Nana Patekar : ବିଦାୟ ନାନା… ଚଳଚ୍ଚିତ୍ର ଜଗତ ସ୍ତବ୍ଧ, ପ୍ରଧାନମନ୍ତ୍ରୀଙ୍କ ଶୋକ, ‘ନାନାଚି ବାଡି’ ନିକଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ

ପୁନେ, ୯/୧୦ :‘ହମାରେ ବାଦ୍ ମେହଫିଲ୍ ମେଁ ଅଫ୍ସାନେ ବୟାଁ ହୋଗେଁ, ବହାରେ ହମ୍କୋ ଢୁଣ୍ଡେଗୀ…ନଜାନେ ହମ୍ କହାଁ ହୋଗେଁ..’ । ଅତି ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ଏହି ସଂଳାପକୁ ପରଦାରେ ଜୀବନ୍ତ କରିଥିବା କିମ୍ବଦନ୍ତୀ ଅଭିନେତା ତଥା ଭାରତୀୟ ସିନେମା ଜଗତର ଅପ୍ରତିଦ୍ୱନ୍ଦ୍ୱୀ କଳାକାର ନାନା ପାଟେକର ଆଉ ଆମ ଗହଣରେ ନାହାନ୍ତି । ଗୋଆର ଦୋନା ପୌଲାସ୍ଥିତ ତାଙ୍କ ବାସଭବନରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି । ପୁନେରେ ଥିବା ତାଙ୍କ ଫାର୍ମହାଉସ୍ ‘ନାନାଚି ବାଡି’ ନିକଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସତ୍କାର କରାଯାଇଛି ।
ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ସାଢ଼େ ୨ଟାରେ ନାନା ଅସୁସ୍ଥ ଅନୁଭବ କରୁଥିବା ନେଇ ତାଙ୍କ ସାଙ୍ଗଙ୍କୁ ମେସେଜ୍ କରିଥିଲେ । ସେତେବେଳେ ଘରେ ତାଙ୍କ ସହ କେହି ନ ଥିଲେ । ସାଙ୍ଗ ମେସେଜ ନ ଦେଖିବାରୁ ସେ ତାଙ୍କୁ ଫୋନ୍ କରିଥିଲେ । ପରେ ତାଙ୍କ ସାଙ୍ଗ ପ୍ରାୟ ୪ଟାରେ ନାନାଙ୍କ ଘରେ ପହଞ୍ଚିଥିଲେ । ସେହି ସମୟରେ ତାଙ୍କ ଦେହରୁ ଜୋର୍ରେ ଝାଳ ବାହାରୁଥିଲା । କିଛି ସମୟ ପରେ ସେ ଅଚେତ ହୋଇଯାଇଥିଲେ । ଭୋର ପ୍ରାୟ ସାଢ଼େ ୪ଟାରେ ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ଟିମ୍ ପ୍ରାୟ ୪୫ ମିନିଟ୍ ଧରି ତାଙ୍କ ସିପିଆର୍ ଦେଇଥିଲେ । କିନ୍ତୁ ତାଙ୍କ ଚେତା ଫେରି ନ ଥିଲା । ସକାଳ ପ୍ରାୟ ୫ଟା ୨୦ରେ ନାନାଙ୍କ ଦେହାନ୍ତ ହୋଇଥିଲା । ନାନାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅଣାଯାଇଥିଲା । ସେଠାରୁ ତାଙ୍କ ମରଶରୀରକୁ ଏୟାରଲିଫ୍ଟ କରାଯାଇ ପୁନେର ଡୋଞ୍ଜେ ସ୍ଥିତ ତାଙ୍କ ଘରକୁ ଅଣାଯାଇଥିଲା । ତାଙ୍କ ପୁଅ ମହ୍ଲାର ପାଟେକର ସେଠାରେ ପହଞ୍ଚିଥିଲେ । ସେଠାରେ ତାଙ୍କ ସମ୍ପର୍କୀୟ, ଆତ୍ମୀୟସ୍ୱଜନ ଏବଂ ବହୁ କଳାକାର ଶେଷଦର୍ଶନ କରିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
