ରେକର୍ଡ ଭାଙ୍ଗିଲା ‘ହନୁମାନ ଅଂଶ’ ; ଲାଭ ୨୦୬୬% ଟପିଲା: ପଛରେ ପଡ଼ିଲା ଧୁରନ୍ଧର

ମୁମ୍ବଇ: ନିମ କରୋଲି ବାବାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ହନୁମାନ ଅଂଶ’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଏହି ଆଧ୍ୟାତ୍ମିକ ଚଳଚ୍ଚିତ୍ର ଆୟରେ ଧୁରନ୍ଧର ଓ ଧୁରନ୍ଧର-୨କୁ ପଛରେ ପକାଇ ଦେଇଛି। ଭାରତୀୟ ସିନେମାର ଇତିହାସକୁ ବଦଳାଇ ଦେଇଛି। ମୁକ୍ତିଲାଭ କରିବାର ୩୩ତମ ଦିନରେ ବଲିଉଡର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟି ଯାଇଛିି। ଆମିର ଖାନ ଓ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ମଧ୍ୟ ପଛରେ ପଡ଼ି ଯାଇଛି। ୧.୮ କୋଟି ଟଙ୍କାରେ ନିର୍ମିତ ହନୁମାନ ଅଂଶ ୨୦୦ କୋଟିରୁ ଅଧିକ ଟଙ୍କା ଆୟ କଲାଣି। ତେବେ ନେଟ୍ ଆୟ ୧୪୩.୧୩ କୋଟି ଟଙ୍କା ରହିଛି। ଏହାର ଲାଭ ୨୦୬୬ ପ୍ରତିଶତ ପାର କରିଯାଇଛି। ‘ହନୁମାନ ଅଂଶ’ ୩୩ତମ ଦିନରେ ମଙ୍ଗଳବାର ୧୧ କୋଟି ଟଙ୍କା ଆୟ କରିଛି। ଏହା ସୋମବାର ତୁଳନାରେ ୧୦ ପ୍ରତିଶତ ଅଧିକ। ଏହି ସଫଳତାକୁ ଦେଖି ବଲିଉଡରେ ଏବେ ଭକ୍ତି ଚଳଚ୍ଚିତ୍ର ଯୁଗ ଚାଲିଛି ବୋଲି ଲୋକେ କହୁଛନ୍ତି। ଆଜି ବି ଏହି ସିନେମା ଦେଖିବା ପାଇଁ ହଲରେ ଭିଡ଼ ଜମୁଛି। ୩୪ତମ ଦିନରେ ବି ଚଳଚ୍ଚିତ୍ରର ଲୋକପ୍ରିୟତା ହ୍ରାସ ପାଇ ନାହିଁ।
ସାଧାରଣତଃ ମୁକ୍ତିଲାଭର ୩୩ ଦିନ ପରେ ଚଳଚ୍ଚିତ୍ରର ଆୟ ଓ ଶୋ’ ହ୍ରାସ ପାାଇଥାଏ। ମାତ୍ର ହନୁମାନ ଅଂଶ କ୍ଷେତ୍ରରେ ଏହା ଭୁଲ୍ ପ୍ରମାଣିତ ହୋଇଛି। ନିମ କରୋଲି ବାବାଙ୍କ ଚମତ୍କାର ଭଳି ଏହାର ଆୟ ଓ ଶୋ’ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ପ୍ରଥମରୁ ଚଳଚ୍ଚିତ୍ର ସେତେ ଭଲ ବ୍ୟବସାୟ କରି ନ ଥିଲା। ସିନେମା ହଲରେ ହନୁମାନ ଅଂଶର କାହାଣୀ କୌଣସି ଚଳଚ୍ଚିତ୍ରଠାରୁ ବି କମ୍ ନ ଥିଲା। ଏହା ମୁକ୍ତିଲାଭର ୨୨ ଦିନ ପର୍ଯ୍ୟନ୍ତ ଆଖିଦୃଶିଆ ଆୟ କରିପାରି ନ ଥିଲା। ହଲ ମାଲିକ ସିନେମାକୁ ବାହାର କରିବା ପାଇଁ ସ୍ଥିର କରିଦେଇଥିଲେ। ମାତ୍ର ଏହା ପରେ ଚମତ୍କାର ହୋଇଥିଲା। ପ୍ରେମାନନ୍ଦ ବାବାଙ୍କ ପ୍ରଶଂସା, ଲୋକଙ୍କ ସକାରାତ୍ମକ ସମୀକ୍ଷା, ସାମାଜିକ ଗଣମାଧ୍ୟମରେ ଫିଲ୍ମର ଛୋଟ ଛୋଟ କ୍ଲିପ, ସଙ୍ଗୀତ ଓ ମନୋଲୋଭା ଦୃଶ୍ୟ ଭାଇରାଲ ହେବା ପରେ ସିନେମା ହଲକୁ ଲୋକଙ୍କ ସୁଅ ଛୁଟି ଥିଲା। ପରେ ଏହା ଆୟରେ ରେକର୍ଡ ଭାଙ୍ଗି ଚାଲିଥିଲା। ବିଶାଲ ଚତୁର୍ବେଦୀଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ୫ମ ସୋମବାରରେ ସର୍ବାଧିକ ଆୟକାରୀ, ୨୦୨୬ର ଅଷ୍ଟମ ସର୍ବାଧିକ ଆୟକାରୀ, ୩୨ ଓ ୩୩ତମ ଦିନରେ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟି ଯାଇଛି। ଏହା ଥ୍ରି ଇଡିୟଟ ଓ ପଠାନ ଭଳି ଫିଲ୍ମକୁ ପଛରେ ପକାଇ ଦେଇଛି। ଏହା ଧୁରନ୍ଧର-୨ ତୁଳନାରେ ୧୮ ଗୁଣ ଅଧିକ ଲାଭ ଦେଇଛି।
ସୌଜନ୍ୟ ସମାଜ



