ରାଜ୍ୟ

ପାହାଡ଼ ଚଢ଼ି ସମସ୍ୟା ଶୁଣିଲେ ବିଡିଓ

ଗୁଡ଼ାରୀ: ଜଣେ ସରକାରୀ ଅଧିକାରୀ ନିଜ କର୍ତ୍ତବ୍ୟକୁ ସର୍ବୋତ୍ତମ ମାନି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଦୁର୍ଗମ ରାସ୍ତା ଓ ପାହାଡ଼ ଅତିକ୍ରମ କରିଛନ୍ତି। ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଥିବା ଗାଁକୁ ଯିବା ପାଇଁ କୌଣସି ପକ୍କା ରାସ୍ତା ନଥିବାରୁ ବିଡିଓ ଶୁଚିସ୍ମିତା ବେହେରା ୩ କିମି ପାହାଡ଼ ଚଢ଼ି ରାଡ଼ମା ଗାଁରେ ପହଞ୍ଚିଛନ୍ତି। କଦମା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ରାଡ଼ମା ଗଁାର ସ୍ଥିତି ଓ ଲୋକଙ୍କ ମୌଳିକ ସମସ୍ୟା ପରଖିବା ପାଇଁ ବିଡିଓ ଏହି ଗସ୍ତ କରିଛନ୍ତି। ଉକ୍ତ ଗଁାକୁ ବିକାଶର ରାସ୍ତା ପହଞ୍ଚି ପାରିନାହିଁ। ଗ୍ରାମକୁ ଯିବା ପାଇଁ ରହିଥିବା ଦୁର୍ଗମ ପାହାଡ଼ିଆ ରାସ୍ତା ଗ୍ରାମବାସୀଙ୍କ ଯାତାୟାତରେ ପ୍ରତିବନ୍ଧକ ସାଜିଛି। ଗାଁରେ ପହଞ୍ଚିବା ପରେ ଗମନାଗମନ, ପାନୀୟଜଳ ଏବଂ ପ୍ରାଥମିକ ସୁବିଧାର ବ୍ୟାପକ ଅଭାବ ଥିବା ସେ ଅନୁଭବ କରିଛନ୍ତି। ଗ୍ରାମବାସୀଙ୍କ ଦୀର୍ଘଦିନର ଅଭିଯୋଗ ଶୁଣିବା ସହ ଖୁବ୍‌ଶୀଘ୍ର ସେଠାକୁ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି। ବୁରୁଡ଼ି ପର୍ଯ୍ୟନ୍ତ ଗାଡ଼ିରେ ଯିବା ପରେ ସେଠାରୁ ଗ୍ରାମକୁ ଯିବା ପାଇଁ ୩ କିମି ପାହାଡ଼ିଆ, ପଥୁରିଆ ଓ ଆବଡ଼ାଖାବଡ଼ା ରାସ୍ତାରେ ବିଡିଓ ପାଦରେ ଚାଲି ଚାଲି ଯାଇଛନ୍ତି। ଏହି ଯାତ୍ରା ସମୟରେ ରାସ୍ତାର ପ୍ରକୃତ ସ୍ଥିତି ନିଜେ ଦେଖିବା ସହ ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ରାଡ଼ମା ଗ୍ରାମରେ ୭ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇଛି। ଗ୍ରାମବାସୀ ଦୈନନ୍ଦିନ ଯାତାୟାତଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ପାଇବା ପର୍ଯ୍ୟନ୍ତ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ୁଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ନେଇ ଗ୍ରାମବାସୀ ପୂର୍ବରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇ ଆସିଛନ୍ତି। ବିଡିଓ ଶ୍ରୀମତୀ ବେହେରା ଗ୍ରାମରେ ପହଞ୍ଚି ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ରାଡ଼ମାକୁ ପକ୍କା ରାସ୍ତା ନିର୍ମାଣ ହେଲେ ଦୁର୍ଗମ ଅଞ୍ଚଳର ଏହି ଆଦିବାସୀ ପରିବାରଗୁଡ଼ିକ ଯାତାୟାତ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବାରେ ଅନେକ ସୁବିଧା ପାଇପାରିବେ । ଗସ୍ତ ସମୟରେ କଦମା ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ତାପସ ଘଡେଇ ଏବଂ ସହକାରୀ ଯନ୍ତ୍ରୀ ସସ୍ମିତା ଶବରଙ୍କ ସମେତ ବୁରୁଡି ଗ୍ରାମର ଗୁରୁ ମାଝୀ, ମାଥ୍ୟୁ ମାଝୀ, ଘାସିରାମ ମାଝି, ଥମାସ ମାଝୀ, ଆନ୍ଦ୍ରେୟ ମାଝୀ ଓ ବାଲା ମାଝୀ ଯୋଗ ଦେଇଥିଲେ । ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଏଭଳି ଭାବେ ତୃଣମୂଳସ୍ତରକୁ ଯାଇ କାମ କଲେ ଲୋକଙ୍କ ସମସ୍ୟାର ପ୍ରକୃତ ସମାଧାନ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button