କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ ଦଂଶନରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। ତେବେ ପ୍ରତି ବର୍ଷ ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଏହି ପୂଜା କରାଯାଏ। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମା’ଙ୍କ ପୂଜାର୍ଚ୍ଚନା ହେଉଛି। ଏହି ଅବସରରେ କନ୍ୟା ସଂକ୍ରାନ୍ତି ବା ବିଶ୍ୱକର୍ମାଙ୍କ ପୂଜାରେ ମା’ଙ୍କ ପୂଜା ହୋଇଥାଏ। କିନ୍ତୁ ବଙ୍ଗୀୟମାନେ ସଂକ୍ରାନ୍ତି ପର ଦିନ ପୂଜା କରନ୍ତି ବୋଲି କୁହାଯାଉଛି। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ କଦଳୀ ଭେଳାରେ ନଦୀରେ ସୁସଜ୍ଜିତ କରାଯାଇ ଅଧିଷ୍ଠିତ କରାଯାଏ। ପରେ ମା’ଙ୍କ ସମ୍ମୁଖରେ ଧୂପ, ଦୀପ ଓ ନୈବେଦ୍ୟ ସହ ଫଳ ମିଶା ପଣା ସହିତ ଚିନିରେ ପ୍ରସ୍ତୁତ ବାତସା ଭୋଗ ଲାଗି କରାଯାଏ। ମାନସିକଧାରୀ ଶ୍ରଦ୍ଧାଳୁମାନେ ମା’ଙ୍କ ଗଳାରେ ଟଙ୍କା ହାର ଅର୍ପଣ କରନ୍ତି। ଅପର ପକ୍ଷରେ ମା’ଙ୍କ ମସ୍ତକରେ ଆଠ ଭାଇ ନାଗ ବିରାଜିତ ହୋଇଥାନ୍ତି। ୮ ଭାଇଙ୍କ ମଧ୍ୟରେ ଅନନ୍ତ, ବାସୁକୀ, ଶଙ୍ଖ, ପଦ୍ମ, ମହାପଦ୍ମ, କର୍କଟ, କୁଳିର ଓ ତକ୍ଷକ ଆଦି ଶୋଭା ବର୍ଦ୍ଧନ କରନ୍ତି। ମା’ଙ୍କ ପୂଜାର୍ଚ୍ଚନା ପରେ ପଣା ସମେତ ଦାନ ମିଳିଥିବା ସମସ୍ତ ଦ୍ରବ୍ୟ ନଦୀରେ ଭସାଇ ଦିଆଯାଏ। ଅପରପକ୍ଷରେ ମା’ଙ୍କ କଦଳୀ ଭେଳାରୁ କୌଣସି ଲୋକ ଲୋଭର ବଶବର୍ତ୍ତୀ ହୋଇ କିଛି ଚୋରାଇ ନେଲେ ତାର ବିନାଶ ଘଟେ ବୋଲି ନଜିର ରହିଛି। କିଛି ବର୍ଷ ପୂର୍ବେ ମହାନଦୀରୁ ମା’ଙ୍କ ମୂର୍ତ୍ତି ବିସର୍ଜନ ଭେଳାରୁ କେତେକ କନ୍ଧା ଚାଷୀ ଲୋଭରେ ଚୋରାଇ ଥିଲେ। ଠିକ୍ ସନ୍ଧ୍ୟାସୁଦ୍ଧା କନ୍ଧା ନେଇଥିବା ଚାଷୀଙ୍କର ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଖୋଳାଠାରେ ମା’ମନସାଙ୍କ ୫୧ତମ ବାର୍ଷିକ ପୂଜା ପାଳନ ହେଉଛି। ସେହିପରି ହରିଆବାଙ୍କ, ତନ୍ତିଆପାଳ , ଜମ୍ବୁ , ସୁନୀତି ଓ ପେଟଛେଲା, ରାମଚଣ୍ଡୀ ଗଳିଆ ନଦୀରେ ୨୩ ବର୍ଷ ଧରି ମା’ ପୂଜା ପାଉଛନ୍ତି ବୋଲି ଆୟୋଜକମାନେ କହିଛନ୍ତି। ଏହି ଅବସରରେ ମା’ଙ୍କ ଦର୍ଶନ ଲାଭ ପାଇଁ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଆଶିଷ ଭିକ୍ଷା କରିଛନ୍ତି। ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ସରୋଜକାନ୍ତ ସାହୁ, କ୍ରିଷ୍ଣପଦ ମଣ୍ଡକ ଓ ଅଞ୍ଜନ ସାମଲ ପ୍ରମୁଖ ମା’ଙ୍କ ଦର୍ଶନ ଲାଭକରି ଆଶିଷ ଭିକ୍ଷା କରିଥିଲେ। ସେହିପରି ଯୁବ ନେତା ସୌଭାଗ୍ୟ କୁମାର ପରିଡ଼ାଙ୍କ ସହିତ ତାଙ୍କ ସମର୍ଥକମାନଙ୍କ ସହ ଯାଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ।
ସୌଜନ୍ୟ ଧରିତ୍ରୀ




