Richa: ମୁମ୍ବାଇ ମୋହରେ ରିଚା!
ନୂଆ ଏକ ପଥରେ ପାଦ ଥାପିଛନ୍ତି ବଲିଉଡ୍ ଅଭିନେତ୍ରୀ ରିଚା ଚଢ଼ା। ନିକଟରେ ତାଙ୍କର ପ୍ରଥମ ନନ୍-ଫିକ୍ସନ୍ ସିରିଜ୍ ‘ମୁସାଫିରି’ର ଟ୍ରେଲର ରିଲିଜ୍ ହୋଇଯାଇଛି, ଯାହା ଜରିଆରେ ଅଭିନେତ୍ରୀ ତଥା ପ୍ରଯୋଜିକା ରିଚା ନିଜ ପରିଚିତ ସହର ମୁମ୍ବାଇର ଅନେକ ନୂଆ ଦିଗକୁ ଆବିଷ୍କାର କରିବାର ସୁଯୋଗ ପାଇଛନ୍ତି।

ନୂଆ ଏକ ପଥରେ ପାଦ ଥାପିଛନ୍ତି ବଲିଉଡ୍ ଅଭିନେତ୍ରୀ ରିଚା ଚଢ଼ା। ନିକଟରେ ତାଙ୍କର ପ୍ରଥମ ନନ୍-ଫିକ୍ସନ୍ ସିରିଜ୍ ‘ମୁସାଫିରି’ର ଟ୍ରେଲର ରିଲିଜ୍ ହୋଇଯାଇଛି, ଯାହା ଜରିଆରେ ଅଭିନେତ୍ରୀ ତଥା ପ୍ରଯୋଜିକା ରିଚା ନିଜ ପରିଚିତ ସହର ମୁମ୍ବାଇର ଅନେକ ନୂଆ ଦିଗକୁ ଆବିଷ୍କାର କରିବାର ସୁଯୋଗ ପାଇଛନ୍ତି। ସ୍ୱାମୀ ଅଲି ଫଜଲଙ୍କ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ‘ଫୁଲ୍ ଷ୍ଟପ୍’ରେ ସିରିଜ୍ଟି ଆଗାମୀ ୨୫ ତାରିଖରୁ ଦେଖିବାକୁ ମିଳିବ। ପ୍ରତି ଶୁକ୍ରବାର ଦିନ ଚ୍ୟାନେଲ୍ରେ ଗୋଟାଏ ଲେଖାଏଁ ଏପିସୋଡ୍ ମୁକ୍ତିଲାଭ କରିବ। ରିଚାଙ୍କ ଦ୍ୱାରା ପରିଚାଳିତ, ରଚିତ ଓ ପ୍ରଯୋଜିତ ଏହି ଆଠ-ଭାଗ ବିଶିଷ୍ଟ ସିରିଜ୍ଟି ପତି-ପତ୍ନୀଙ୍କ ପ୍ରଯୋଜନା ସଂସ୍ଥା ‘ପୁସିଂ ବଟନ୍ସ ଷ୍ଟୁଡିଓସ୍’ର ଦ୍ବିତୀୟ ପ୍ରକଳ୍ପ। ପୂର୍ବରୁ ତାଙ୍କ ପ୍ରଯୋଜନା ସଂସ୍ଥାର ‘ଗାର୍ଲସ୍ ୱିଲ୍ ବି ଗାର୍ଲସ୍’ ଚଳଚ୍ଚିତ୍ରଟି ‘ସନ୍ଡାନ୍ସ ଫେଷ୍ଟିଭାଲ୍’ରେ ବଡ଼ ସମ୍ମାନ ହାସଲ କରିଥିଲା।
ଏ ସିରିଜ୍ର ବିଚାର ରିଚାଙ୍କ ମନକୁ ମା’ ହେବା ପରେ ହିଁ ଆସିଥିଲା ବୋଲି ସେ କହିଛନ୍ତି। ଟ୍ରେଲର୍ରେ ରିଚା ମୁମ୍ବାଇର ବିଭିନ୍ନ ସ୍ଥାନ ବୁଲିବା ସହ କହୁଥିବାର ଶୁଣିବାକୁ ମିଳୁଛି କି “ମାତୃତ୍ୱ ମୋର ଦୁନିଆକୁ ଦେଖିବାର ଦୃଷ୍ଟିକୋଣକୁ ବଦଳାଇଦେଲା। ମୁଁ ବର୍ଷ ବର୍ଷ ଧରି ଯେଉଁ ସହରରେ ରହୁଛି, ସେହି ମୁମ୍ବାଇକୁ ନେଇ ମଧ୍ୟ ମୋ ମନରେ ଅନେକ ପ୍ରଶ୍ନ ଉଠିଲା। ମୁଁ କ’ଣ ସତରେ ମୁମ୍ବାଇକୁ ଜାଣିଛି? ଏହି ସହର ବିଷୟରେ ମୁଁ ପ୍ରକୃତରେ କେତେ କିଛି ଜାଣିଛି? ଯେଉଁ ସହର ମୋତେ ଏତେ କିଛି ଦେଇଛି, ତା’ ପ୍ରତି ମୋର ପ୍ରତିଦାନ କ’ଣ?”
ସୌଜନ୍ୟ ସମ୍ବାଦ



