ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ବିରୋଧରେ ଚାଲିଥିବା ଆନ୍ଦୋଳନରେ ନିଜର ପ୍ରଭାବ ବଢ଼ାଇବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଦ୍ୟମ କରୁଛନ୍ତି କି? ଛାତ୍ରନେତ୍ରୀ ନେହା ବୋରାଙ୍କୁ ପାଖରେ ରଖି ରାହୁଲ ଯୁବପିଢ଼ିଙ୍କ ଆନ୍ଦୋଳନକୁ ନିଜ ରାଜନୈତିକ ପରିସରକୁ ଆଣିବାକୁ ଚାହୁଛନ୍ତି କି? ସୋମବାର ନୂଆଦିଲ୍ଲୀରେ କଂଗ୍ରେସ ନେତୃତ୍ୱରେ ସୁପ୍ରିମ୍କୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପରେ ଏଭଳି ପ୍ରଶ୍ନ ଉଠିଛି।
ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏସ୍ଏ)ର ଜାତୀୟ ସଭାପତି ନେହା ବୋରା ଏହି ପଦଯାତ୍ରାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଆଗରେ ଚାଲୁଥିଲେ। ଏହାକୁ ନେଇ ଇଣ୍ଡିଆ ଟୁଡେ ଏକ ରାଜନୈତିକ ବିଶ୍ଳେଷଣ ପ୍ରକାଶ କରିଛି। ନେହା ବୋରା ଜୁଲାଇରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ହୋଇଥିବା ନିଟ୍-ୟୁଜି ପରୀକ୍ଷାର ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଆନ୍ଦୋଳନର ଏକ ପରିଚିତ ଚେହେରା ହୋଇଥିଲେ। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି କରୁଥିବା ନେହା ଏହି ଆନ୍ଦୋଳନ ସମୟରେ ଅନଶନରେ ମଧ୍ୟ ବସିଥିଲେ। ଜୁଲାଇ ୨୫ରେ ରାହୁଲଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସେ ଉପସ୍ଥିତ ଥିଲେ।
କଂଗ୍ରେସ ଓ ସିଜେପିର ଆନ୍ଦୋଳନ
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ କଂଗ୍ରେସ ଓ ସିଜେପି ଉଭୟ ଆନ୍ଦୋଳନ କରୁଛନ୍ତି। ତଥାପି ଦୁଇ ପକ୍ଷ ଏପର୍ଯ୍ୟନ୍ତ ମିଳିତ ମଞ୍ଚରେ ଆନ୍ଦୋଳନ କରିନାହାନ୍ତି। ଅକ୍ଟୋବର ୧୦ରେ ସିଜେପିର ପ୍ରସ୍ତାବିତ ଆନ୍ଦୋଳନ ସମୟରେ ନେହା ବୋରା, ଓକିଲ ପ୍ରଶାନ୍ତ ଭୂଷଣ ଓ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା। ଏହାର ଦୁଇ ଦିନ ପରେ କଂଗ୍ରେସର ପଦଯାତ୍ରାରେ ନେହାଙ୍କ ଉପସ୍ଥିତି ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି। ଇଣ୍ଡିଆ ଟୁଡେର ବିଶ୍ଳେଷଣ ଅନୁସାରେ, ନେହା ବୋରା ଛାତ୍ର ସଂଗଠନ ସହ ଜଡ଼ିତ ହେବା ସହ କଂଗ୍ରେସ ନେତୃତ୍ୱ ସହ ମଧ୍ୟ ସମ୍ପର୍କ ରଖିଛନ୍ତି। ତେଣୁ ସେ ଉଭୟ ପକ୍ଷ ମଧ୍ୟରେ ଯୋଗସୂତ୍ର ହୋଇପାରନ୍ତି।
ସୌଜନ୍ୟ ସମ୍ବାଦ