ରାଜ୍ୟ

ଦୁର୍ଗମ ଗୁହିଆଶାଳରେ ପୁଷ୍ଟିହୀନତାର କରୁଣ ଚିତ୍ର: ପ୍ରସୂତିଙ୍କ ପଥି ପଖାଳ, ଶିଶୁଙ୍କ ଖାଦ୍ୟ ତୋରାଣି

ପଖାଳ କଂସା ଓ ପତ୍ରରେ ଚିମୁଟାଏ ଲୁଣ.. ଏହା ହେଉଛି ସଦ୍ୟ ମା’ ହୋଇଥିବା ପ୍ରସୂତି, ଚାରି ଓ ଦୁଇବର୍ଷର ଝିଅଙ୍କ ଆହାର। ସେଥିରେ ଭାତ କମ୍‌, ପେଯତୋରାଣି ବେଶି। ନଗଡ଼ା ନିକଟ ଗୁହିଆଶାଳରେ ଭୋକର ଭୂଗୋଳକୁ ଏମିତି ଢାଙ୍କି ରଖିଛି ପଖାଳ କଂସା।

କାଳିଆପାଣି: ପଖାଳ କଂସା ଓ ପତ୍ରରେ ଚିମୁଟାଏ ଲୁଣ.. ଏହା ହେଉଛି ସଦ୍ୟ ମା’ ହୋଇଥିବା ପ୍ରସୂତି, ଚାରି ଓ ଦୁଇବର୍ଷର ଝିଅଙ୍କ ଆହାର। ସେଥିରେ ଭାତ କମ୍‌, ପେଯତୋରାଣି ବେଶି। ନଗଡ଼ା ନିକଟ ଗୁହିଆଶାଳରେ ଭୋକର ଭୂଗୋଳକୁ ଏମିତି ଢାଙ୍କି ରଖିଛି ପଖାଳ କଂସା। କେଉଁ ତାରକା ହୋଟେଲରେ ୯ ତିଅଣ, ଛଅଭଜାର ପଖାଳକଂସା ଖାଇ ଷ୍ଟାଟସ୍‌ ଛାଡ଼ିବା କାହା ପାଇଁ ସଉକ ହୋଇପାରେ, କିନ୍ତୁ ଯାଜପୁର ଜିଲ୍ଲାର କ୍ରୋମାଇଟ୍‌ ସମୃଦ୍ଧ ସୁକିନ୍ଦା ବ୍ଲକ୍‌ର ଗୁହିଆଶାଳ ଗାଁରେ ସରକାରୀ ଚାଉଳର ପଖାଳ ହିଁ ଜୀବନକୁ ବଞ୍ଚାଇ ରଖିଛି। ପ୍ରସୂତି ପଥି ଓ ଗରମ ଖାଦ୍ୟ ପରିବର୍ତ୍ତେ ଲୁଣ ଲଗାଇ ପଖାଳ ଖାଉଥିବାର ବିଡ଼ମ୍ବିତ ଦୃଶ୍ୟ ଅନେକ ପ୍ରଶ୍ନଚିହ୍ନ ଆଙ୍କିଛି। ନିଜେ ବଞ୍ଚି ଛୁଆକୁ ବଞ୍ଚାଇବା ପାଇଁ ମା’ଟିଏ ସଂଘର୍ଷ କରୁଛି। ଅଙ୍ଗନବାଡ଼ି କେନ୍ଦ୍ରର ପୁଷ୍ଟିଯୁକ୍ତ ଖାଦ୍ୟ ଏମାନଙ୍କ ପାଇଁ କେବଳ ଉପହାସ ଛଡ଼ା ଆଉ କିଛି ନୁହେଁ।

ଗତ ୩ ତାରିଖରେ ଗୁହିଆଶାଳର କୈଳାସ ପ୍ରଧାନଙ୍କ ପତ୍ନୀ ସୀମା ତାଙ୍କ ଝାଟିମାଟି କୁଡ଼ିଆରେ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ସମ୍ଭାବ୍ୟ ପ୍ରସବ ତାରିଖ ନଭେମ୍ବର ୨୧ ଥିଲା। ଅଢ଼େଇମାସ ପୂର୍ବରୁ ଜନ୍ମ ହୋଇଥିବା ଏହି ଶିଶୁକନ୍ୟା ଓ ମା’ ସୀମା ଦୁର୍ଗମ ଗାଁରେ ସଂକଟରେ ପଡ଼ି ରହିଛନ୍ତି। ତାଙ୍କ ଦୁଇ ଝିଅ (୪ ବର୍ଷ) ଓ (୨ ବର୍ଷ) ମଧ୍ୟ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ। ଦିନରାତି ସେହି ପେଯ ତୋରାଣି ପିଇ ବଞ୍ଚିଥିବା ସେ କହିଛନ୍ତି। ଗୁହିଆଶାଳ ଗସ୍ତ କରିଥିବା ଭ୍ରାମ୍ୟମାଣ ଡାକ୍ତରୀଦଳ ସେମାନଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ରାସ୍ତା ନ ଥିବାରୁ ପ୍ରସୂତି ନବଜାତ ଶିଶୁକୁ କୋଳରେ ଧରି ବର୍ଷା କାଦୁଅପାଣିରେ ଖାଲି ପାଦରେ ଚାଲିଚାଲି ୩ କିଲୋମିଟର ଦୂର ନାଲିଆଡାବ ଯିବା ଅସମ୍ଭବ ହୋଇଥିଲା। ଏହି ପାହାଡ଼ି ଗାଁକୁ ଯିବା ଲାଗି ନିର୍ଦ୍ଦିଷ୍ଟ ବାଟ ନାହିଁ। ‌ଲୋକେ ଚାଲିଚାଲି ଯା’ଆସ କରନ୍ତି। ସେମାନଙ୍କ ଜୀବିକା କହିଲେ ଜଙ୍ଗଲରୁ ଚେରମୂଳି ସଂଗ୍ରହ। ବର୍ଷାଋତୁରେ ଜଙ୍ଗଲ ଯିବା ସମ୍ଭବ ହୁଏନି। ତେଣୁ ରୋଜଗାର ବାଟ ବନ୍ଦ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button