ରାଜ୍ୟ

Strong winds: ମାଡ଼ି ଆସୁଛି ପ୍ରବଳ ଝଡ଼ପବନ: ଗଞ୍ଜାମ‌ରେ ବଡ଼ ବର୍ଷା ସମ୍ଭାବନା, ବଦଳିଗଲାଣି ଉପକୂଳ ପାଗର ମିଜାଜ୍‌

ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ଅବପାତରେ ପରିଣତ ହୋଇଛି। ରାତି ୯ଟା ସୁଦ୍ଧା ଏହା ପୁରୀର ଦକ୍ଷିଣପୂର୍ବ ଓ ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ...

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ଅବପାତରେ ପରିଣତ ହୋଇଛି। ରାତି ୯ଟା ସୁଦ୍ଧା ଏହା ପୁରୀର ଦକ୍ଷିଣପୂର୍ବ ଓ ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୧୦ କିମି ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍‌ର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୯୦ କିମି ଓ ବିଶାଖାପାଟଣାର ପୂର୍ବକୁ ୪୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହେବ।
ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବା ସହ ସେପ୍ଟେମ୍ବର ୨୩ ତାରିଖ ରାତି କିମ୍ବା ୨୪ ତାରିଖ ଭୋର ସୁଦ୍ଧା ଗୋପାଳପୁର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ଏହା ଗଭୀର ଅବପାତ ଭାବେ ରହିଥିବ। ଉପକୂଳରେ ଘଣ୍ଟାପ୍ରତି ୫୫ରୁ ୬୫ କିମି ବେଗରେ ପବନ ସହ ଲହଡ଼ି ୪ ମିଟର ପର୍ଯ୍ୟନ୍ତ ଆଗକୁ ମାଡ଼ି ଆସିପାରେ।
ପ୍ରଭାବରେ ଉପକୂଳ ଓଡ଼ିଶାର ପାଗର ମିଜାଜ୍‌ ପରିବର୍ତ୍ତନ ହୋଇଛି। ମେଘାଚ୍ଛନ୍ନ ଆକାଶ ସହ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦ରୁ ୬୦ କିମି(ସର୍ବାଧିକ ୭୦ କିମି) ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ୪୦ରୁ ୫୦ କିମି(ସର୍ବାଧିକ ୬୦ କିମି) ରହିବ। ୨୩ ତାରିଖରେ ପବନର ବେଗ ଆହୁରି ବୃଦ୍ଧି ପାଇ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୫ରୁ ୬୫(ସର୍ବାଧିକ ୭୫ କିମି) ହୋଇପାରେ। ୨୪ ତାରିଖରେ ଉତ୍ତର ଓ ଦକ୍ଷିଣ ବଙ୍ଗୋପସାଗରର ସଂଲଗ୍ନ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ମଙ୍ଗଳବାର ସକାଳଠାରୁ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ଝଡ଼ପବନ ହୋଇପାରେ। ସେପ୍ଟେମ୍ବର ୨୩ ଭୋରରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ବୃଦ୍ଧି ପାଇ ଘଣ୍ଟାପ୍ରତି ୫୫ରୁ ୬୫ କିମି  ବେଗରେ ବହିବ ଏବଂ ପରେ କ୍ରମଶଃ ହ୍ରାସ ପାଇବ। ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଶାନ୍ତରୁ ଅତିଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button