Farmer Registration: ଚଳିତବର୍ଷ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ, ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି…

ଭୁବନେଶ୍ୱର ୦୭/୦୯: ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୨୧ ଲକ୍ଷ ୪୨ ହଜାର ୭୨୩ ଜଣ ଚାଷୀ ଧାନ ପଞ୍ଜୀକରଣ କରିସାରିଛନ୍ତି । ପଞ୍ଜୀକରଣ ପାଇଁ ଆଉ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟ ସରକାର ପଞ୍ଜୀକରଣ ସମୟସୀମାକୁ ଅତିରିକ୍ତ ୭ ଦିନ ବଢ଼ାଇଥିଲେ। ଆଜି ରାତି ୧ଟା ପର୍ଯ୍ୟନ୍ତ ଚାଷୀମାନେ ଚାହିଁଲେ ପଞ୍ଜୀକରଣ କରିପାରିବେ । ଏହାପରେ ପଞ୍ଜୀକରଣ ଅବଧି ଆଉ ବଢ଼ାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଗତବର୍ଷ ରାଜ୍ୟରେ ପ୍ରାୟ ୧୯ ଲକ୍ଷ ୬୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ଏହି ସଂଖ୍ୟା ଏବେଠାରୁ ୨୧ ଲକ୍ଷ ଅତିକ୍ରମ କରିଥିବାରୁ ଏହା ରେକର୍ଡ ସଂଖ୍ୟକ ପଞ୍ଜୀକରଣ ବୋଲି ମନ୍ତ୍ରୀ କହିଛନ୍ତି।ମନ୍ତ୍ରୀ କହିଛନ୍ତି, “ଆମ ସରକାର ସବୁବେଳେ ଚାଷୀଙ୍କ ହିତରେ କାମ କରୁଛି ।” ପଞ୍ଜୀକରଣ ପ୍ରସଙ୍ଗରେ ବିରୋଧୀମାନେ ଆନ୍ଦୋଳନର ଧମକ ଦେଉଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । କେବଳ ଧାନ ନୁହେଁ, ଚାଷୀଙ୍କୁ ସାର ଯୋଗାଣ କ୍ଷେତ୍ରରେ ମଧ୍ୟ ସରକାର ଅବହେଳା କରୁନାହାନ୍ତି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ରାଜ୍ୟ ପାଖରେ ୨୪ ହଜାର ୪୦୦ ଟନ୍ ସାର ଗଚ୍ଛିତ ରହିଛି । ସାର ବଣ୍ଟନରେ ସାମାନ୍ୟ ଅବହେଳା ହେଲେ ଡିଲରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆବଶ୍ୟକ ପଡ଼ିଲେ ଡିଲରଙ୍କୁ ନିଲମ୍ବନ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯାଉଛି ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି।
ସୌଜନ୍ୟ ପ୍ରମେୟ




