ରାଜ୍ୟ

ଅମାନିଆଙ୍କୁ ସାବାଡ୍‌ କରିବ ‘ଇ-ଡିଟେକ୍ସନ୍‌’; ଆପେଆପେ କଟିବ ଚାଲାଣ

ଭୁବନେଶ୍ୱର : ଏଣିକି ଆଉ ଟ୍ରାଫିକ୍ ପୁଲିସ ହାତରେ ଧରାପଡ଼ିବାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଲେ କିମ୍ବା ଗାଡ଼ି କାଗଜପତ୍ରକୁ ଠିକ୍‌ ନ ରଖିଲେ, ଆପେଆପେ ଚାଲାଣ କଟି ମୋବାଇଲ୍‌କୁ ମେସେଜ୍‌ ଚାଲି ଆସିବ। ରାଜ୍ୟରେ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗତ ୧ ତାରିଖରୁ ସ୍ୱତନ୍ତ୍ର ଇ-ଡିଟେକ୍ସନ୍‌ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥା ଦ୍ବାରା ପରିବହନ ନିୟମକୁ ଅମାନ୍ୟ କରୁଥିବା ଗାଡ଼ି ଚାଳକଙ୍କ ଆପେଆପେ ଚାଲାଣ କଟିବ। ବିଶେଷକରି ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର(ପିୟୁସିସି) ଏବଂ ମୋଟର ଯାନ ବୀମାର ଅବଧି ଶେଷ ହୋଇଯାଇଥିଲେ କିମ୍ବା ନବୀକରଣ କରାଯାଇନଥିଲେ ଏହି ଅତ୍ୟାଧୁନିକ ସିଷ୍ଟମ ଜରିଆରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି ହୋଇଯିବ। ରାଜ୍ୟର ବିଭିନ୍ନ ପ୍ରମୁଖ ରାସ୍ତାଘାଟ, ଛକ ଏବଂ ରାଜପଥରେ ଅତ୍ୟାଧୁନିକ ସିସି କ୍ୟାମେରା ଏବଂ ଅଟୋମେଟେଡ୍ ନମ୍ବର ପ୍ଲେଟ୍ ରିକଗ୍ନିସନ୍ (ଏଏନ୍‌ପିଆର୍‌) କ୍ୟାମେରା ସ୍ଥାପନ କରାଯାଇଛି। ଏହି କ୍ୟାମେରାଗୁଡ଼ିକ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟକୁ ସ୍କାନ୍ କରିଥାଏ। ସ୍କାନ୍ ହୋଇଥିବା ନମ୍ବରଟି ପରିବହନ ବିଭାଗର କେନ୍ଦ୍ରୀୟ ଡାଟାବେସ୍ (ବାହନ ପୋର୍ଟାଲ) ସହିତ ସଂଯୁକ୍ତ ରହିଥାଏ। ତତକ୍ଷଣାତ୍ ସିଷ୍ଟମଟି ସେହି ଗାଡ଼ିର ବୈଧାନିକ କାଗଜପତ୍ର ଯଥା-ପ୍ରଦୂଷଣ ପ୍ରମାଣପତ୍ର, ବୀମା, ଫିଟନେସ୍ ସାର୍ଟିଫିକେଟ୍ ଏବଂ ପଞ୍ଜୀକରଣ ଆଦିର ସ୍ଥିତି ଯାଞ୍ଚ କରିବ। ଯଦି ଗାଡ଼ିର କୌଣସି ଜରୁରୀ କାଗଜପତ୍ରର ଅବଧି ସରିଯାଇଥାଏ କିମ୍ବା ବୈଧ ନଥାଏ, ସିଷ୍ଟମ ତୁରନ୍ତ ଇ-ଚାଲାଣ ପ୍ରସ୍ତୁତ କରି ଗାଡ଼ି ମାଲିକଙ୍କ ମୋବାଇଲ୍ ନମ୍ବରକୁ ପଠାଇ‌ଦେବ।
ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଗାଡ଼ି ମାଲିକମାନେ ନିଜ ଦାୟିତ୍ୱରୁ କୌଣସି ପରିସ୍ଥିତିରେ ଖସିପାରିବେ ନାହିଁ। ପ୍ରତ୍ୟେକ ମୋଟର ଯାନ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ। ତୃତୀୟ ପକ୍ଷ ବୀମା କିମ୍ବା ବ୍ୟାପକ ବୀମାର ଅବଧି ଯେପରି ସମୟ ଅନୁସାରେ ନବୀକରଣ ହୁଏ, ସେଥିପ୍ରତି ସତର୍କ ରୁହନ୍ତୁ। ପୂର୍ବରୁ ଯଦି କୌଣସି ଇ-ଚାଲାଣ କିମ୍ବା ଟ୍ରାଫିକ୍ ଜୋରିମାନା ବାକି ରହିଛି, ତେବେ ତୁଳନାତ୍ମକ ଭାବେ ତାହାକୁ ଶୀଘ୍ର ପୈଠ କରିବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ସରକାରୀ ପରିବହନ ପୋର୍ଟାଲ୍ ପରିଦର୍ଶନ କରି ନିଜ ଗାଡ଼ିର ସ୍ଥିତି ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଏବଂ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପରିବହନ ବିଭାଗର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଅନେକ ସମୟରେ ଗାଡ଼ି ମାଲିକମାନେ ବୀମା କିମ୍ବା ପ୍ରଦୂଷଣ ପ୍ରମାଣପତ୍ର ନବୀକରଣ କରିବାରେ ଅବହେଳା କରିଥା’ନ୍ତି। ଏହା ଟ୍ରାଫିକ୍ ନିୟମର ସିଧାସଳଖ ଉଲ୍ଲଂଘନ ହେଉଥିବା ଦେଖାଯାଉଛି। ସମସ୍ତ ଗାଡ଼ି ମାଲିକ ଏବଂ ଚାଳକ ସଚେତନ ହୋଇ ନିଜ ଗାଡ଼ିର କାଗଜପତ୍ରକୁ ଅପ୍-ଟୁ-ଡେଟ୍ ରଖିବାକୁ ପରିବହନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button