ଖେଳ

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା ମଇଦାନରେ ତାଙ୍କର ଦମଦାର୍‌ ବୋଲିଂକୁ ନେଇ ନୁହେଁ, ବରଂ ମଇଦାନ ବାହାରେ ହୋଇଥିବା ଏକ ସାକ୍ଷାତକୁ ନେଇ ହେଉଛି। ସାମି ଦିଲ୍ଲୀରେ ରାଷ୍ଟ୍ରୀୟ ଲୋକ ଦଳ (RLD)ର ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ସାମି ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆ ଏବଂ ମୁଖ୍ୟଧାରାର ଗଣମାଧ୍ୟମରେ ଏଭଳି ଦାବି ପ୍ରଚାରିତ ହେବାରେ ଲାଗିଛି ଯେ ସେ RLD ଟିକେଟରେ ଆମରୋହାରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। କିନ୍ତୁ ଏହି ଦାବିଗୁଡ଼ିକରେ କେତେ ସତ୍ୟତା ରହିଛି? ଆସନ୍ତୁ ଜାଣିବା।
ସୂତ୍ର ଅନୁଯାୟୀ, ମହମ୍ମଦ ସାମିଙ୍କ ସମ୍ବନ୍ଧୀୟ ଏହି ସମସ୍ତ ଦାବି କେବଳ ଗୁଜବ ଏବଂ ଅନୁମାନ ଉପରେ ଆଧାରିତ। ସାମି ରାଜନୀତିରେ ଯୋଗଦେବା କିମ୍ବା ୟୁପି (UP) ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ ଏହି ଦାବିଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ। ତଥାପି, ଏହି ବିଷୟରେ ସାମି କିମ୍ବା ଆରଏଲଡି (RLD) ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ଅନେକ କ୍ରୀଡ଼ା ସାମ୍ବାଦିକ ମଧ୍ୟ ସାମିଙ୍କ ନିର୍ବାଚନ ଲଢ଼ିବା କଥାକୁ କେବଳ ଏକ ଗୁଜବ ବୋଲି କହି ଖଣ୍ଡନ କରିଛନ୍ତି।
ସାମି ଶେଷ ଥର ପାଇଁ ମାର୍ଚ୍ଚ ୨୦୨୫ରେ ଭାରତ ପାଇଁ ଖେଳିଥିଲେ ଏବଂ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିଥିଲେ। ସେବେଠାରୁ ସେ ଭାରତୀୟ ଦଳରୁ ବାହାରେ ଅଛନ୍ତି। ୩୬ ବର୍ଷୀୟ ସାମି ବର୍ତ୍ତମାନ ଘରୋଇ କ୍ରିକେଟ ଖେଳୁଛନ୍ତି ଏବଂ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଛନ୍ତି। ସାମି ଭାରତ ପାଇଁ ୬୪ଟି ଟେଷ୍ଟ, ୧୦୮ଟି ଦିନିକିଆ (ODI) ଏବଂ ୨୫ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୨୨୯ଟି, ଦିନିକିଆରେ ୨୦୬ଟି ଏବଂ ଟି-୨୦ ଆନ୍ତର୍ଜାତୀୟରେ ୨୭ଟି ୱିକେଟ ହାସଲ କରିଛନ୍ତି। ଆଇପିଏଲ (IPL)ରେ ସେ ବର୍ତ୍ତମାନ ସୁଦ୍ଧା ୧୩୨ଟି ମ୍ୟାଚ ଖେଳି ୧୪୫ଟି ୱିକେଟ ନେଇଛନ୍ତି; ସେ ବର୍ତ୍ତମାନ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳର ଅଂଶ ଅଟନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button