ଉତ୍କଳରେ ପ୍ରଶ୍ନପତ୍ର ପ୍ରଘଟ !

ଭୁବନେଶ୍ବର/ଉତ୍ତରଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ମହାବିଦ୍ୟାଳୟରେ ସ୍ନାତକ (ୟୁଜି) ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଛି। ଏନେଇ କିଛି ଗଣମାଧ୍ୟମ ପ୍ରତିନିଧି ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ କରାଯାଇଛି। ସୂଚନାନୁଯାୟୀ, ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ୯ ଜିଲାର ମୋଟ ୨୯୬ ମହାବିଦ୍ୟାଳୟରେ ସ୍ନାତକ (ୟୁଜି) ପରୀକ୍ଷା ଚାଲିଛି। ଗୁରୁବାର ବାଣିଜ୍ୟ ବିଭାଗର ପେପର- ୩ ପରୀକ୍ଷା ଥିଲା। ଏହି ପରୀକ୍ଷା ସରିଥିବା ବେଳେ ଶୁକ୍ରବାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଛି। ଏହି ଘଟଣା ଜାଣିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସବୁ ଅନୁବନ୍ଧିତ ଥିବା ମହାବିଦ୍ୟାଳୟ ସହ ଯୋଗାଯୋଗ କରିଥିଲେ। କୌଣସି ମହାବିଦ୍ୟାଳୟରେ ପ୍ରଶ୍ନପତ୍ର ପ୍ରଘଟ ନେଇ ସୂଚନା ମିଳି ନଥିଲା।
ଏହି ଘଟଣାର ସତ୍ୟତା ସହ ପ୍ରଘଟ ଉତ୍ସ ଜାଣିବାକୁ ପୁଲିସ ନିକଟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଲିଖିତ ଭାବେ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ, ଧାର୍ଯ୍ୟ ସୂଚୀ ମୁତାବକ ଶୁକ୍ରବାର ମଧ୍ୟ ସ୍ନାତକ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ଆସନ୍ତା ୨୪ ପର୍ଯ୍ୟନ୍ତ ଚାଲିବ। ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ କହିଛନ୍ତି, ପରୀକ୍ଷା ସରିବାର ଦିନକ ପରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହସ୍ତଗତ ହେଲା। ଏହାର ସତ୍ୟତା ଜାଣିବା ପାଇଁ ଥାନାରେ ଏତଲା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ମୁତାବକ ପରୀକ୍ଷା ଚାଲିଛି। ପରୀକ୍ଷାର ସ୍ୱଚ୍ଛତା ତଥା ବିଶ୍ୱବିଦ୍ୟାଳୟର ଗରିମା ରକ୍ଷା ଲାଗି ଘଟଣାର ତୁରନ୍ତ ତଦନ୍ତ କରି ପ୍ରକୃତ ଦୋଷୀ କିମ୍ବା ମିଥ୍ୟା ଗୁଜବ ପ୍ରଚାରକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଅନୁରୋଧ କରାଯାଇଛି। ଏଥିସହ ସମ୍ପୃକ୍ତ ପ୍ରଘଟ ପୋଷ୍ଟଗୁଡ଼ିକର ସ୍କ୍ରିନସଟ୍ ମଧ୍ୟ ପୁଲିସକୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ସୌଜନ୍ୟ ସମାଜ




