସମୟରେ ଗଜପତିରେ ଯାହା ଘଟିଥିଲା, ତା’ଠାରୁ ଯେ ବଡ଼ ବିପତ୍ତି ଆସିବନି, କିଏ କହିବ । ବେଳକୁ ବେଳ ପାହାଡ଼ ଯେଉଁଭଳି ଲଣ୍ଡା ହେଉଛି, ଏ ବିପଦ ବଢ଼ିବାରେ ଲାଗିଛି । ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବିଶ୍ୱସ୍ତରୀୟ ମଡେଲ୍ ଛିଡ଼ା କରିପାରିଛି । କିନ୍ତୁ, ଭୂସ୍ଖଳନଜନିତ କ୍ଷୟକ୍ଷତିରୁ ବର୍ତ୍ତିବା ନେଇ ଏଯାଏ କିଛି ଯୋଜନା ହୋଇନି । ତାମିଲନାଡ଼ୁ କୋଏମ୍ବାଟୁରସ୍ଥିତ ଅମ୍ରିତା ବିଶ୍ୱ ବିଦ୍ୟାପୀଠ ସହ ମିଶି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ଓ ଗବେଷଣା କେବଳ କଥାରେ ଅଟକିଛି । ଏପରିକି ଆଗୁଆ ସତର୍କ ସୂଚନା ଜାରି ପାଇଁ ସେନସରଭିତ୍ତିକ ୱାର୍ଣ୍ଣିଂ ସିଷ୍ଟମ ବି ଏଯାଏ ଲାଗିପାରିଲାନି । ସଚେତନତା ବି ଶୂନ । ନେପାଳରେ ଆସିଥିବା ବିପର୍ଯ୍ୟୟ ସମୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସଡମା)ର ଏକ ଟିମ୍ ସିକିମ ଗସ୍ତ କରି ଗାଙ୍ଗଟକ୍‌ରେ ବୈଷୟିକ ଜ୍ଞାନ ନେଉଥିଲେ ।

ସିକିମ ମଡେଲ୍ ଅନୁଧ୍ୟାନ କରି ଏହି ଟିମ୍ ଫେରିଛନ୍ତି । କିନ୍ତୁ, ଓଡ଼ିଶାରେ କ’ଣ କରାଯିବ, ସେଥିନେଇ କିଛି ଠୋସ୍ ଏଜେଣ୍ଡା ନାହିଁ । କର୍ତ୍ତୃପକ୍ଷ କହୁଛନ୍ତି, ବ୍ୟାପକ ଗଛ ପଦା ହେଉଥିବା ପାହାଡ଼ରେ ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ । ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହେବ । ବ୍ୟାପକ ଜନସଚେତନତା କରାଯିବ । ବିଶେଷଜ୍ଞ କହନ୍ତି, ଭୂସ୍ଖଳନ ପ୍ରବଣ ତାଲିକାରେ ଗଜପତି, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ରହିଛି । ଏହାବାଦ୍ ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, ବୌଦ୍ଧରେ ବି ମାଟି ଅତଡ଼ା ଧସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଗଜପତି ଜିଲ୍ଲାର ୧୩୯ଟି ସ୍ଥାନ ଭୂସ୍ଖଳନ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଜିଲ୍ଲାର ଆର୍.ଉଦୟଗିରି, ବୁଡ଼ିଶୀଳ ଘାଟି, ମାର୍ଲବା ଘାଟି, ମଣ୍ଡଳସାହି ରାଶିବାଡ଼ ଘାଟି ତଳ ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button