ଜିଲ୍ଲା

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଏହି ଅଘଟଣ ଘଟିଥିଲା।

ନିଖୋଜ ହେବାର ପରେ ଖୋଜାଖୋଜି ଜାରି ରହିଥିବା ବେଳେ ଶନିବାର ଅଲାଡ଼ି ଗାଁ ନିକଟରୁ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ ସୁମିତଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହକୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଖବର ପାଇ ଏସଆଇ ତାପସ ସେଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପୁରୁଷୋତ୍ତମପୁର ଥାନାରେ ଅପମୃତ୍ୟୁ ମାମଲା ନଂ ୨୫/୨୬ ରୁଜୁ କରାଯାଇ ବ୍ୟବଚ୍ଛେଦ କରାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଗଣେଶ ମେଢ଼ ଭସାଣି ପାଇଁ ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର ଝରକୁଆଳି ଗ୍ରାମର କିଛି ଯୁବକ ପ୍ରତାପୁର ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟକୁ ଆସିଥିଲେ। ମୂର୍ତ୍ତି ବିସର୍ଜନ ସମୟରେ ୨୨ ବର୍ଷୀୟ ସୁମିତ କୁମାର ମିଶ୍ର ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ସୁମିତ ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ପରିବାର ସମେତ ସହପାଠୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସୁମିତଙ୍କ ପରିବାରରେ ଏହି ଘଟଣା ଗଭୀର ଦୁଃଖ ଆଣିଛି। ପ୍ରାୟ ୧୯ ବର୍ଷ ତଳେ ତାଙ୍କ ବାପା ସୁଶାନ୍ତ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମା’ ମମତା ମିଶ୍ର ବାପଘର ଝରକୁଆଳିରେ ରହି ଏକମାତ୍ର ପୁଅ ସୁମିତଙ୍କୁ ଭରସା କରି ତାଙ୍କ ପାଠପଢ଼ା ଜାରି ରଖିଥିଲେ। ହେଲେ ଋଷିକୁଲ୍ୟାରେ ଘଟିଥିବା ଏହି ଦୁଃଖଦ ଅଘଟଣ ମା’ ମମତାଙ୍କ କୋଳକୁ ଶୂନ୍ୟ କରିଦେଇଛି। ଏକମାତ୍ର ପୁଅକୁ ହରାଇ ମା’ ଏବେ ନିଃସହାୟ ହୋଇପଡ଼ିଛନ୍ତି। ସୁମିତଙ୍କ ମୃତ୍ୟୁ ପରେ ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଓ ଝରକୁଆଳି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button