Odisha Flood Update: ମହାନଦୀରେ ଉଛୁଳିଛି ବନ୍ୟାଜଳ, ହଠାତ୍ ବୁଡ଼ିପାରେ ତଳିଆ ଅଞ୍ଚଳ, ଏହି ସବୁ ଜିଲ୍ଲାବାସୀ ସତର୍କ ରୁହ..

ଭୁବନେଶ୍ୱର,୨୯/୦୯: ଉତ୍ତର ଓ ଦକ୍ଷିଣରେ ସମସ୍ତ ନଦୀ ଜଳସ୍ତର ଖସିଛି । ହେଲେ ଉଛୁଳିଛି ମହାନଦୀ । ନଦୀ ଅବବାହିକା ତଳି ଅଞ୍ଚଳକୁ ବନ୍ୟା ପାଣି ମାଡ଼ିବା ଆଶଙ୍କା ରହିଛି । ବିଶେଷ କରି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳକୁ ଏଭଳି ଭୟ ବେଶି ଘାରିଛି । ଇତିମଧ୍ୟରେ କଟକ ଜିଲ୍ଲାର ବାଙ୍କୀ, ତିଗିରିଆ, ଆଠଗଡ଼ର ତଳିଆ ଅଞ୍ଚଳରେ ନଦୀ ପାଣି ପଶିଯାଇଛି । ବିଭିନ୍ନ ରାସ୍ତା ବୁଡ଼ିଯାଇଛି । ବାଙ୍କୀସ୍ଥିତ ମା’ ଭଟ୍ଟାରିକାଙ୍କ ପୀଠରେ ବନ୍ୟା ପାଣି ପ୍ରବେଶ କରିଛି । ବାଙ୍କୀ-ଆଠଗଡ଼ ହୁଳହୁଳା ପୋଲରେ ପାଣି ଚାଲିଛି ।
ଜଳ ସମ୍ପଦ ବିଭାଗ ସୂଚନା ଅନୁସାରେ ସୋମବାର ରାତି ୯ଟାବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତା ୬୨୯.୭୩ ଫୁଟ ଥିଲା । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୫୩ ହଜାର ୬୫୭ ଘନଫୁଟ ପାଣି ପ୍ରବେଶ କରୁଥିଲା । ୩୦ଟି ଗେଟ ଦେଇ ୫ ଲକ୍ଷ ୨୮ ହଜାର ୨୪୭ ଘନଫୁଟ ପାଣି ଛଡ଼ାଯାଉଥିଲା । ତେଲ ନଦୀରୁ ପଥରୁଲାରେ ୯୨ ହଜାର ୨୪୭ ଘନଫୁଟ ପାଣି ମିଶୁଛି ମହାନଦୀରେ । ନରାଜରେ ଜଳସ୍ତର ସତର୍କ ସଙ୍କେତ ଡେଇଁ ସାରିଥିବାବେଳେ ବିପଦ ସଙ୍କେତ ପାଖରେ ପହଞ୍ଚି ସାରିଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ହୋଇଥିବାବେଳେ ରାତି ୯ଟାବେଳେ ଜଳସ୍ତର ୨୬.୪୦ ଥିଲା । ରାତି ୯ଟାରେ ଖଇରମାଳରେ ୬ ଲକ୍ଷ ୫୪ ହଜାର ଘନଫୁଟ ପାଣି ଚାଲିଥିଲା । ବରମୁଳରେ ପ୍ରବାହିତ ହେଉଥିଲା ୬.୪୬ ଲକ୍ଷ ପାଣି ।ମୁଣ୍ଡୁଳିରେ ୭ ଲକ୍ଷ ୭୭ ହଜାର ୮୯୩ ଘନଫୁଟ ପାଣି ଚାଲିଥିଲା । ଅନୁମାନ କରାଯାଉଛି, ମଙ୍ଗଳବାର ଅପରାହ୍ନରୁ ସନ୍ଧ୍ୟା ଭିତରେ ଏଠାରେ ୮ ଲକ୍ଷରୁ ସାଢ଼େ ୮ ଲକ୍ଷ ପାଣି ଚାଲିଥିବ । ଏଭଳି ସ୍ଥିତିରେ ବନ୍ୟାର ବଡ଼ ବିପଦ ଆଶଙ୍କା କମ୍ ରହିଛି । କିନ୍ତୁ, ନଦୀ କୂଳ ତଳି ଅଞ୍ଚଳ ପାଇଁ ଏବେ ବି ଚିନ୍ତାଜନକ ସ୍ଥିତି ରହିଛି ।
ସୌଜନ୍ୟ ପ୍ରମେୟ




