ବାପାକୁ ବାଏ-ବାଏ କହି ଚାଲିଗଲା ଝିଅ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଡୋଡା ଜିଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଦୁଃଖଦ ଘଟଣା ଘଟିଛି। ପାୟଲ ଦେବୀ ନାମକ ଜଣେ ୨୧ ବର୍ଷୀୟା ଯୁବତୀ ଚେନାବ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଶନିବାର ଅପରାହ୍ଣ ପ୍ରାୟ ୨ଟାରେ ଆତ୍ମହତ୍ୟା କରିବା ପୂର୍ବରୁ ପାୟଲ ତା’ ବାପାଙ୍କୁ ଫୋନ୍ କରି ‘ବାଏ-ବାଏ ପାପା’ କହିଥିଲେ। ନଦୀକୁ ଡେଇଁବା ପୂର୍ବରୁ ପାୟଲଙ୍କ ବାପା (କୃଷ୍ଣ ଲାଲ୍) ଫୋନ୍ରେ ଝିଅକୁ ବୁଝାଇବାକୁ ଚେଷ୍ଟା କରିଥିଲେ ଓ କୌଣସି ଅସୁବିଧା ହୋଇଛି କି ନାହିଁ ପଚାରିଥିଲେ। କିନ୍ତୁ ପାୟଲ କହିଥିଲା ‘ମୋ ନିକଟକୁ କେହି ଆସନ୍ତୁ ନାହିଁ… ଏହା ମୋର ନିଜ ଜୀବନ, ମୋ ମନ ଯାହା କହୁଛି ମୁଁ ତାହା କରୁଛି।’ ଏତିକି କହି ସେ ‘ବାଏ-ବାଏ ପାପା’ କହି ଫୋନ୍ କାଟି ଦେଇଥିଲେ। ପ୍ରେମ୍ ନଗର ନିକଟସ୍ଥ ‘ଶିବ ଦାଲ୍’ ପୋଲ ଉପରୁ ସେ ଚେନାବ ନଦୀର ପ୍ରଖର ସ୍ରୋତକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ ତାଙ୍କୁ ଡେଇଁବାରୁ ବାରଣ କରିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ପୁଲିସ, ଏସ୍ଡିଆରଏଫ୍ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ନଦୀରେ ବ୍ୟାପକ ଉଦ୍ଧାର କରାଯାଇଥିଲେ ମଧ୍ୟ ନଦୀର ପ୍ରଖର ସ୍ରୋତ ଯୋଗୁଁ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। କୃଷ୍ଣ ଲାଲଙ୍କ କହିବା ଅନୁଯାୟୀ ଝିଅ ପ୍ରଥମେ ଏକ ମେଳାକୁ ବୁଲିବାକୁ ଯାଇଥିଲା। ପରେ ସେ କହିଥିଲା ଯେ ତାକୁ ଅସୁସ୍ଥ ଅନୁଭବ ହେଉଛି ତେଣୁ ଡାକ୍ତରଙ୍କୁ ଦେଖା କରିବାକୁ ସେ ଘର ବାହାରକୁ ଯାଇଥିଲା। ତେବେ ଡାକ୍ତର ସହ ସାକ୍ଷାତ୍ ନହେବାରୁ ସେ ଘରକୁ ଫେରୁଥିବା ନେଇ ଫୋନ କରି ଜଣାଇଥିଲା। ଘରକୁ ଫେରିବା ବାଟରେ ସେ ଆତ୍ମହତ୍ୟା କରିଥିଲା। ପୁଲିସ ଏହାର ତଦନ୍ତ କରୁଛି।
ସୌଜନ୍ୟ ସମାଜ




