ରାଜ୍ୟ

Student Arrow Attack: ସ୍କୁଲ ଯିବା ବେଳେ ଛାତ୍ରଙ୍କୁ ତୀରମାଡ଼, ଖାଇବା ଥାଳି ହେଲା ଢାଲ

ସମ୍ବଲପୁର, ୦୭/୦୯: ସ୍କୁଲ ଯାଉଥିବା ବେଳେ ଜଣେ ଛାତ୍ରଙ୍କୁ ତୀର ମାଡ଼ କରି ହତ୍ୟା ଉଦ୍ୟମ ଅଭିଯୋଗ। ତେବେ ଛାତ୍ରଙ୍କ ପାଖରେ ଥିବା ଖାଇବା ଥାଳି ତୀରଟିକୁ ଅଟକାଇ ଦେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ କେଉଟବେର୍ଣ୍ଣି ଗାଁରେ ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, କେଉଟବେର୍ଣ୍ଣି ଗାଁର ଅମୂଲ୍ୟ ଧଳ ନିଜ ପୁଅ ସୌମ୍ୟରଞ୍ଜନ ଧଳଙ୍କୁ ସ୍କୁଲକୁ ନେଇ ଯାଉଥିଲେ। ଏହି ସମୟରେ ଗାଁର ମୁଚି ସାହୁ ନାମକ ଜଣେ ବ୍ୟକ୍ତି ହଠାତ୍ ସୌମ୍ୟରଞ୍ଜନଙ୍କ ଉଦ୍ଦେଶ୍ୟରେ ତୀର ମାଡ଼ କରିଥିବା ଅଭିଯୋଗ ହୋଇଛି। ତୀରଟି ଦ୍ରୁତ ଗତିରେ ଛାତ୍ରଙ୍କ ଆଡ଼କୁ ଆସିଥିବା ବେଳେ ତାଙ୍କ ପାଖରେ ଥିବା ଖାଇବା ଥାଳିରେ ବାଜିଥିଲା। ଥାଳିଟି ଢାଲ ଭଳି କାମ କରିବାରୁ ତୀରଟି ଛାତ୍ରଙ୍କ ଶରୀରରେ ବାଜିନଥିଲା। ଫଳରେ ସୌମ୍ୟରଞ୍ଜନ ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଛନ୍ତି।

ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ତୀରମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାର ପ୍ରକୃତ କାରଣ ଏବଂ ତୀରମାଡ଼ ପଛରେ ଥିବା ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button