ଜାତୀୟ

TMC Dispute: ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ଦେଲେ ଆଉ ଏକ କାମ, କହିଲେ ତୁରନ୍ତ ନିଷ୍ପତ୍ତି ନିଅ

ନୂଆଦିଲ୍ଲୀ,୨୪।୯: ତୃଣମୂଳ କଂଗ୍ରେସ ବା ଟିଏମସିର ନାଁ ଏବଂ ଚିହ୍ନକୁ ନେଇ ବିବାଦ ଚାଲିଛି। ଏବେ ଏହାକୁ ନେଇ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ କହିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପଚାରିଛନ୍ତି ସେ ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି କେବେ ନେବେ ? ମମତା ବାନାର୍ଜୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି, ସୋମବାର ପର୍ଯ୍ୟନ୍ତ ସେ ଏହା କୁହନ୍ତୁ ଯେ ବିବାଦ ଉପରେ ଅନ୍ତିମ ନିଷ୍ପତ୍ତି ନେବାର ତାଙ୍କର ସମୟସୀମା କ’ଣ ରହିଛି।

ଉଲ୍ଳେଖନୀୟ ଯେ, ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନ୍‌ ଅଛନ୍ତି ଜ୍ଞାନେଶ କୁମାର। କୋର୍ଟ କହିଛନ୍ତି ନିର୍ବାଚନ କମିଶନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ହେବ। ସୁପ୍ରିମକୋର୍ଟ କହିଛନ୍ତି,ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ(ଏଆଇଟିସି)ର ଦୁଇ ପ୍ରତିଦ୍ବନ୍ଦୀ ଗୋଷ୍ଠୀଙ୍କ ଭିତରେ ନାଁ ଓ ନିର୍ବାଚନ ଚିହ୍ନକୁ ନେଇ ବିବାଦ ଖୁବ୍ ଶୀଘ୍ର ସମାଧାନ କରାଯିବା ଦରକାର। କୋର୍ଟ ଏହି ସମୟରେ ଶିବସେନାର ଦଳୀୟ ବିବାଦକୁ ମଧ୍ୟ ଉଲ୍ଲେଖ କରିଛନ୍ତି।

ନିର୍ବାଚନ କମିଶନ ଦୁଇ ଗୋଷ୍ଠୀଙ୍କୁ ଦେଇଥିଲେ ଅଲଗା ନାଁ ଓ ନିର୍ବାଚନ ଚିହ୍ନ

ନିର୍ବାଚନ କମିଶନ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଫୁଟବଲ୍ ଖେଳାଳି’ନିର୍ବାଚନ ଚିହ୍ନ ଅସ୍ଥାୟୀ ଭାବରେ ପ୍ରଦାନ କରିବାର କିଛି ଦିନ ପରେ ଏହି ଘଟଣା ଘଟିଛି, ଯେତେବେଳେ କି ଅନ୍ୟ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଲଫାଫା’ ନିର୍ବାଚନ ଚିହ୍ନ ଦିଆଯାଇଥିଲା। ପୂର୍ବରୁ, ନିର୍ବାଚନ କମିଶନ ଦଳ ଭିତରେ ଗୋଷ୍ଠୀ ବିବାଦକୁ ସ୍ୱୀକାର କରିବା ପରେ ଅଖିଳ ଭାରତ ତୃଣମୂଳ କଂଗ୍ରେସ ନାମ ଏବଂ ଏହାର ମୂଳ ନିର୍ବାଚନ ଚିହ୍ନ “ଫୁଲ ଏବଂ ଘାସ”କୁ ଫ୍ରିଜ୍ କରିଥିଲେ।

ବର୍ତ୍ତମାନ ଦୁଇ ଗୋଷ୍ଠୀ ମୂଳ ନାଁ ଓ ଚିହ୍ନ ବ୍ୟବହାର କରିପାରିବେନି

ବିବାଦର ଶେଷ ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଦଳର ମୂଳ ନାମ କିମ୍ବା ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ ନାହିଁ। ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ଏହି ଅସ୍ଥାୟୀ ବ୍ୟବସ୍ଥା ଆଗାମୀ ଉପନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଉଭୟ ଗୋଷ୍ଠୀର ପ୍ରାର୍ଥୀମାନେ କମିଶନଙ୍କ ଦ୍ୱାରା ଆବଣ୍ଟିତ ଭିନ୍ନ ଭିନ୍ନ ନାମ ଏବଂ ନିର୍ବାଚନ ଚିହ୍ନରେ ନିର୍ବାଚନ ଲଢ଼ିବେ।

