ରାଜ୍ୟ

Chilika: ‘ଚିଲିକା’ରୁ ବିଲୁପ୍ତପ୍ରାୟ ନଅ ପ୍ରଜାତିର ମାଛ: ଚିତଳ, ବାଘାରି ଗାଏବ!

ଚିଲିକା ଜଳରାଶିରୁ ନଅ ପ୍ରଜାତିର ମାଛ ବିଲୁପ୍ତପ୍ରାୟ। ଚିଲିକା ପାଣିରେ ଏମାନଙ୍କୁ ଆଉ ପ୍ରାୟ ଦେଖିବାକୁ ମିଳୁନାହିଁ। ଖୋଦ୍‌ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏକଥା ସ୍ବୀକାର କରିଛନ୍ତି।

ଖୋରଧା (ବିକାଶ ଚନ୍ଦ୍ର ସାହୁ): ଚିଲିକା ଜଳରାଶିରୁ ନଅ ପ୍ରଜାତିର ମାଛ ବିଲୁପ୍ତପ୍ରାୟ। ଚିଲିକା ପାଣିରେ ଏମାନଙ୍କୁ ଆଉ ପ୍ରାୟ ଦେଖିବାକୁ ମିଳୁନାହିଁ। ଖୋଦ୍‌ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏକଥା ସ୍ବୀକାର କରିଛନ୍ତି। ଏହି ନଅ ପ୍ରଜାତିର ମାଛ ଗାଏବ ହେବା ଘଟଣା କେବଳ ମାଛ ପ୍ରତି ଥିବା ବିପଦ କଥାକୁ ସୂଚାଉ ନାହିଁ, ବରଂ ଚିଲିକାର ଜୈବ ବିବିଧତାରେ କେମିତି ପରିବର୍ତ୍ତନ ଆସୁଛି, ତାହା ବି ସୂଚାଇ ଦେଉଛି।

ସିଡିଏ ତଥ୍ୟ କହୁଛି, ଚିଲିକା ହ୍ରଦରେ ୩୭୮ ପ୍ରଜାତିର ମାଛ ଦେଖାଯାଉଛନ୍ତି। ସେଥିରୁ ନଅଟି ସଂକଟରେ। ଏହି ପ୍ରଜାତିର ମାଛର ବୈଜ୍ଞାନିକ ନାମକରଣ ହେଉଛି, ହାତୁଡ଼ି ମୁଣ୍ଡିଆ ମଗର (ସ୍ଫିର୍‌ନା ଲେୱିନି), ପ୍ରିଷ୍ଟିସ୍ କ୍ଲାଭାଟା, ଏଟୋବାଟସ୍ ଫ୍ଲାଜେଲମ୍, ଚିତଳ (ଚିତାଲା ଚିତାଲା), ପାଣି ଆଖିଆ (ଇଲିଶା ମେଗାଲୋପ୍ଟେରା), ପାବଦା (ଓମ୍ପୋକ୍ ବାଇମାକ୍ୟୁଲାଟସ୍), ବଚୁଆ (ୟୁଟ୍ରୋପିଇକ୍ଥିସ୍ ଭାଚା), ବାଘାରି (ବାଗାରିଅସ୍ ୟାରେଲି) ଓ ମାଗୁରା (କ୍ଲାରିଆସ୍ ମାଗୁର)। ଏମାନେ ଆଉ ଦୃଶ୍ୟମାନ ହେଉ ନାହାନ୍ତି।  ଯଦିଓ ଚିଲିକା ଉନ୍ନୟନ କର୍ତୃପକ୍ଷ ଏହି ନଅଟି ମାଛର ବିପଦ କଥା ଦର୍ଶାଉଛନ୍ତି, କିନ୍ତୁ ଚିଲିକାକୁ ମାଛ ଧରିବାକୁ ଯାଉଥିବା ମାଛ ଧରାଳିଙ୍କ ଅନୁଭବ ଭିନ୍ନ। ଚିଲିକାର ମତ୍ସ୍ୟଜୀବୀ ଏବଂ  ସ୍ଥାନୀୟ ଅଧିବାସୀଙ୍କ କହିବା କଥା, ଚିଲିକାରୁ କିଛି କିଛି ପ୍ରଜାତିର ମାଛ ବଂଶ ସମ୍ପୂର୍ଣ୍ଣ ବୁଡ଼ିବାକୁ ବସିଲାଣି। ଏଠି ଏକଦା ବାଇଶିଆଳି, କୁଣ୍ଡଳ ଓ ସୁକୁଡ଼ା ଭଳି ମାଛ ପର୍ଯ୍ୟାପ୍ତ ଦୃଶ୍ୟମାନ ହେଉଥିଲା। ଆଜି କିନ୍ତୁ ତାହା ବିରଳ। ଚିଲିକାରେ ମାଛର ଅଭାବ ଏବେ ଏତେ ପରିଲକ୍ଷିତ ହୋଇଛି ଯେ ଜୀବିକା ନ ପାଇ ମତ୍ସ୍ୟଜୀବୀ ଦାଦନ ଯିବାକୁ ବାହାରିଲେଣି।