୧୯୫୧ ଜାନୁଆରୀ ୧ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ମୁରୁଦ-ଜଞ୍ଜିରା ଗ୍ରାମରେ ନାନା ପାଟେକର ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ବିଶ୍ୱନାଥ ଗଜାନନ ପାଟେକର । କିନ୍ତୁ ଫିଲ୍ମ ଜଗତରେ ସେ ନାନା ପାଟେକର ଭାବେ ପରିଚିତ । ପିଲାଦିନରୁ ହିଁ ସେ ସମସ୍ତଙ୍କଠାରୁ ଅଲଗା ଥିଲେ । ସମାଜର କୁପ୍ରଥାକୁ କଳା ମାଧ୍ୟମରେ ଦେଖାଇବା ପାଇଁ ସେ ପ୍ରଥମେ ଥିଏଟରକୁ ଆସିଥିଲେ । ପ୍ରାୟ ୫ ଦଶନ୍ଧିର ଅଭିନୟ କ୍ୟାରିୟର ଥିଏଟରରୁ ହିଁ ଆରମ୍ଭ ହୋଇଥିଲା । ୧୯୭୮ ମସିହାରେ ଫିଲ୍ମ ‘ଗମନ’ ଜରିଆରେ ସେ ହିନ୍ଦୀ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିଲେ । ଫିଲ୍ମ ‘ସଲାମ ବମ୍ବେ!’ ଏବଂ ‘ପରିନ୍ଦା’ ତାଙ୍କୁ ବେଶ୍ ପରିଚିତି ଆଣି ଦେଇଥିଲା । ହିନ୍ଦୀ ସିନେମାରେ ୩ ମୁଖ୍ୟ ବର୍ଗ ଶ୍ରେଷ୍ଠ ସହକଳାକାର (ପରିନ୍ଦା), ଶ୍ରେଷ୍ଠ ଅଭିନେତା (କ୍ରାନ୍ତିବୀର) ଏବଂ ଶ୍ରେଷ୍ଠ ଖଳନାୟକ (ଅଙ୍ଗାର ଏବଂ ଅପହରଣ) ଭାବେ ଫିଲ୍ମଫେୟାର ପୁରସ୍କାର ପାଇବାରେ ସେ ପ୍ରଥମ ଅଭିନେତା ଥିଲେ । ପ୍ରହାର: ଦ ଫାଇନାଲ ଆଟାକ୍, ଅଙ୍ଗାର, ଆଜ୍ କୀ ଆୱାଜ୍, ତିରଙ୍ଗା, କ୍ରାନ୍ତିବୀର, ରାଜୁ ବନ୍ ଗୟା ଜେଣ୍ଟଲମ୍ୟାନ୍, ଖାମୋଶୀ: ଦ ମ୍ୟୁଜିକାଲ, ଅଗ୍ନି ସାକ୍ଷୀ, ଅବ୍ ତକ୍ ଛପ୍ପନ୍, ଅପହରଣ, ଅନ୍ଧା ୟୁଦ୍ଧ, ମୋହରେ, ଟାକ୍ସି ନମ୍ବର ୯୨୧୧, ରାଜନୀତି, ୱେଲ୍କମ୍ ଭଳି ଅନେକ ଚଳଚ୍ଚିତ୍ରରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି । ବ୍ରିଟିଶ ଟେଲିଭିଜନ ସିରିଜ୍ ‘ଲର୍ଡ ମାଉଣ୍ଟବାଟେନ୍: ଦ ଲାଷ୍ଟ ଭାଇସରଏ’ରେ ସେ ନାଥୁରାମ୍ ଗଡ୍ସେ ଚରିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ଏକ ମରାଠୀ ଡ୍ରାମା ଫିଲ୍ମରେ ତାଙ୍କ ଅଭିନୀତ ‘ନଟସମ୍ରାଟ’ ବେଶ୍ ଚର୍ଚ୍ଚିତ ହୋଇଥିଲା । ଏଥିରେ ସେ ଜଣେ ଅବସରପ୍ରାପ୍ତ ମଞ୍ଚ ଅଭିନେତା ଭାବେ ଅଭିନୟ କରିଥିଲେ । ସେ ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୪ ଫିଲ୍ମଫେୟାର ଆୱାର୍ଡ, ୨ ମହାରାଷ୍ଟ୍ର ରାଜ୍ୟ ଫିଲ୍ମ ପୁରସ୍କାର, ୨ ମରାଠୀ ଫିଲ୍ମଫେୟାର ଆୱାର୍ଡ ପାଇଛନ୍ତି । ସିନେମା ଏବଂ କଳାଜଗତରେ ତାଙ୍କ ଅନନ୍ୟ ଅବଦାନ ପାଇଁ ଭାରତ ସରକାର ପାଟେକରଙ୍କୁ ୨୦୧୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।
ସୌଜନ୍ୟ ପ୍ରମେୟ