ଦଳ ଉପରେ ନିୟନ୍ତ୍ରଣକୁ ନେଇ ମଧ୍ୟ ଦାବି

ନିର୍ବାଚନ କମିଶନଙ୍କ ନିକଟରେ ଉଭୟ ପକ୍ଷ ଦଳର ନିୟନ୍ତ୍ରଣ, ଏହାର ନାମ ଏବଂ ଏହାର ନିର୍ବାଚନ ଚିହ୍ନ ସମ୍ପର୍କରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ଶୁଣାଣି ସମୟରେ, ଉଭୟ ପକ୍ଷ ଦଲିଲ ଦାଖଲ କରିଥିଲେ ଏବଂ କମିଶନଙ୍କ ସମ୍ମୁଖରେ ହାଜର ହୋଇଥିଲେ। ଏହି ବିବାଦ ପରେ, ନିର୍ବାଚନ କମିଶନ ଦଳର ସାଂଗଠନିକ ନିୟନ୍ତ୍ରଣ, ଅଧିକୃତ ପଦାଧିକାରୀ, ଦଳୀୟ ସମ୍ପତ୍ତି, ନାମ ଏବଂ ନିର୍ବାଚନ ଚିହ୍ନ ସମେତ ଅନେକ ପ୍ରସଙ୍ଗରେ ଦଳଗୁଡ଼ିକଠାରୁ ଦଲିଲ ଏବଂ ପ୍ରତିକ୍ରିୟା ମାଗିଛନ୍ତି। ସୁପ୍ରିମକୋର୍ଟ ଏବେ ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ନିର୍ବାଚନ କମିଶନଙ୍କୁ ଏକ ସମୟସୀମା ପ୍ରଦାନ କରିବାକୁ କହିଛନ୍ତି।

ପୁଣିଥରେ ନିର୍ବାଚନ ପାଇଁ ମମତାଙ୍କ ଦାବି

ଦିନକ ତଳେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ଗିରଫ କରିବାକୁ ଏବଂ ସ୍ପେଶାଇ ଇଣ୍ଟେନସିଭ୍ ରିଭିଜନ୍ (ଏସଆଇଆର) ପୂର୍ବରୁ ଭୋଟର ତାଲିକା ଆଧାରରେ ରାଜ୍ୟରେ ନୂତନ ନିର୍ବାଚନ କରିବାକୁ ଦାବି କରିଥିଲେ। ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ନିଷ୍ପତ୍ତି ନେଇ କମିଶନଙ୍କ ମଧ୍ୟରେ ମତଭେଦ ଥିବା ରିପୋର୍ଟ ପରେ ବାନାର୍ଜୀ ନିର୍ବାଚନ କମିଶନଙ୍କ ଉପରେ ତାଙ୍କର ଆକ୍ରମଣକୁ ତୀବ୍ର କରିଥିଲେ। ଏକ ଫେସବୁକ୍ ଲାଇଭ୍ ରେ ମମତା ଅଭିଯୋଗ କରିଥିଲେ ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ଚଳିତ ବର୍ଷ ନିର୍ବାଚନ ‘ଚୋରି’ କରିଛନ୍ତି। ଏହା ସହ ସେ ଦାବି କରିଛନ୍ତି ଯେ ଭୋଟରମାନଙ୍କୁ ସେମାନଙ୍କ ମତାଧିକାର ପ୍ରୟୋଗ କରିବାରୁ ବାରଣ କରାଯାଇଛି ସାରା ଦେଶରେ ଭୋଟର ତାଲିକାର ଏସଆଇଆର ସମୟରେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ବିଭିନ୍ନ ରାଜ୍ୟରେ ଭୋଟରଙ୍କ ନାମ ବାଦ ଦେବା ସମେତ ଅନେକ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ବୋଲି ‘ଇଣ୍ଡିଆନ ଏକ୍ସପ୍ରେସ’ରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହାପରେ ରାଜନୈତିକ ବିବାଦ ମଧ୍ୟରେ ତାଙ୍କର ମନ୍ତବ୍ୟ ଆସିଛି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button