ରାଜ୍ୟ

CBI raid: ମୋବାଇଲ ସିମ୍‌ ଦୋକାନରେ ସିବିଆଇ ଚଢ଼ଉ: ବିହାରରେ ବ୍ୟବହୃତ ନକଲି ସିମ୍‌ କୁଜଙ୍ଗରୁ ଆକ୍ଟିଭେଟ୍

ମୋବାଇଲ୍‌ ସିମ୍ ବିକ୍ରୟ କରୁଥିବା କୁଜଙ୍ଗର ଏକ ଦୋକାନରେ ଆଜି ଦିଲ୍ଲୀ ସିବିଆଇ ପକ୍ଷରୁ ଦିନତମାମ ଚଢ଼ଉ କରାଯାଇଛି। ଦୋକାନରୁ କାର୍ଯ୍ୟକ୍ଷମ (ଆକ୍ଟିଭେଟ୍‌) ହୋଇଥିବା ୪୦୦ରୁ ଅଧିକ ସିମ୍‌କାର୍ଡ ଠାବ ହୋଇଛି।

କୁଜଙ୍ଗ: ମୋବାଇଲ୍‌ ସିମ୍ ବିକ୍ରୟ କରୁଥିବା କୁଜଙ୍ଗର ଏକ ଦୋକାନରେ ଆଜି ଦିଲ୍ଲୀ ସିବିଆଇ ପକ୍ଷରୁ ଦିନତମାମ ଚଢ଼ଉ କରାଯାଇଛି। ଦୋକାନରୁ କାର୍ଯ୍ୟକ୍ଷମ (ଆକ୍ଟିଭେଟ୍‌) ହୋଇଥିବା ୪୦୦ରୁ ଅଧିକ ସିମ୍‌କାର୍ଡ ଠାବ ହୋଇଛି। ଏହାର ଏକ ତାଲିକା ପ୍ରସ୍ତୁତ କରି ସେମାନେ ସାଥିରେ ନେଇଥିବା ବେଳେ ଅଭିଯୁକ୍ତ ଆସନ୍ତାକାଲି ପୂର୍ବାହ୍ଣ ୧୦ଟାରେ ଭୁବନେଶ୍ବରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ସାଇବର୍‌ ଅପରାଧ ଓ ଠକେଇ କ୍ରମଶ ବୃଦ୍ଧି ପାଇଥିବାରୁ କିଛି ଆପରାଧିକ ମାମଲାର ତଦନ୍ତ ସିବିଆଇ କରୁଛି। ଏକକାଳୀନ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ରାଜସ୍ଥାନରେ ଚଢ଼ଉ ଜାରି ରହିଛି। ବିହାରରେ ଏହିପରି ଏକ ମାମଲାର ଚଢ଼ଉ ଚାଲିଥିବା ବେଳେ ପ୍ରାୟ ୫୮ଟି ବିଭିନ୍ନ ଦୂରସଞ୍ଚାର କମ୍ପାନିର ସିମ୍‌ କୁଜଙ୍ଗର ଦୋକାନରୁ ଆକ୍ଟିଭେଟ୍ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ସିବିଆଇର କିଛି ଅଧିକାରୀ ଓଡ଼ିଶା ଶାଖାର ଅଧିକାରୀଙ୍କ ସହଯୋଗରେ ଆଜି ସେଠାରେ ଚଢ଼ଉ କରିବା ଚର୍ଚ୍ଚାର ବିଷୟ ହୋଇଛି।

କୁଜଙ୍ଗ ତାଳଦଣ୍ଡା କେନାଲ ବନ୍ଧରେ ମୋବାଇଲ ରିଚାର୍ଜ ଦୋକାନ କରିଥିବା କୁଜଙ୍ଗ ଥାନା ପାରିଅଙ୍ଗ ଗ୍ରାମର ରାଜେଶ ନାୟକ ଓରଫ୍‌ ରାଜାଙ୍କ ଦୋକାନରେ ସିବିଆଇ ଟିମ୍‌ ଆଜି ପୂର୍ବାହ୍ଣ ୯ଟାରୁ ଚଢ଼ଉ ଆରମ୍ଭ କରି ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଜାରି ରଖିଥିଲା। ଏହି ଦୋକାନରୁ ବିଭିନ୍ନ ଭାବେ ଜାଲିଆତି ବା ମିଥ୍ୟା ଠିକଣା ଦିଆଯାଇଥିବା ୪ ଶହରୁ ଅଧିକ ସିମ୍‌ ଆକ୍ଟିଭେଟ୍‌ ହୋଇଥିବା ସିବିଆଇ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଗ୍ରାମାଞ୍ଚଳରେ ଆକ୍ଟିଭେଟ୍ ହେଉଥିବା ସିମ୍‌କାର୍ଡର ସମସ୍ତ ତଥ୍ୟ ସାଇବର୍‌ ଠକଙ୍କ ନିକଟରେ ଉପଲବ୍ଧ ହେଉଥିଲା। ଏହି ସିମ୍ ବ୍ୟବହାରକାରୀଙ୍କ ସମସ୍ତ ଅନ୍‌ଲାଇନ୍‌ କାରବାର ସମ୍ପର୍କିତ ତଥ୍ୟ ସେମାନଙ୍କ ନିକଟରେ ରହୁଥିଲା। ଫଳରେ ଏହା ଜରିଆରେ କୋଟିକୋଟି ଟଙ୍କାର ସାଇବର୍‌ ଠକେଇ କରାଯାଉଥିଲା। ଏ ସଂକ୍ରାନ୍ତରେ ସିବିଆଇ ନିକଟରେ ଅଭିଯୋଗ ହେବା ପରେ ଏକାଦିକ୍ରମେ ୫ଟି ରାଜ୍ୟରେ ଚଢ଼ଉ ହେଉଛି। ଗତବର୍ଷ ଏହିଭଳି ଏକ ସାଇବର୍‌ ଅପରାଧର ତଦନ୍ତ କରି ପଶ୍ଚିମବଙ୍ଗ ପୁଲିସ କୁଜଙ୍ଗ ଅଞ୍ଚଳର ତିନିଜଣଙ୍କୁ ଗିରଫ କରିଥିଲା। ସେହିପରି ଅନ୍ୟଜଣେ ବ୍ୟବସାୟୀଙ୍କଠାରୁ ୯ ଶହରୁ ଅଧିକ ନକଲି ଓ ମିଥ୍ୟା ଠିକଣା ଥିବା ସିମ୍‌ ଠାବ କରାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button