ରାଜ୍ୟ

SJP leader Sourav Das: ଓଡ଼ିଶା‌ରେ ସିଜେପି ନେତା ସୌରଭ ଦାସ: ସ୍କୁଲ ବୁଲିଲେ, ଆନ୍ଦୋଳନ ପାଇଁ ଡାକରା ଦେଲେ

ଓଡ଼ିଶା ଗସ୍ତରେ ଆସିଛନ୍ତି କକ୍ରୋଚ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ ଏବଂ କକ୍ରୋଚ ପାର୍ଟିର ସେକ୍ରେଟାରି ବାଲକ୍ରିଷ୍ଣ। ଆଜି ପୂର୍ବାହ୍ଣରେ ସେମାନେ ଭୁବନେଶ୍ବର ବିମା‌ନବନ୍ଦରରେ ପହଞ୍ଚିବା ପରେ ‌‘ସ୍କୁଲ୍ ଠିକ୍ କରୋ’ ଅଭିଯାନରେ ଖୋରଧାର ୩ଟି ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି କକ୍ରୋଚ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ ଏବଂ କକ୍ରୋଚ ପାର୍ଟିର ସେକ୍ରେଟାରି ବାଲକ୍ରିଷ୍ଣ। ଆଜି ପୂର୍ବାହ୍ଣରେ ସେମାନେ ଭୁବନେଶ୍ବର ବିମା‌ନବନ୍ଦରରେ ପହଞ୍ଚିବା ପରେ ‌‘ସ୍କୁଲ୍ ଠିକ୍ କରୋ’ ଅଭିଯାନରେ ଖୋରଧାର ୩ଟି ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଅପରାହ୍ଣ ୪ଟାରେ ନବନିର୍ମାଣ ଯୁବ-ଛାତ୍ର ସଂଗଠନର ନେତାମାନେ ଏକ ଶୋଭାଯାତ୍ରାରେ ସେମାନଙ୍କୁ ଲୋୟର ପିଏମ୍‌ଜି ସତ୍ୟାଗ୍ରହ ସ୍ଥଳକୁ ଆଣିଥିଲେ। ଲୋୟର ପିଏମ୍‌ଜିସ୍ଥିତ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ଓ ସତ୍ୟାଗ୍ରହସ୍ଥଳକୁ ଆସି ୧୬ ଦିନ ଧରି ଅନଶନରେ ବସିଥିବା ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କୁ ସମର୍ଥନ ଜଣାଇବା ସହିତ ଆସନ୍ତାକାଲି ବିଧାନସଭା‌ ଘେରାଉ ଡାକରା ଦେଇଥିଲେ।

ସ୍କୁଲ ବୁଲିଲେ, ଆନ୍ଦୋଳନ ପାଇଁ ଡାକରା ଦେଲେ
ନବନିର୍ମାଣ ଯୁବଛାତ୍ର ସଂଗଠନର ଅନଶନ ସତ୍ୟାଗ୍ରହକୁ ସମର୍ଥନ ଜଣାଇଲେ

ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ତଳିତଳାନ୍ତ କରିଚାଲିଛି। ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି। ନୂଆ ପାଠ୍ୟ ପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ଏହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା ବିଭାଗର ସରକାରୀ ଅଧିକାରୀମାନଙ୍କୁ ଦେବାକୁ ପଡ଼ିବ। ବିଧାନସଭା ଘେରାଉ ପୂର୍ବରୁ ସରକାର ଯଦି ୬ ଦଫା ଦାବିକୁ ନଶୁଣନ୍ତି, ତେବେ ଆଗାମୀ ଦିନରେ ସଂଗଠନର ଦାବିଗୁଡ଼ିକୁ କକ୍ରୋଚ ପାର୍ଟି ଜୋରଦାର ଉଠାଇବ। ଓଡ଼ିଶା ପାଠ୍ୟ ପୁସ୍ତକ ତ୍ରୁଟି ଏକ ବଡ଼ ପ୍ରସଙ୍ଗ। ପିଲା ଭୁଲ୍ ବହି ପଢ଼ିଲେ, ଦେଶର ତଥା ରାଜ୍ୟର ପ୍ରଗତି କେମିତି ହେବ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ।

ଆଜି ସତ୍ୟାଗ୍ରହ ସ୍ଥଳରେ ବିଜେଡି ନେତା ମନ୍ମଥ ରାଉତରାୟ, ରାଜ୍ୟ ପ୍ରଦେଶ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ, ସୁଦର୍ଶନ ଦାସ, ଯୁବ ଛାତ୍ରସଂଗଠନର ମହମ୍ମଦ ମନୱର ଅଲ୍ଲୀ, ମଧୁମିତା ସାମଲ, ଅମିତ ଜେନା,  ସ୍ମୃତି ରଂଜନ ସାମଲ, ସେକ୍‌ ହେଦାଇ, କୁଳମଣି, ବିଚିତ୍ର ବିଶ୍ବାଳ, ମମତାରାଣୀ ଜେନା, ସଂଘମିତ୍ରା ଜେନା, ଚିନ୍ମୟୀ ପଣ୍ଡା, ଅକ୍ରୁର ପଲାଇ, ଅଶ୍ବିନୀ ଜେନା, ଗଣେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button