Gen Z spending : ଖାଉଟି ବଜାରରେ ଜେନ୍-ଜିଙ୍କ ଦବ୍ଦବା, ବର୍ଷକୁ ଖର୍ଚ୍ଚ କରୁଛନ୍ତି ୮୧ ଲକ୍ଷ କୋଟି, ୨୦୩୫ ସୁଦ୍ଧା ୨ ଟ୍ରିଲିୟନ ଡଲାର ଛୁଇଁପାରେ

ନୂଆଦିଲ୍ଲୀ, ୯/୯ : ଭାରତର ଖାଉଟି ବଜାରରେ ଏବେ ଜେନ୍-ଜିଙ୍କ ଦବ୍ଦବା । ଦେଶର ସ୍ପେଣ୍ଡିଂ ଫୋର୍ସ ପାଲଟିଛନ୍ତି ଏହି ନୂତନ ପିଢ଼ି । ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ଭାରତର ୩୭.୭ କୋଟି ଜେନ୍-ଜି ଦେଶର ଖାଉଟି ବଜାରରେ ବଡ଼ ଯୋଗଦାନ ଦେଉଛନ୍ତି । ବର୍ଷକୁ ଏମାନେ ବଜାରରେ ପ୍ରାୟ ୮୬୦ ବିଲିୟନ ଡଲାର ବା ୮୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହାକି ମୋଟ ଖାଉଟି ବ୍ୟୟର ୪୩% । ବୋଷ୍ଟନ କନ୍ସଲ୍ଟିଂ ଗ୍ରୁପ୍(ବିସିଜି) ଏବଂ ସ୍ନାପ୍ ଇଙ୍କ୍ ପକ୍ଷରୁ ପ୍ରସ୍ତୁତ ଏକ ମିଳିତ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୩୫ ସୁଦ୍ଧା ଜେନ୍-ଜିଙ୍କ ଦ୍ୱାରା ବଜାରରେ ବ୍ୟୟ ପରିମାଣ ୨ ଟ୍ରିଲିୟନ ଡଲାର ଛୁଇଁବ ବୋଲି ଅନୁମାନ କରାଯାଇଛି । ଉକ୍ତ ସମୟରେ ଦେଶବାସୀଙ୍କ ଦ୍ୱାରା ବଜାରରେ ମୋଟ ଖର୍ଚ୍ଚ ପରିମାଣ ୩.୯ ବିଲିୟନ ଡଲାର ହୋଇପାରେ ବୋଲି ବିସିଜି ଆକଳନ କରିଛି । ଅର୍ଥାତ୍ ମୋଟ ଖୁଚୁରା ବ୍ୟୟରେ ଜେନ୍-ଜିଙ୍କ ଯୋଗଦାନ ରହିବ ଅଧା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୂତନ ପିଢ଼ି କେଉଁଥିରେ ଅଧିକ ଖର୍ଚ୍ଚ କରୁଛନ୍ତି ।
ରିପୋର୍ଟ ଅନୁସାରେ, ଏମାନେ ବିଶେଷ କରି ଫୁଟ୍ୱେର୍, ବାହାରେ ଖାଇବା, ଭ୍ରମଣ, ଏଣ୍ଟର୍ଟେନ୍ମେଣ୍ଟ ଓ ଓଟିଟି, ଫ୍ୟାଶନ ଏବଂ ବିଉଟି ସେଗ୍ମେଣ୍ଟରେ ଅଧିକ ବ୍ୟୟ କରୁଛନ୍ତି । ଏହି ବଜାରରେ ଲୋକମାନେ ଯେତିକି ଖର୍ଚ୍ଚ କରୁଛନ୍ତି ସେଥିରୁ ଅଧା ଏହି ଜେନ୍-ଜି କରୁଛନ୍ତି । ରିପୋର୍ଟ ଅନୁସାରେ, ଭାରତର ଜେନ୍-ଜିଙ୍କ ସଂଖ୍ୟା ଆମେରିକାର ମୋଟ ଜନସଂଖ୍ୟାଠୁ ଅଧିକ । ପ୍ରତି ୪ ଜଣରେ ଜଣେ ଜେନ୍-ଜି ଚାକିରି କରୁଛନ୍ତି । ଏହି ଭାଗ ୨୦୩୦ ସୁଦ୍ଧା ୩୬% ଏବଂ ୨୦୩୫ ସୁଦ୍ଧା ୪୭%କୁ ବୃଦ୍ଧି ପାଇବ ବୋଲି ଅନୁମାନ ରହିଛି । ଉକ୍ତ ହିସାବରେ ଏମାନଙ୍କ ଦ୍ୱାରା ବ୍ୟୟ ପରିମାଣ ତଦନୁସାରେ ବଢ଼ିବ । ୨୦୨୪ରେ ଜେନ୍-ଜିଙ୍କ ଦ୍ୱାରା ଖୁଚୁରା ବଜାରରେ ବ୍ୟୟ ୮୬୦ ବିଲିୟନ ଡଲାର ଥିବାବେଳେ ୨୦୩୫ ସୁଦ୍ଧା ୨ ଟ୍ରିଲିୟନ ଡଲାରକୁ ବଢ଼ିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ଏହି ଜେନ୍-ଜି ଅଧିକ ସଂଖ୍ୟାରେ ମାତାପିତାଙ୍କ ଟଙ୍କାରେ ଖର୍ଚ୍ଚ କରୁଛନ୍ତି । ଏ ବାବଦ ଖର୍ଚ୍ଚ ରହିଛି ୬୬୦ ବିଲିୟନ ଡଲାର ଏବଂ ନିଜ ଆୟରୁ ଜେନ୍-ଜି ଖର୍ଚ୍ଚ କରିଛନ୍ତି ୨୦୦ ବିଲିୟନ ଡଲାର । ୨୦୩୫ ସୁଦ୍ଧା ନିଜ ଆୟରୁ ଜେନ୍ଜିଙ୍କ ଖର୍ଚ୍ଚ ଭାଗ ବୃହତ୍ ରହିବ ।
ସୌଜନ୍ୟ ପ୍ରମେୟ



