Meeting: ଗଣତାନ୍ତ୍ରିକ ପ୍ରକ୍ରିୟା ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ
ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଲଗାତାର ୪ ଦିନର ଆନ୍ଦୋଳନ ଏବଂ ସୁପ୍ରିମ୍କୋର୍ଟରେ ସିଇସିଙ୍କ ବିରୋଧରେ ଏକ ଆବେଦନ କରିବାପରେ ଆଜି ଇଣ୍ଡିମେଣ୍ଟ ନେତାମାନେ ରାହୁଲ ଗାନ୍ଧୀଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଲଗାତାର ୪ ଦିନର ଆନ୍ଦୋଳନ ଏବଂ ସୁପ୍ରିମ୍କୋର୍ଟରେ ସିଇସିଙ୍କ ବିରୋଧରେ ଏକ ଆବେଦନ କରିବାପରେ ଆଜି ଇଣ୍ଡିମେଣ୍ଟ ନେତାମାନେ ରାହୁଲ ଗାନ୍ଧୀଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ରାହୁଲ ଆଜି ଇଣ୍ଡିମେଣ୍ଟ ନେତାମାନଙ୍କ ପାଇଁ ଏକ ‘ହାଇ ଟି’ର ଆୟୋଜନ କରିଥିବାବେଳେ ଏଥିରେ ସେମାନଙ୍କ ପରବର୍ତ୍ତୀ ରଣନୀତି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା।
ବୈଠକ ପରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ସୁପ୍ରିୟା ସୁଲେ, ତେଜସ୍ବୀ ଯାଦବ, ସଞ୍ଜୟ ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବା ସହ ସିଇସିଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ଦୃଢ଼ୋକ୍ତି କରିଛନ୍ତି। ବୈଠକର ନିଷ୍ପତ୍ତି ଏବଂ ଆଗାମୀ କାର୍ଯ୍ୟସୂଚୀ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ କହିଥିଲେ, ନିକଟ ଭବିଷ୍ୟତରେ ସିଇସିଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରାଯିବ ବା ଏକ ବଡ଼ ସର୍ପ୍ରାଇଜ୍ ଦିଆଯିବ। ଆମେ ଆଗରୁ ସେ ସମ୍ପର୍କରେ ସୂଚନା ଦେବାକୁ ଚାହୁନୁ। ବୈଠକରେ ମଧ୍ୟ ବିଭିନ୍ନ ଛାତ୍ର ସଂଗଠନର ନେତା ଯୋଗ ଦେଇଛନ୍ତି ।
ବୈଠକ ପରେ ସାମ୍ବାଦିକ ସମ୍ମିଳନୀ
ରାହୁଲ ଗାନ୍ଧୀ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ସମସ୍ତେ ଏଠି ଏକ ହୋଇ ଠିଆ ହୋଇଛୁ। କୌଣସି ସମାନ୍ତରାଳ ଆନ୍ଦୋଳନ ହେବନି। କେବଳ ଗୋଟିଏ ଆନ୍ଦୋଳନ ହେବ ଏବଂ ଏହାର ଲକ୍ଷ୍ୟ ଗୋଟିଏ ରହିବ- ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାର ପୁନଃସ୍ଥାପନ କରିବା । ରାହୁଲ ମଧ୍ୟ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଏକ୍ସରେ ଏକ ପୋଷ୍ଟ୍ କରି ସଙ୍କେତ ଦେଇଛନ୍ତି ଯେ କଂଗ୍ରେସ ଇଣ୍ଡିମେଣ୍ଟ ସହ ମଧ୍ୟ ଅନ୍ୟ ସଂଗଠନ ଯୋଗ ଦେବ। କିନ୍ତୁ ସେ କକ୍ରୋଚ୍ ଜନତା ପାର୍ଟିର ନାଁ ନେଇନାହାନ୍ତି। ରାହୁଲ କହିଛନ୍ତି, ଆଜି ମୁଁ ଇଣ୍ଡିମେଣ୍ଟ ନେତା, ବିରୋଧୀ ସାଂସଦ, ବିଭିନ୍ନ ଛାତ୍ର ସଂଗଠନ ଓ ନାଗରିକ ସମାଜର କାର୍ଯ୍ୟକର୍ତ୍ତାମାନଙ୍କୁ ମୋ ଘରକୁ ଚା’ଜଳଖିଆ ପାଇଁ ଡାକିଛି। ଗଣତନ୍ତ୍ରର ସୁରକ୍ଷା ଦିଗରେ ଆମେ ସମସ୍ତେ ଏକଜୁଟ୍ ହୋଇଛୁ।
ସୌଜନ୍ୟ ସମ୍ବାଦ




