ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିକୁ ପଞ୍ଜାବ ସରକାରଙ୍କ ବିରୋଧ

ଅମୃତସର: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତିି ଅଶ୍ବିନୀ କୁମାର ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ପୁଣିଥରେ ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ମୁହାଁମୁହିଁ ହୋଇଛନ୍ତି। ଆପ୍ ଏହି ନିଯୁକ୍ତିକୁ ଘୋର ବିରୋଧ କରିଛି। ଅର୍ଥମନ୍ତ୍ରୀ ହରପାଲ ଚିମା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ମତାମତ ଓ ସହମତି ନେବା ଜରୁରୀ ହୋଇଥାଏ। ତେବେ ଏହି ନିଯୁକ୍ତିରେ ଏଭଳି କରାଯାଇ ନାହିଁ। ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଆଜି କ୍ୟାବିନେଟର ଜରୁରୀ ବୈଠକ କରିଛନ୍ତି। ଏଥିରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ବିରୋଧରେ ପ୍ରସ୍ତାବ ଗୃହୀତ କରାଯାଇଛି। ସରକାରଙ୍କ ବିନା ଅନୁମତିରେ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ନ କରାଇବା ପାଇଁ ଏହି ପ୍ରସ୍ତାବରେ କୁହାଯାଇଛି। ଏ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। ବୈଠକ ପରେ ଭଗବନ୍ତ ମାନ୍ କହିଛନ୍ତି ଯେ ରାଜ୍ୟର ଅଧିକାରରେ କେନ୍ଦ୍ର ସରକାର ଦଖଲ ଦେଉଛନ୍ତି। ସାମ୍ବିଧାନିକ ନିୟମ ମଧ୍ୟ ଉଲ୍ଲଙ୍ଘନ କରୁଛନ୍ତି। ଏହା ବିରୋଧରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଯାଇଛି। ସରକାରଙ୍କ ସହମତି ନ ନେଇ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି କରିବା ଦ୍ବାରା ଧାର୍ଯ୍ୟ ପ୍ରକ୍ରିୟା ଓ ସାମ୍ବିଧାନିକ ନିୟମର ଉଲ୍ଲଙ୍ଘନ ହୋଇଛି। ପଞ୍ଜାବର ୯ ହଜାର କୋଟିର ଆରଡିଏଫ ପାଣ୍ଠି, ବନ୍ୟା ରିଲିଫ ପ୍ୟାକେଜ ବନ୍ଦ, ବିବିଏମବି ନିୟମରେ ପରିବର୍ତ୍ତନ ଓ ନ୍ୟାୟପାଳିକା ନିଯୁକ୍ତିରେ ଦଖଲକୁ ବରଦାସ୍ତ କରାଯିବ ନାହିଁ। ଏହି ନିଯୁକ୍ତିକୁ ତୁରନ୍ତ ରଦ୍ଦ କରାଯାଉ। ପଞ୍ଜାବ ସରକାରଙ୍କ ରାୟକୁ ସମ୍ମାନ ଦିଆଯାଉ ବୋଲି ମାନ୍ ଦାବି କରିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ତାରିଖ ଜାରି କରାଯାଇଛି। ସେ ସୋମବାର ସକାଳେ ଚଣ୍ଡିଗଡ଼ ସ୍ଥିତ ଲୋକ ଭବନରେ ଶପଥ ଗ୍ରହଣ କରିବେ। ଏହି ଘଟଣାକୁ ନେଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ବାଦଲ ଆପ୍ ସରକାରଙ୍କ ସମାଲୋଚନା କରିଛନ୍ତି। କେବଳ ଜନତା ନୁହେଁ, ନ୍ୟାୟପାଳିକାକୁ ବି ସରକାର ଚୁପ କରିବାକୁ ଚାହୁଁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଆପର ଦୁର୍ନୀତିଗ୍ରସ୍ତ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ପଚରାଉଚୁରା କରିବାରୁ ନ୍ୟାୟପାଳିକା ସରକାରଙ୍କ ପାଇଁ ସମସ୍ୟା ପାଲଟିଗଲା। ସରକାର ନ୍ୟାୟିକ ସ୍ବାଧୀନତା ଉପରେ ଆକ୍ରମଣ କରୁଛନ୍ତି। ନ୍ୟାୟପାଳିକାକୁ କାର୍ଯ୍ୟପାାଳିକା ନିର୍ଦେଶ ଦେଇପାରିବ ନାହିଁ। ଏବେ ଅରବିନ୍ଦ କେଜରିୱାଲଙ୍କ ଏକଛତ୍ରଶାସନକୁ ପଞ୍ଜାବ ବରଦାସ୍ତ କରିବନି ବୋଲି ବାଦଲ କହିଛନ୍ତି।
ସୌଜନ୍ୟ ସମାଜ




