ଦେଶ ବିଦେଶ

ବୈବାହିକ ଦୁଷ୍କର୍ମକୁ ଅପରାଧ ଶ୍ରେଣୀଭୁକ୍ତ କରିବା ମାମଲା;‘ବିବାହ ଦ୍ବାରା ମହିଳାଙ୍କ ବ୍ୟକ୍ତିଗତ ସ୍ବାଧୀନତାର ଅନ୍ତ ଘଟି ନଥାଏ’

ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମକୁ ଅପରାଧ ଶ୍ରେଣୀଭୁକ୍ତ କରିବା ନେଇ ଦାୟର ହୋଇଥିବା ଏକାଧିକ ପିଟିସନ ଉପରେ ଶୁଣାଣି କରି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ବିବାହର ଅର୍ଥ ନୁହେଁ ଜଣେ ମହିଳାଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ଅନ୍ତ ଘଟିଲା। ବିବାହ ପରେ ବି ଜଣେ ମହିଳାଙ୍କର ନିଜ ଶରୀର ଓ ନିଜସ୍ବ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ବିବାହ କରିଥିବା କାରଣରୁ ମହିଳାଙ୍କ ସମ୍ମତି ବିନା ସମ୍ପର୍କ ରଖିବାକୁ ବୈଧ କୁହାଯାଇପାରିବ ନାହିଁ। ଆଇପିସିର ଧାରା ୩୭୫ ଓ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୬୩ ରେ ଥିବା ‘ବୈବାହିକ ଛାଡ଼’ର ସାମ୍ବିଧାନିକ ବୈଧତାକୁ କୋର୍ଟ ଯାଞ୍ଚ କରୁଛନ୍ତି। ଏହି ଧାରା ଅନୁଯାୟୀ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିନା ସମ୍ମତିରେ ହେଉଥିବା ଯୌନ ସମ୍ପର୍କକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯାଏ ନାହିଁ। ବୈବାହିକ ଛାଡ଼ ଆଇନଗତ ଭାବେ ବଳବତ୍ତର ରହିଲେ ମଧ୍ୟ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇପାରିବ କି? ଆଇନରେ ଥିବା ଏହି ବ୍ୟତିକ୍ରମ/ଛାଡ଼ ସାମ୍ବିଧାନିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ କି ନୁହେଁ? ତା’ ଉପରେ ଆଗାମୀ ଦିନରେ ସୁପ୍ରିମକୋର୍ଟ ବିସ୍ତୃତ ଶୁଣାଣି କରିବେ। କେନ୍ଦ୍ର ସରକାର କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରାଗଲେ ବିବାହ ପରମ୍ପରା ଓ ପାରିବାରିକ ସମ୍ପର୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ତେଣୁ ଏହାର ସାମାଜିକ ଦିଗକୁ ମଧ୍ୟ ବିଚାରକୁ ନିଆଯିବା ଦରକାର। ଏହି ସମ୍ବେଦନଶୀଳ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ସପ୍ତାହର ବୁଧବାର ଓ ଗୁରୁବାର ଦିନଗୁଡ଼ିକୁ ସ୍ଥିର କରିଛନ୍ତି।
କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ଆଗତ ଆବେଦନର ପ୍ରଥମେ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ସମ୍ମତି ପ୍ରକାଶ କରିଛନ୍ତି। ହାଇକୋର୍ଟ ତାଙ୍କ ରାୟରେ ସ୍ତ୍ରୀଙ୍କୁ ଯୌନ ଦାସୀ ଭାବେ ବ୍ୟବହାର କରିଥିବା ଅଭିଯୁକ୍ତ ସ୍ୱାମୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦେଇଥିଲେ। ପରେ ବୈବାହିକ ଦୁଷ୍କର୍ମର ସାମ୍ବିଧାନିକ ବୈଧତା ବିଚାର କରିବେ।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button