SIR: ପୂର୍ବ ନୌସେନା ମୁଖ୍ୟଙ୍କ ସମେତ ୨ ହଜାରରୁ ଅଧିକ ଲୋକ ସିଜେଆଇଙ୍କୁ ଚିଠି ଲେଖିଲେ: ଏସ୍ଆଇଆର୍ ଉପରେ ରୋକ୍ ଲଗାଇବାକୁ ଦାବି
ପୂର୍ବତନ ନୌସେନା ମୁଖ୍ୟ, ପୂର୍ବତନ ଆଇଏଏସ୍ ଅଫିସର୍, ଇତିହାସବିଦ୍, ସାମ୍ବାଦିକ ଓ ଅଭିନେତାଙ୍କ ସମେତ ୨,୦୦୦ରୁ ଅଧିକ ଲୋକ ଦେଶର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଚିଠି ଲେଖି ଏସ୍ଆଇଆର୍ (ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ)ର ବୈଧତା ଓ ପ୍ରକ୍ରିୟାର ସମୀକ୍ଷା ନ ହେବା ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି।

ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟ, ପୂର୍ବତନ ଆଇଏଏସ୍ ଅଫିସର୍, ଇତିହାସବିଦ୍, ସାମ୍ବାଦିକ ଓ ଅଭିନେତାଙ୍କ ସମେତ ୨,୦୦୦ରୁ ଅଧିକ ଲୋକ ଦେଶର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଚିଠି ଲେଖି ଏସ୍ଆଇଆର୍ (ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ)ର ବୈଧତା ଓ ପ୍ରକ୍ରିୟାର ସମୀକ୍ଷା ନ ହେବା ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ଏଥିସହ ନିର୍ବାଚନ କମିସନ୍ର ଭୂମିକା ସମ୍ପର୍କରେ ସୁପ୍ରିମ୍କୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରାଯାଇଛି।
ଚିଠିରେ କୁହାଯାଇଛି, ଏସ୍ଆଇଆର୍ର ବୈଧତା ଓ ପ୍ରକ୍ରିୟାର ସମୀକ୍ଷା ନ ହେବା ପର୍ଯ୍ୟନ୍ତ ଏହାକୁ ବନ୍ଦ କରାଯାଉ। କୋର୍ଟଙ୍କ ତତ୍ତ୍ୱାବଧାନରେ ଭୋଟର ପଞ୍ଜୀକରଣ ସଫ୍ଟୱେର ଓ ଫର୍ମରେ ଅନୁମତି ବିନା ପରିବର୍ତ୍ତନ କରାଯାଇଥିବା ଅଭିଯୋଗର ତଦନ୍ତ କରାଯିବା ଉଚିତ ବୋଲି ସେମାନେ କହିଛନ୍ତି। ଏହା ବ୍ୟତୀତ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଓ ଅନ୍ୟ ଅଧିକାରୀମାନଙ୍କ ବିରୋଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି।
ସୌଜନ୍ୟ ସମ୍ବାଦ




