Jollywood Industry: ବଦଳୁଛି ଯାତ୍ରା କାହାଣୀର ଜମାନା, ବିବାଦୀୟ କରୁଛି ପ୍ରେମ ଆଉ ଧର୍ମ

ଭୁବନେଶ୍ୱର,୦୭/୯: ଯାତ୍ରା କାହାଣୀର ଜମାନା ବଦଳୁଛି । ବାଜି ମାରୁଛି ବିବାଦୀୟ ଓ ସମ୍ବେଦନଶୀଳ କାହାଣୀ । ସାମାଜିକ ଗଣମାଧ୍ୟମରେ ଯାହା ଟ୍ରେଣ୍ଡିଂ ବଜାରରେ ସେଇଆ ଚାଲୁଛି । ପ୍ରେମ, ପ୍ରତିଶୋଧ ଓ ପାରିବାରିକ ଡ୍ରାମାକୁ ପଛରେ ପକାଇ ମଞ୍ଚ ଦଖଲ କରୁଛି ପ୍ରେମ ଆଉ ଧର୍ମ । ଯାହାକୁ ନେଇ ବିବାଦୀୟ ହେଉଛି ଯାତ୍ରା ମଞ୍ଚ ।
ଗୋଟିଏ ପରେ ଗୋଟିଏ ଯାତ୍ରା ପାର୍ଟି ପ୍ରେମ ଆଉ ଧର୍ମଭିତ୍ତିକ ନାଟକ କରୁଥିବା ବେଳେ, କେଉଁଠି ଦର୍ଶକଙ୍କ ଉତ୍ସାହ ତ କେଉଁଠି ବିବାଦ ସାମ୍ନାକୁ ଆସୁଛି । ଯେଉଁଥିପାଇଁ ଚେୟାର, ବୋତଲ ମାଡ଼ ଭଳି ଘଟଣା ଘଟୁଛି । ଲୋକେ ମଞ୍ଚକୁ ଉଠି କଳାକାରଙ୍କୁ ବାଡ଼େଇବାକୁ ବି ପଛାଉ ନାହାନ୍ତି । ଫଳରେ ଯାତ୍ରାରେ ପୁଣି ନୂଆ ବିବାଦ ଆରମ୍ଭ ହୋଇଛି।
ପ୍ରେମ କାହାଣୀରେ ଧର୍ମାନ୍ତରୀକରଣର ଟ୍ୱିଷ୍ଟ । ପେଣ୍ଡାଲ୍ରେ ପ୍ରେମ, ଧର୍ମ ଓ ବିବାଦ । ବହି ଲେଖୁଛି ନୂଆ କାହାଣୀ । ମାଡ଼ିଚାଲିଛି ସମ୍ବେଦନଶୀଳ ଷ୍ଟୋରୀର ଟ୍ରେଣ୍ଡ୍ । ସାମାଜିକ ଘଟଣାବଳୀକୁ ନେଇ ନାଟକ ହେଉଛି, ହେଲେ କାହାଣୀରେ ସ୍ଥାନ ପାଉଛି ଧର୍ମାନ୍ତରୀକରଣ ଓ ଅନ୍ତଃଧର୍ମୀୟ ବିବାହ ଭଳି ସମ୍ବେଦନଶୀଳ ପ୍ରସଙ୍ଗ । ପାରିବାରିକ ବିଷୟବସ୍ତୁ ଭିତରେ ଫେଣ୍ଟି ହୋଇ ମଞ୍ଚରେ ଖେଳୁଛି ଲଭ୍ ଜିହାଦ । ବିଭିନ୍ନ ପାର୍ଟି ପକ୍ଷରୁ ହେଉଥିବା ଏଭଳି ନାଟକକୁ ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ବି ଜୋର୍ । ଯେତିକି ଆଲୋଚନା ତା’ଠୁ ବେଶି ପ୍ରତିବାଦ ।
ସୌଜନ୍ୟ ପ୍ରମେୟ




