Gandhamardan herbs : ଗନ୍ଧମାର୍ଦ୍ଦନରୁ ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷକୁ ସୁରକ୍ଷା ଦେଉଛନ୍ତି ଟିକେନ୍ଦ୍ର, ଦେଢ଼ ଏକର ଜମିରେ ଲଗାଇଛନ୍ତି ୭୦ରୁ ଊର୍ଦ୍ଧ୍ୱ ଗୁଳ୍ମ ଓ ଚେର

ବଲାଙ୍ଗିର, ୨୧/୯ (ମୁକେଶ ବହିଦାର) : ଜୈବ ବିବିଧତା ଐତିହ୍ୟସ୍ଥଳୀ ଗନ୍ଧମାର୍ଦ୍ଦନ ପର୍ବତରେ ବହୁ ଦୁର୍ଲଭ ୧୦୫୫ ପ୍ରକାରର ଔଷଧୀୟ ଗୁଳ୍ମ ରହିଛି । ହେଲେ ସେଠାରୁ ଅବାଧ ଓ ବିନା ସତର୍କତାରେ ଗୁଳ୍ମଲତା ସଂଗ୍ରହ କରାଯାଉଥିବାରୁ ବର୍ତ୍ତମାନ କେତେକ ବିରଳ ଔଷଧୀୟ ଗୁଳ୍ମ ବିଲୁପ୍ତର ଦ୍ୱାରଦେଶରେ । ଏଭଳି ସମୟରେ ସେଗୁଡ଼ିକର ସୁରକ୍ଷା ଏବଂ ବଂଶବିସ୍ତାର ପାଇଁ ପରିଣତ ବୟସରେ ଅଣ୍ଟା ଭିଡ଼ିଛନ୍ତି ଟେକେନ୍ଦ୍ର ବାବା । ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଲୁପ୍ତପ୍ରାୟ ଅବସ୍ଥାରେ ଥିବା ଭଅଁରମାରି, ଦେବନାଶନ, ବାଘମାର, ପାଷାଣଭେଦି, ନାଗେଶ୍ୱର, ବଛନାଗ, ମଛକୁଣ୍ଡ, ସୂର୍ଯ୍ୟକାନ୍ତି, ଖୋଲଖମାର, ରସାନା, ଗୋଦନ୍ତୀ, ଗୋକୁଲକଣ୍ଟା, ସାବଲି, ଖୋଲଖମାର, ଚିଥଲଛାଲି ଭଳି ପ୍ରାୟ ୭୦ ପ୍ରକାରରୁ ଊର୍ଦ୍ଧ୍ୱ ଘାସ ଓ ମୂଳ ଭଳି ଉଦ୍ଭିଦକୁ ସେ ସୁରକ୍ଷା ଦେଇଛନ୍ତି ।
ଚାରିପିଢ଼ି ଧରି ଚାଲିଆସିଥିବା ପାରମ୍ପରିକ ବୈଦ୍ୟ ଚିକିତ୍ସା ପାଇଁ ଟିକେନ୍ଦ୍ର ନିଜର ପ୍ରାୟ ଦେଢ଼ ଏକର ଚାଷ ଜମିକୁ ଗନ୍ଧମାର୍ଦ୍ଦନ ଆୟୁବେର୍ଦିକ ବୈଦ୍ୟ ମହାସଂଘ (ହରିଶଙ୍କର)ଙ୍କ ଉଦ୍ଦେଶ୍ୟରେ ଟେକିଦେଇଛନ୍ତି । ସେଠାରେ ବିରଳ ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ କରାଯାଉଛି । ବିଭିନ୍ନ ସ୍ଥାନରୁ ବୈଦ୍ୟମାନେ ଆସି ଏଠାରୁ ଔଷଧୀୟ ବୃକ୍ଷର ଚେର, ମୂଳ, ପତ୍ର, ଡାଳ ଆଦି ସଂଗ୍ରହ କରିଥାନ୍ତି । ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଭଗବାନ ଗନ୍ଧମାର୍ଦ୍ଦନ ଦେଇଥିବା ବେଳେ ଏବେ ତାହା ବିପଦମୁହଁରେ ରହିଛି । ତେଣୁ ଦୁର୍ଲଭ ଗୁଳ୍ମଗୁଡ଼ିକ ହଜିଯିବା ଆଗରୁ ତାକୁ ନିଜେ ସାଇତି ନେବାର ଆବଶ୍ୟକତା ରହିଛି ବୋଲି ଟିକେନ୍ଦ୍ର ବାବା କହିଛନ୍ତି ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପୁଟକେଲଚୁଆ ଗ୍ରାମର ପରିବେଶକର୍ମୀ ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଜଣାଶୁଣା ନାଁଟିଏ ଟେକେନ୍ଦ୍ର ଜାଲ । ଶ୍ରୀ ଜାଲ ଗନ୍ଧମାର୍ଦ୍ଦନ ସଂଲଗ୍ନ ବଲାଙ୍ଗିର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ଟେକେନ୍ଦ୍ର ବାବା ନାଁରେ ବେଶ୍ ପରିଚିତ । ମାତ୍ର ଦଶମ ଶ୍ରେଣୀ ଯାଏଁ ପଢ଼ିଥିବା ଟେକେନ୍ଦ୍ରଙ୍କୁ ବୟସ ୫୯ ଛୁଇଁଲାଣି । ଶ୍ରୀ ଜାଲଙ୍କ ପଣଅଜା ସୁନିଆ ଜାଲ୍ଙ୍କ ସମୟରୁ ଚାରିପିଢ଼ି ଧରି ସେମାନେ ପାରମ୍ପରିକ ବୈଦ୍ୟ କାର୍ଯ୍ୟ କରିଆସୁଛନ୍ତି । ତେଣୁ ସେ ମଧ୍ୟ ବିଭିନ୍ନ ଔଷଧୀୟ ବୃକ୍ଷଲତାକୁ ଚିହ୍ନି ରୋଗ ଉପଶମ ପାଇଁ ପରାମର୍ଶ କରିପାରନ୍ତି । ଟେକେନ୍ଦ୍ରଙ୍କ କହିବାନୁସାରେ, ଗନ୍ଧମାର୍ଦ୍ଦନରେ ହଜାର ହଜାର ସଂଖ୍ୟାରେ ଔଷଧୀୟ ଗଛ ରହିଛି । ହେଲେ ତାହାକୁ ଯୋଜନାବଦ୍ଧ ଭାବରେ ନିପାତ କରାଯାଉଛି । କୌଣସି ବଡ଼ବଡ଼ ଗାଡ଼ି କିମ୍ବା ମେସିନ ସାହାଯ୍ୟରେ ଔଷଧୀୟ ଗଛ ଚୋରି କରାଯାଉ ନାହିଁ । ବରଂ, ବ୍ୟବସାୟୀମାନେ ଦିନମଜୁରିଆଙ୍କୁ ଲଗାଇ ଅଳ୍ପଅଳ୍ପ ପରିମାଣରେ ସେଗୁଡ଼ିକୁ ସଂଗ୍ରହ କରୁଛନ୍ତି ।
ଅପରପକ୍ଷେ ସଂଗ୍ରହକାରୀମାନେ ପ୍ରଶିକ୍ଷିତ ନଥିବାରୁ ଗଛ ଓପାଡ଼ି ନଷ୍ଟ କରିଦେଉଛନ୍ତି । ଯେଉଁଠି ଛାଲି ଆବଶ୍ୟକ ସେଠି ସମ୍ପୂର୍ଣ୍ଣ ଗଛକୁ କାଟିଦେଉଛନ୍ତି । ଯେଉଁ ପତ୍ର କିମ୍ବା ଫଳ ଆବଶ୍ୟକ ସେଠାରେ ଡ଼ାଳ କାଟିନେଉଛନ୍ତି । ଏଭଳିସ୍ଥଳେ ଦୁର୍ଲଭ ଗଛ ସଂଖ୍ୟା କମିବାରେ ଲାଗିଛି । ତେଣୁ ସେଗୁଡ଼ିକୁ ବଞ୍ଚାଇବା ପାଇଁ ସେ ଗତ ୭ବର୍ଷ ତଳେ ଉଦ୍ୟମ ଆରମ୍ଭ କରିଥିଲେ ବାବା । ନିଜ ଜମିରେ ପ୍ରଥମେ କିଛି ଦୁର୍ଲଭ ଗୁଳ୍ମକୁ ନେଇ ରୋପଣ କଲେ । ପରେ ଆରସିଡ଼ିସି ସହଯୋଗରେ ଏକ ବଗିଚା କଲେ । ଯେଉଁଠି ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଗଛ ଲଗାଇଲେ । ପରେ ପରେ ତାଙ୍କୁ ବିଭିନ୍ନ ସାମାଜିକ ସଂଗଠନ ଏବଂ ବୈଦ୍ୟମାନେ ସହଯୋଗ କଲେ । ଆଉ ଏବେ ତାଙ୍କର ବଗିଚାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ବୈଦ୍ୟ ଆସି ବିଭିନ୍ନ ଚେରମୂଳି ସଂଗ୍ରହ କରୁଛନ୍ତି ।
ସୌଜନ୍ୟ ପ୍ରମେୟ




