ରାଜ୍ୟ

Janmashtami News : ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, କମାର ସେବକ ଦେଲେ ବେଡ଼ି, ଶାମୁକା ଓ ଛୁରି

ପୁରୀ, ୦୩/୦୯: ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ । ବଡ଼ଦେଉଳ ପରମ୍ପରା ଅନୁସାରେ ପାଳନ ହେବ ଜନ୍ମାଷ୍ଟମୀ ନୀତି । ଗୁରୁବାର ଶ୍ରୀକୃଷ୍ଣଙ୍କ ଜନ୍ମର ପୂର୍ବ ବିଧି ଅନୁଷ୍ଠିତ ହେବ । ଶ୍ରୀଜଗନ୍ନାଥ ମା’ଦେବକୀ ଭାବେ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେବେ । ଏଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେଉଟ ଭୋଗ ଲାଗି କରାଯିବ । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଠାକୁରଙ୍କୁ ଏହି ଭୋଗ ଲାଗି କରାଯାଏ । ଏଥିସହ ଠାକୁରଙ୍କ ଗର୍ଭଉଦକ ବନ୍ଦାପନା ନୀତି ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ପାଇଁ ପ୍ରସ୍ତୁତ ହୋଇଛି ଦୁଇଟି ଲେଖାଏଁ ବେଡ଼ି, ଶାମୁକା ଓ ଛୁରି । ବଡ଼ଠାକୁରଙ୍କ ମୁଖ୍ୟ କମାର ସେବକ ଜଗନ୍ନାଥ ମହାରଣା ଏସବୁକୁ ଶୁଦ୍ଧପୂତ ଭାବେ ତିଆରିଛନ୍ତି । ନିଜ ଘରେ ଥିବା ଶାଳରେ ସାମଗ୍ରୀ ସବୁ ତିଆରି କରାଯାଇଛି । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ବିଧି ପାଳନରେ ଏସବୁ ଲୌହ ସାମଗ୍ରୀ ଆବଶ୍ୟକ ହେବ । ବସୁଦେବଙ୍କ ଗୋଡ଼ରେ ବେଡ଼ି ପଡ଼ିବ। ଛୁରି ଓ ଶାମୁକା ଜନ୍ମ ବିଧିରେ ବ୍ୟବହାର ହେବ । ଜନ୍ମାଷ୍ଟମୀ ପୂର୍ବରୁ ଉକ୍ତ ସାମଗ୍ରୀ ସବୁ ଶ୍ରୀମନ୍ଦିର ପ୍ରଶାସନ ଜିମା ଦିଆଯିବ । ବଂଶାନୁକ୍ରମିକ ଭାବେ ଏହି ସେବା କରାଯାଉଥିବା କହିଛନ୍ତି ଶ୍ରୀ ମହାରଣା ।

୪ ତାରିଖ ଶୁକ୍ରବାର ଜନ୍ମାଷ୍ଟମୀ ପରକୁ ଅର୍ଥାତ୍ ୫ ତାରିଖ ନନ୍ଦୋତ୍ସବରୁ ଚାଲିବ ଶ୍ରୀକୃଷ୍ଣ ଲୀଳା । ୬ତାରିଖ ରବିବାରରେ ବନ ଭୋଜି ଠାରୁ କୋଳି ବିକା ଓ ବକା ସୁର, ଅର୍ଘାସୁର ବଧ ଆଦି ନୀତି ରହିଛି । ୭ରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ, ୮ ତାରିଖ ମଙ୍ଗଳବାର ପ୍ରଳମ୍ବାସୁର ବଧ ଓ ବେଶ ପ୍ରସ୍ତାବ, ୯ତାରିଖ ବୁଧବାର କୃଷ୍ଣ ବଳରାମ ବେଶ ଓ ଅନ୍ନପ୍ରଥା ପ୍ରସ୍ତାବ, ୧୨ ତାରିଖ ଶନିବାର ଦାବାଗ୍ନୀ ଲାୀଳା, ୧୩ ତାରିଖ ରବିବାର ନିକୁଞ୍ଜ ଲୀଳା, ୧୫ ତାରିଖ ମଙ୍ଗଳବାର ଅନ୍ଧଳୀଳା ପ୍ରସ୍ତାବ, ୧୬ ତାରିଖ ବୁଧବାର ଦାହଲୀଳା, ୧୭ ତାରିଖ ଗୁରୁବାର ବିମ୍ବାସୁର ବଧ, ୧୮ ତାରିଖ ଶୁକ୍ରବାର କେକେସୀ ବଧ ଓ ବସ୍ତ୍ରହରଣ, ୨୧ ତାରିଖ ସୋମବାର ମଥୁରା ହାଟ ସହ କଂସ ବଧ ଆଦି ନୀତି ହୋଇ ୨୬ରେ ଇନ୍ଦ୍ରହାତୀ ନୀତି ପ୍ରସ୍ତାବ ହେବ ବୋଲି ପ୍ରାରମ୍ଭିକ ସୂଚନା ରହିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button