ପିଜି ହଷ୍ଟେଲ କୋଠା ଭୁଶୁଡ଼ି ଚାଲିଗଲା ୬ ଜୀବନ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଆବାସ (ପିଜି) କୋଠା ଭୁଶୁଡି ପଡ଼ିବାରୁ ଏ ଯାଏଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନେକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଥିବାବେଳେ ଭଗ୍ନାବଶେଷ ମଧ୍ୟରେ ପ୍ରାୟ ୪୦ରୁ ୫୦ ଛାତ୍ର ଫସି ରହିଥିବା ଆଶଙ୍କା କରାଯାଇଛି। ଆହତ ଛାତ୍ରଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ ରବିବାର ଅପରାହ୍ଣରେ ହଷ୍ଟେଲ୍ ଡେଜ୍ର ୬ମହଲା କୋଠାଟି ଭୁଶୁଡି ପଡ଼ିଥିଲା। ଏହି ହଷ୍ଟେଲଟି ଛାତ୍ରଙ୍କୁ ପେଇଙ୍ଗ ଗେଷ୍ଟ (ପିଜି) ସୁବିଧା ପ୍ରଦାନ କରିଆସୁଥିଲା। ଏହି ହଷ୍ଟେଲଟି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ ନିକଟରେ ଥିବାରୁ ଏଠାରେ ମୋତିଲାଲ ନେହେରୁ କଲେଜ୍, ଆତ୍ମାରାମ ସନାତନ ଧର୍ମ କଲେଜ ଓ ଭେଙ୍କଟେଶ୍ୱର କଲେଜ୍ ଆଦିର ବହୁ ଛାତ୍ର ରହୁଥିଲେ। ହଷ୍ଟେଲରେ ପ୍ରାୟ ୧୨୦୦ ଶଯ୍ୟା ରହିଥିଲା। ଏଠାରେ ରହୁଥିବା ଅଧିକାଂଶ ପିଲା କେରଳମ୍, ହରିୟାଣା ଓ ଉତ୍ତରପ୍ରଦେଶର ବାସିନ୍ଦା। କୋଠାଟି ପ୍ରାୟ ୪୦ବର୍ଷର ପୁରୁଣା। ଫସି ରହିଥିବା ପିଲାଙ୍କୁ ଉଦ୍ଧାର ପାଇଁ ଏନ୍ଡିଆର୍ଏଫ୍, ଦିଲ୍ଲୀ ଅଗ୍ନିଶମ ବାହିନୀ, ସିଭିଲ ଡିଫେନ୍ସ ବାହିନୀ, ଦିଲ୍ଲୀ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି। ଅମ୍ଳଜାନ ସିଲିଣ୍ଡର ସାହାଯ୍ୟରେ ଭଗ୍ନାବଶେଷ ତଳେ ଥିବା ଲୋକଙ୍କ ନିକଟକୁ ଅମ୍ଳଜାନ ପହଞ୍ଚାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କୋଠାର ବେସମେଣ୍ଟରେ ମରାମତି କାମ ଚାଲିଥିବା ସମୟରେ ଅପରାହ୍ଣ ପ୍ରାୟ ୧:୩୦ ଟାରେ ଏହି ଦୁର୍ଘଟଣା ଘଟିଥିଲା। ଦିଲ୍ଲୀ ପୁଲିସ ଏହି ଘଟଣାରେ ହଷ୍ଟେଲ ମାଲିକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଉପରାଜ୍ୟପାଳ ତରଣଜିତ୍ ସିଂହ ସାନ୍ଧୁ, ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରା ପ୍ରମୁଖ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଘଟଣା ପରେ ଆଖାପାଖ କୋଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଗୁପ୍ତା ଏହି ଘଟଣାରେ ଶୋକ ପ୍ରକାଶ କରିବା ସହିତ ଭଗ୍ନାବଶେଷ ତଳେ ଫସି ରହିଥିବା ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଉପରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏମ୍ସ ଯାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।
ଉପରାଜ୍ୟପାଳ ସାନ୍ଧୁ ଦିଲ୍ଲୀ ପୁଲିସ, ଅଗ୍ନିଶମ ବାହିନୀ, ଡିଡିଏମ୍ଏ ଓ ଅନ୍ୟ ଉଦ୍ଧାରକାରୀ ଏଜେନ୍ସିଗୁଡିକୁ ସୁସମନ୍ବୟ ପୂର୍ବକ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ସମସ୍ତ ପିଲାଙ୍କ ସୁରକ୍ଷା ଓ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୋଆରେ ବିଜେପିର ନୂଆ କାର୍ଯ୍ୟାଳୟ ଉଦ୍ଘାଟନ କାର୍ଯ୍ୟକ୍ରମକୁ କାଟଛାଣ୍ଟ କରି ଦିଲ୍ଲୀ ଫେରିଆସିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସ ନିର୍ଦେଶକ ଓ କେନ୍ଦ୍ର ସରକାରୀ ହସ୍ପିଟାଲଗୁଡିକୁ ଆହତ ଛାତ୍ରଙ୍କୁ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ତେବେ ଏହି ଘଟଣାକୁ ନେଇ ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ମଧ୍ୟ ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରତ୍ୟେକ ଛାତ୍ରଙ୍କ ଜୀବନ ମୂଲ୍ୟବାନ। ଯେକୌଣସି ପରିସ୍ଥିତିରେ ମଧ୍ୟ ସେମାନଙ୍କ ନିରାପଦ ନିଶ୍ଚିତ ହେବା ଦରକାର। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ତେବେ ଏହା ଏଡାଯିବା ଭଳି ଘଟଣା। ଦିଲ୍ଳୀର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ନଥିବାରୁ ପିଲାମାନେ ବାଧ୍ୟ ହୋଇ ଭିଡରେ ପିଜି ଆବାସରେ ରହିବାକୁ ବାଧ୍ୟ ହେଉଛନ୍ତି। ଆଜିର ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ମ୍ୟୁନିସିପାଲ କର୍ପୋରେସନ ଅଫ୍ ଦିଲ୍ଲୀ (ଏମସିଡି) କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଚନ୍ତି। ସେମାନେ ଏମସିଡି କମିସନରଙ୍କ ଇସ୍ତଫା ଦାବି କରିଛନ୍ତି।
ସୌଜନ୍ୟ ସମାଜ




