Bank: ୫ ଦିନ ବନ୍ଦ ରହିବ ବ୍ୟାଙ୍କ: ୨୮ରୁ ୩ଦିନିଆ ଧର୍ମଘଟ, ବ୍ୟାଙ୍କ ମୁଖ୍ୟଙ୍କ ବୈଠକ ଡାକିଲା ଅର୍ଥ ମନ୍ତ୍ରଣାଳୟ
ଚଳିତ ମାସ ଶେଷ ଆଡ଼କୁ ପୁଣି ଥରେ ରାଜ୍ୟରେ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁଏଫ୍ବିୟୁ) ତରଫରୁ ଚଳିତ ମାସ ୨୮ରୁ ୩ ଦିନିଆ ଧର୍ମଘଟ କରାଯିବ।

ଭୁବନେଶ୍ବର/ନୂଆଦିଲ୍ଲୀ: ଚଳିତ ମାସ ଶେଷ ଆଡ଼କୁ ପୁଣି ଥରେ ରାଜ୍ୟରେ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁଏଫ୍ବିୟୁ) ତରଫରୁ ଚଳିତ ମାସ ୨୮ରୁ ୩ ଦିନିଆ ଧର୍ମଘଟ କରାଯିବ। ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଓ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମରେ ଅସଙ୍ଗତି ଦୂର କରିବା ଆଦି ଦାବି ନେଇ ସେମାନେ ଧର୍ମଘଟ କରିବେ। ପ୍ରସ୍ତାବିତ ଧର୍ମଘଟର ପୂର୍ବ ଦୁଇ ଦିନ ସେପ୍ଟେମ୍ବର ୨୬ (ଚତୁର୍ଥ ଶନିବାର) ଓ ୨୭ (ରବିବାର) ପାଇଁ ବ୍ୟାଙ୍କ ଛୁଟି ରହିବ। ପୂର୍ବରୁ ଚଳିତ ମାସ ୧୧ରେ ବ୍ୟାଙ୍କ କର୍ମଚାରୀମାନେ ଦିନିକିଆ ଦେଶବ୍ୟାପୀ ଧର୍ମଘଟ କରିଥିଲେ। ତାହାର ପ୍ରଭାବରେ ରାଜ୍ୟରେ ୫ ଦିନ ବ୍ୟାଙ୍କ ବନ୍ଦ ରହିଥିଲା। ସେପ୍ଟେମ୍ବର ୧୨ (ଦ୍ବିତୀୟ ଶନିବାର), ୧୩ (ରବିବାର), ୧୪ (ଗଣେଶ ପୂଜା) ଓ ୧୫ (ନୂଆଁଖାଇ) ପାଇଁ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ଥିଲା। ପୁଣି ଥରେ ସେହି ସମାନ ଧର୍ମଘଟ ପାଇଁ ଲଗାତାର ଭାବେ ୫ ଦିନ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି।
ଆଗାମୀ ୩ ଦିନିଆ ଧର୍ମଘଟ ସମ୍ପର୍କରେ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ଆଗୁଆ ସତର୍କ କରାଇଛନ୍ତି। ବ୍ୟାଙ୍କ କାରବାର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗୁରୁତ୍ବପୂର୍ଣ୍ଣ କାମଗୁଡ଼ିକୁ ଧର୍ମଘଟ ଆରମ୍ଭ ପୂର୍ବରୁ ଶେଷ କରିବାକୁ ଗ୍ରାହକମାନଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରାମର୍ଶ ଦେଇଛି। ବିଶେଷ କରି ଯେଉଁ ସେବା ପାଇଁ ବ୍ୟାଙ୍କ ଶାଖା ଯିବାକୁ ପଡ଼ୁଛି, ସେହି କାମଗୁଡ଼ିକୁ ସାରିବାକୁ ବ୍ୟାଙ୍କ ଗ୍ରାହକଙ୍କୁ କହିଛି। ଧର୍ମଘଟ ସମୟରେ ବ୍ୟାଙ୍କ ସେବା ସ୍ବାଭାବିକ ରଖିବାକୁ ଷ୍ଟେଟ ବ୍ୟାଙ୍କ ଉଦ୍ୟମ କରୁଛି।
ସୌଜନ୍ୟ ସମ୍ବାଦ




