ରାଜ୍ୟ

ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ; ତୁଟିବ ମହାନଦୀ କଳି

ଭୁବନେଶ୍ୱର : ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ଖୁବଶୀଘ୍ର ସମାଧାନର ବାଟ ଫିଟିବ। ମହାନଦୀ ଜଳ ବିବାଦର ସମାଧାନ ଖୁବଶୀଘ୍ର ହେବ ବୋଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ପୂର୍ବରୁ ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏପରିସ୍ଥଳେ ପ୍ରତିପକ୍ଷ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଶ୍ରୀ ସାଏ କହିଛନ୍ତି, ପୂର୍ବରୁ ଦିଲ୍ଲୀରେ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଅଧିକାରୀଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇ ସାରିଛି। ବିବାଦର ସମାଧାନ ଦିଗରେ ନିଷ୍ପତ୍ତି ପାଇଁ ଉଭୟ ରାଜ୍ୟ ସିଡବ୍ଲ୍ୟୁସିକୁ ସହମତି ଜଣାଇ ସାରିଛନ୍ତି। ଦୁଇ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିଡବ୍ଲ୍ୟୁସି(କେନ୍ଦ୍ରୀୟ ଜଳ ଆୟୋଗ) ଯାହା ନିଷ୍ପତ୍ତି ନେବ ତାହାକୁ ଉଭୟ ରାଜ୍ୟ ମାନିନେବେ ବୋଲି ଶ୍ରୀ ସାଏ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାନଦୀକୁ ନେଇ କୌଣସି ପ୍ରକାର ବିବାଦ ନାହିଁ। ଯେଉଁ ରାଜ୍ୟରେ ବିଜେପି ସରକାର ଆସିଛି, ଜଳ ବିବାଦ ଦୂର ହୋଇଛି। ଓଡ଼ିଶାରେ ବିଜେପି, ଛତିଶଗଡ଼ରେ ବିଜେପି, କେନ୍ଦ୍ରରେ ଏନ୍‌ଡିଏ ସରକାର ଅଛନ୍ତି। ତେଣୁ ବହୁ ଶୀଘ୍ର ବିବାଦର ସମାଧାନ ହେବାକୁ ଯାଉଛି ବୋଲି କହିଛନ୍ତି। ରବିବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ। ବିମାନବନ୍ଦରରୁ ବାହାରି ସେ ସିଧା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ସେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ପରେ ଉଭୟ ନେତା ନିଜର ସାମାଜିକ ଗଣମାଧ୍ୟମ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଉଭୟ ରାଜ୍ୟର ଲୋକଙ୍କ ବିକାଶ ତଥା କଲ୍ୟାଣ ଦିଗରେ ମିଳିତ ପ୍ରତିଶ୍ରୁତିକୁ ଆଗେଇ ନେବା ଉପରେ ଏକ ଫଳପ୍ରଦ ଆଲୋଚନା ହୋଇଥିଲା। ଶ୍ରୀ ସାଏ ମଧ୍ୟ ଏହି ଭେଟଘାଟକୁ ଏକ ସଫଳ ଆଲୋଚନା ବୋଲି ବର୍ଣ୍ଣନା କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୬ ଜୁଲାଇ ୩୦ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନା ନେଇ ପ୍ରାଥମିକ ସ୍ତରରେ ଆଲୋଚନା ହୋଇଥିଲା। ସେପ୍ଟେମ୍ବର ୨୧ରେ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଏବଂ ଛତିଶଗଡ଼ର ବୈଷୟିକ ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ୨୮ରେ ମହାନଦୀ ଜଳ ବିବାଦ ନ୍ୟାୟାଧିକରଣରେ ପରବର୍ତ୍ତୀ ଶୁଣାଣି ହେବାର ତାରିଖ ଧାର୍ଯ୍ୟ କରାଯାଇଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button