Ganja Racket: ଅନ୍ଲାଇନ୍ରେ ଗଞ୍ଜେଇ ଡିଲ୍, ବଲାଙ୍ଗିରରେ ଧରାପଡ଼ିଲା ସିଣ୍ଡିକେଟ୍, ୧୧୩ କେଜି ଗଞ୍ଜେଇ ଓ ୨ କାର ଜବତ, ୭ ଗିରଫ

ବଲାଙ୍ଗିର, ୦୩/୦୮: ସହଜ, ମନପସନ୍ଦ ଏବଂ ସୁବିଧାଜନକ ସପିଂ ପାଇଁ ଇ-କମର୍ସ ପ୍ଲାଟଫର୍ମର ଢେର୍ ଚାହିଦା । ଏହା ଯାଞ୍ଚମୁକ୍ତ ହୋଇଥିବାରୁ ଗଞ୍ଜେଇ ବେପାରୀଙ୍କ ପାଇଁ ଏହା ଏବେ ସହଜ ବ୍ୟବସାୟର ବାଟ ପାଲଟିଛି । ବଲାଙ୍ଗିର ପୁଲିସ୍ ଏଭଳି ଏକ ନିଶା ସିଣ୍ଡିକେଟ୍ର ପର୍ଦ୍ଦାଫାସ କରିବା ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ ।
ଅନ୍ଲାଇନ୍ରେ ସମ୍ବଲପୁରୀ ଶାଢ଼ି ଏବଂ ଘରକରଣା ସାମଗ୍ରୀ ବିକ୍ରି ପାଇଁ ଅଭିଯୁକ୍ତ ଖୋଲିଥିଲେ ‘ସମ୍ବଲପୁରୀ ଶାଢ଼ି ସେଲର’ ନାମକ ଏକ ପ୍ଲାଟଫର୍ମ । ଏହା ମାଧ୍ୟମରେ ପାର୍ସଲରେ ଗଞ୍ଜେଇ ପଠାଉଥିଲେ । ସିଣ୍ଡିକେଟ୍ ଚେର କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଆରମ୍ଭ ହୋଇ ଦିଲ୍ଲୀ ଗାଜିଆବାଦ ପର୍ଯ୍ୟନ୍ତ ଲମ୍ବିଛି ଯେଉଁଥିରେ ବଲାଙ୍ଗିର ଥିଲା ଟ୍ରାନ୍ଜିଟ୍ ହବ୍ । ଏହି ମାମଲାରେ ପୁଲିସ୍ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୧୩ କେଜି ଗଞ୍ଜେଇ ଓ ଦୁଇଟି କାର ଜବତ କରିଛି । ପାର୍ସଲ ଯାଞ୍ଚ ବ୍ୟବସ୍ଥାରେ ଥିବା ସମସ୍ୟା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ଗଞ୍ଜେଇ ଚାଲାଣ ହେଉଛି । ଏହାକୁ ରୋକିବାକୁ ସମ୍ପୃକ୍ତ ଇ-କମର୍ସ ପ୍ଲାଟ୍ଫର୍ମର ରାଜ୍ୟ ମୁଖ୍ୟଙ୍କୁ ତାଗିଦ୍ କରାଯାଇଥିବା ଏସ୍ପି ଅଭିଳାଷ ଜି କହିଛନ୍ତି ।
ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ବିଶ୍ୱ ବଜାରରେ ନିଜ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ଦେଉଛି । କୌଣସି ବ୍ୟବସାୟୀ ସେଠାରେ ନିଜ ଆକାଉଣ୍ଟ ଖୋଲି ସାମଗ୍ରୀ ବିକ୍ରି କରିପାରିବ । ଏହାକୁ ନିଶା ଚାଲାଣର ସୁରକ୍ଷିତ ବାଟ କରିଥିଲେ ମାଫିଆ । ଏଭଳି ଅନ୍ଲାଇନ୍ ନିଶା କାରବାର ସମ୍ପର୍କରେ ପୁଲିସକୁ ଖବର ମିଳିଥିଲା । ହେଲେ ସବୁ ଅର୍ଡର ଅନ୍ଲାଇନ ଏବଂ ଇ-କମର୍ସରେ ଚାଲୁଥିବାରୁ ଚିହ୍ନଟ ସହଜ ନ ଥିଲା । ଗୁଇନ୍ଦା ସୂଚନା ଆଧାରରେ ପୁଲିସ୍ ସମ୍ପୃକ୍ତ ସମ୍ବଲପୁରୀ ଶାଢ଼ି ନାମକ ଇ-କମର୍ସ ପ୍ଲାଟଫର୍ମ କମ୍ପାନିକୁ ସ୍କାନରକୁ ନେଇଥିଲା। ତାହାର ସମସ୍ତ ପରିଚାଳନା ଟିମ, ଅର୍ଡର, ଡେଲିଭରି ନେଟୱର୍କ, ସାମଗ୍ରୀ ତଥ୍ୟ ଏବଂ ସମସ୍ତ ଦେଣନେଣ ଯାଞ୍ଚ ପରେ ସତ୍ୟ ପଦାକୁ ଆସିଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ନିଶା କାରବାରର ଗୁମର ଖୋଲିଥିଲା । ସେମାନେ ସ୍ୱତନ୍ତ୍ର ବାରକୋଡ୍ ପ୍ରସ୍ତୁତ କରି ଗଞ୍ଜେଇ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା ।
ସୌଜନ୍ୟ ପ୍ରମେୟ




