Ancient drug use : ୨୫ ହଜାର ବର୍ଷ ତଳେ ନିଶା ସେବନ କରୁଥିଲା ମଣିଷ, ବିୟର ଠାରୁ ବି ପୁରୁଣା…

ନୂଆଦିଲ୍ଲୀ, ୨୪/୯ : ୨୫ ହଜାର ବର୍ଷ ତଳେ ନି ସେବନ କରୁଥିଲା ମଣିଷ । ଇଣ୍ଡୋନେସିଆରେ ୨୫ ହଜାର ବର୍ଷ ପୁରୁଣା ଦାନ୍ତରୁ ମିଳିଲା ପ୍ରମାଣ । ଶାରିରୀକ କଷ୍ଟ ନିବାରଣ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ଏହା ବିୟର ଠାରୁ ବି ଆହୁରି ପୁରୁଣା ।
ଇଣ୍ଡୋନେସିଆର ସୁଲାୱେସି ଦ୍ଵୀପରୁ ଦୀର୍ଘ ୨୫ ହଜାର ବର୍ଷ ପୁରୁଣା ମଣିଷ ଦାନ୍ତ ଉଦ୍ଧାର ହୋଇଥିଲା । ଏହି ଦାନ୍ତରେ ନିୟମିତ ସୁପାରୀ ଚୋବାଇବା ଦ୍ୱାରା ସୃଷ୍ଟି ହୋଇଥିବା ଗାତ ଭଳି ଚିହ୍ନ ଥିଲା । ଶିକାରୀମାନେ ଯନ୍ତ୍ରଣା ନିବାରକ ଔଷଧ ଭାବେ ଏହାକୁ ଖାଉଥିଲେ । ଏହି ଆବିଷ୍କାର ମଣିଷଠାରେ ଅଭ୍ୟାସଗତ ନିଶା ବ୍ୟବହାରର ସବୁଠାରୁ ପୁରୁଣା ପ୍ରମାଣ । ଗ୍ରେଫିଥ ୟୁନିଭରସିଟି ବ୍ରିସବେନର ଏଡମ ବ୍ରମ୍ କହିଛନ୍ତି ଯେ, ଆମର ସର୍ବାଧିକ ବ୍ୟବହୃତ ସାଇକୋ ଆକ୍ଟିଭ୍ ପଦାର୍ଥର ଉତ୍ପତ୍ତି ବିଷୟରେ ଆମେ ବହୁତ କମ୍ ଜାଣୁ । ୨୫ ହଜାର ବର୍ଷ ପୂର୍ବେ, ଶିକାରୀମାନେ ମସ୍ତିଷ୍କର କାର୍ଯ୍ୟକୁ ଭ୍ରମିତ କରିପାରୁଥିବା ଉଦ୍ଭିତର ବ୍ୟବହାର କରୁଥିଲେ । ସାଇନ୍ସ ଆଡଭାନ୍ସେସ୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରୁ ଏହା ଜଣାପଡିଛି ।
ବିଶେଷଜ୍ଞମାନେ ୨ ଜଣ ଶିକାରୀଙ୍କ କଙ୍କାଳ ଅବଶେଷର ଯାଞ୍ଚ କରିଥିଲେ । ଜଣେ ବ୍ୟକ୍ତିଙ୍କ ଦାନ୍ତ ୧୬ ହଜାରରୁ ୨୫ ହଜାର ପୁରୁଣା ଥିଲା । ଏହି ଦାନ୍ତରେ ଥିବା ଖାଲ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଶ୍ୱର ପ୍ରମୁଖ ଦନ୍ତ ବିଶେଷଜ୍ଞ ମଧ୍ୟ ପୂର୍ବରୁ ଏପରି ଚିହ୍ନ ଦେଖି ନଥିଲେ । ଆଧୁନିକ ଯୁଗରେ ସୁପାରୀକୁ କାଟି ଚୂନ ସହିତ ମିଶ୍ରଣ କରାଯାଇ ଖିଆଯାଉଛି । ଯାହାକି ଏପରି ଖାଲକୁ ରୋକିଥାଏ । ହେଲେ ପ୍ରାଚୀନ କାଳରେ ଲୋକମାନେ ସମ୍ପୂର୍ଣ୍ଣ ସୁପାରୀକୁ ପାଟିରେ ଚୋବାଇ ଖାଇ ଦେଉଥିଲେ । ତେଣୁ ଏପରି ଗର୍ତ୍ତ ସୃଷ୍ଟି ହେଉଥିଲା । କୃତ୍ରିମ ଲାଳରେ ଭିଜା ହୋଇଥିବା ସୁପାରୀ ବ୍ୟବହାର କରି ପରୀକ୍ଷଣରୁ ଜଣାପଡିଛି ଯେ, କେବଳ ସେଗୁଡ଼ିକୁ ଚୋବାଇବା ଦ୍ୱାରା ଏରେକୋଲାଇନ୍ ନାମକ ଏକ ରାସାୟନିକ ପଦାର୍ଥର ଯଥେଷ୍ଟ ପରିମାଣ ନିର୍ଗତ ହେଉଛି । ପ୍ରାଚୀନ ଦାନ୍ତରେ ମଧ୍ୟ ଏରେକୋଲାଇନର ଚିହ୍ନ ମିଳିଥିଲା । ଏରେକୋଲାଇନ୍ ହେଉଛି ମସ୍ତିଷ୍କକୁ ପ୍ରଭାବିତ କରୁଥିବା ଆଲକାଲଏଡ୍, ଯାହା ଉତ୍ତେଜନା ସୃଷ୍ଟି କରେ ଏବଂ ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିପାରେ ।
ସୌଜନ୍ୟ ପ୍ରମେୟ




