Niti Aayog: ଡିଗ୍ରୀ ନୁହେଁ, ଦକ୍ଷତା ହିଁ ଚାକିରିର ଚାବିକାଠି ! ନୀତି ଆୟୋଗ ରିପୋର୍ଟରେ ଗ୍ରାଜୁଏଟଙ୍କ ନିଯୁକ୍ତି ସଙ୍କଟର ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୯: ଦିନ ଥିଲା ଡିଗ୍ରୀ ବଳରେ ମିଳୁଥିଲା ଚାକିରି । କିନ୍ତୁ ଏବେ ଆଉ ଏହି ସମୀକରଣ କାମ କରୁନାହିଁ । ଗୋଟିଏ ପଟେ ଦେଶରେ ଉଚ୍ଚ ଶିକ୍ଷାର ପ୍ରସାର ହେଉଥିବା ବେଳେ ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏବଂ ନିଯୁକ୍ତି ବଜାରର ଆବଶ୍ୟକତା ମଧ୍ୟରେ ଦେଖାଦେଇଛି ବଡ଼ ତାରତମ୍ୟ । ଛାତ୍ରଛାତ୍ରୀଙ୍କ ନିକଟରେ ଡିଗ୍ରୀ ରହୁଛି ମାତ୍ର ଏହା ନିଯୁକ୍ତି ଅନକୂଳ ହେଉନି । ନୀତି ଆୟୋଗ ଏହାର ସଦ୍ୟତମ ବିଶ୍ଲେଷଣରେ ଦେଶର ଶିକ୍ଷା ବ୍ୟବସ୍ଥା ସାମ୍ନାରେ ଥିବା ଡିଗ୍ରୀ ବନାମ ଦକ୍ଷତା ସଂକଟକୁ ସାମ୍ନାକୁ ଆଣିଛି । ସବୁଠାରୁ ଚିନ୍ତାଜନକ ତଥ୍ୟ ହେଉଛି କେବଳ ୮.୨୫% ଗ୍ରାଜୁଏଟ ଶିକ୍ଷାଗତ ଯୋଗ୍ୟତା ଆଧାରରେ ତତ୍ ସମ୍ବନ୍ଧୀୟ ନିଯୁକ୍ତି ପାଉଛନ୍ତି । ଏହାର ଅର୍ଥ, ଡିଗ୍ରୀ ହାସଲ ପରେ ବହୁଳ ସଂଖ୍ୟକ ଛାତ୍ରଛାତ୍ରୀ ନିଜ ପାଠ୍ୟ ବିଷୟ ସହ ସମ୍ପର୍କ ନ ଥିବା ଚାକିରି କରୁଛନ୍ତି କିମ୍ବା ନିଯୁକ୍ତି ବଜାରକୁ ପ୍ରବେଶ କରିପାରୁନାହାନ୍ତି । ପ୍ରାୟ ୧୩% ଗ୍ରାଜୁଏଟ ବେକାର । ମହିଳା ଗ୍ରାଜୁଏଟଙ୍କ କ୍ଷେତ୍ରରେ ଏହା ୨୦.୪% । ଏହା ଗ୍ରାଜୁଏଟ ସଂକଟର ଗଭୀରତାକୁ ଦର୍ଶାଉଛି ।
ନୀତି ଆୟୋଗ ନିକଟରେ ପ୍ରକାଶିତ ଏଜୁକେଶନ ଆଣ୍ଡ୍ ସ୍କିଲିଂ ଫର୍ ଏମ୍ପ୍ଲୟମେଣ୍ଟ: ଫ୍ରମ୍ କ୍ରିଡେନ୍ସିଆଲ ଟୁ ଲର୍ଣ୍ଣିଂ ଆଉଟ୍କମ୍ ୱାର୍କିଂ ପେପରରେ କହିଛି, ସାର୍ଟିଫିକେଟ ନୁହେଁ, ଶିଖିଥିବା ଦକ୍ଷତା ହିଁ ନିଯୁକ୍ତି ବଜାର ଲାଗି ମୂଲ୍ୟବାନ । ଦେଶର ଶିକ୍ଷା ବ୍ୟବସ୍ଥା ଏବେ ମଧ୍ୟ ଡିଗ୍ରୀ ଓ ପରୀକ୍ଷା କୈନ୍ଦ୍ରିକ ହୋଇରହିଛି । ମାତ୍ର ଶିଳ୍ପ ଚାହେଁ, ବାସ୍ତବିକ ଦକ୍ଷତା, ସମସ୍ୟା ସମାଧାନ, ଯୋଗାଯୋଗ, ଡିଜିଟାଲ କ୍ଷମତା ଏବଂ କାର୍ଯ୍ୟସ୍ଥଳ ଅଭିଜ୍ଞତା । ଅର୍ଥାତ କଲେଜରେ ଏକ ବିଷୟ ପଢ଼ି ଡିଗ୍ରୀ ନେବା ଓ ସେହି କ୍ଷେତ୍ରରେ ଚାକିରି କରିବା-ତାହା ଆଉ ବାସ୍ତବ ନାହିଁ । ଏହାର ଏକ ବଡ଼ କାରଣ ହେଉଛି ପାଠ୍ୟକ୍ରମ ଏବଂ ଶିଳ୍ପ ଚାହିଦା ମଧ୍ୟରେ ବଡ଼ ବ୍ୟବଧାନ । ଦେଶରେ ପ୍ରଚଳିତ ଅନେକ ପାଠ୍ୟକ୍ରମ ବଜାରର ଦ୍ରୁତ ପରିବର୍ତ୍ତନ ସହ ତାଳ ଦେଇ ଅପ୍ଡେଟ ହେଉନି । ଫଳରେ ନିଯୁକ୍ତିଦାତାଙ୍କ ଆବଶ୍ୟକତା ପୂରଣ କରୁ ନ ଥିବାରୁ ଡିଗ୍ରୀ ବେକାର ହୋଇଯାଉଛି । ଏଭଳି କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ପୁଣି ଥରେ ତାଲିମ ଦେବାକୁ ପଡୁଛି । ଶିଳ୍ପ ଆବଶ୍ୟକତାକୁ ନଜରରେ ରଖି ସ୍କିଲିଂ ଲୋଡ଼ା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସୌଜନ୍ୟ ପ୍ରମେୟ