ଅନ୍ୟପକ୍ଷରେ ଜିଲ୍ଲା ମତ୍ସ୍ୟ ସଂପଦ ବିଭାଗ ମାଛ ଉତ୍ପାଦନକୁ ନେଇ ଏକ ଭିନ୍ନ ରିପୋର୍ଟ ପ୍ରଦାନ କରିଛି। ମତ୍ସ୍ୟ ସମ୍ପଦ ବିଭାଗର ତଥ୍ୟ କହୁଛି, ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ତିନିଟି ପ୍ରଜାତି ମଧ୍ୟରୁ ଚିଲିକାରେ ମାଛ ଉତ୍ପାଦନ ସର୍ବାଗ୍ରେ। ଚିଲିକାର ଅତ୍ୟନ୍ତ ସ୍ବାଦିଷ୍ଟ ମାଛ ହେଉଛି ଖଇଙ୍ଗା। ତା’ର ଦାମ୍‌ ଯେମିତି ଅଧିକ, ସ୍ବାଦ ବି ସେମିତି। ଏହା ସହିତ ଚିଲିକା କେତେ ପ୍ରଜାତିର ମାଛ ଲୋକଙ୍କୁ ଭେଟି ଦେଇଛି। ବିଭାଗୀୟ ତଥ୍ୟ କହୁଛି, ଗଲା ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୨ହଜାର ମେଟ୍ରିକ୍‌ ଟନ୍‌ର ମାଛ ଚିଲିକାରୁ ଉତ୍ପାଦନ ହୋଇଥିଲା। ତା’ ପରବର୍ଷ ଆଉ ଏକ ହଜାର ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ ବଢ଼ି ମୋଟ ୧୩ହଜାର ୩୪ମେଟ୍ରିକ୍‌ ଟନକୁ ବୃଦ୍ଧି ପାଇଲା। ଗଲା ୨୦୨୩-୨୪ରେ ପୁଣି ଏକ ହଜାର ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ ବୃଦ୍ଧି ହୋଇଛି ବୋଲି ବିଭାଗ ରିପୋର୍ଟ କରିଛି। ଅର୍ଥାତ୍‌, ଉପରୋକ୍ତ ତିନୋଟି ବର୍ଷ ମଧ୍ୟରେ ଚିଲିକାରୁ ପ୍ରତିବର୍ଷ ହାରାହାରି ଏକ ହଜାର ମେଟ୍ରିକ୍‌ ଟନ୍‌ ଅଧିକ ମାଛ ଉତ୍ପାଦନ ହେଉଛି ବୋଲି ମତ୍ସ୍ୟ ସମ୍ପଦ ବିଭାଗ ରିପୋର୍ଟ ପ୍ରସ୍ତୁତ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button