Cricket: ପୂର୍ବତନ ବୋଲର, ଇତିହାସ ରଚିଥିବା ଆମ୍ପାୟର ସାର ଡମ୍ବାନେୱାନାଙ୍କ ପରଲୋକ
ଜିମ୍ବାୱେର ପୂର୍ବତନ ବୋଲର ଏବଂ ଅନ୍ତର୍ଜାତୀୟ ଆମ୍ପାୟର ସାରା ଡମ୍ବାନେୱାନଙ୍କ ସୋମବାର ପରଲୋକ ହୋଇଯାଇଛି। ସେ ମାତ୍ର ୩୬ ବର୍ଷ ବୟସର ଥିଲେ। ଜିମ୍ବାୱେ କ୍ରିକେଟ ତାଙ୍କର ପରଲୋକ ନେଇ ସ୍ପଷ୍ଟ କରିଛି।

ହରାରେ: ଜିମ୍ବାୱେର ପୂର୍ବତନ ବୋଲର ଏବଂ ଅନ୍ତର୍ଜାତୀୟ ଆମ୍ପାୟର ସାରା ଡମ୍ବାନେୱାନଙ୍କ ସୋମବାର ପରଲୋକ ହୋଇଯାଇଛି। ସେ ମାତ୍ର ୩୬ ବର୍ଷ ବୟସର ଥିଲେ। ଜିମ୍ବାୱେ କ୍ରିକେଟ ତାଙ୍କର ପରଲୋକ ନେଇ ସ୍ପଷ୍ଟ କରିଛି। ମାର୍ଚ୍ଚ ମାସରେ ହୋଇଥିବା ଏକ ମେଡିକାଲ ସର୍ଜରୀ ପରେ ସେ ଗତ କିଛି ମାସ ହେବ ଡାକ୍ତରଖାନାରେ ଭର୍ତ୍ତି ଥିଲେ, ଯେଉଁଠାରେ ସେ ଅନ୍ତିମ ନିଶ୍ବାସ ନେଇଛନ୍ତି। ୨୦୦୯ରୁ ୨୦୧୪ ମଧ୍ୟରେ ଜିମ୍ବାୱେ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଡମ୍ବାନେୱାନା ପରେ ଅମ୍ପାୟାରିଂରେ ପାଦ ଥାପିଥିଲେ ଏବଂ ବିଶ୍ବମଞ୍ଚରେ ଅନେକ ଐତିହାସିକ ରେକର୍ଡ ନିଜ ନାମରେ ଦାଖଲ କରିଥିଲେ।
ଅନେକ ଐତିହାସିକ ଉପଲବ୍ଧି
ଏହା ପରେ ତାଙ୍କର ନାମ ଅନେକ ଐତିହାସିକ ଉପଲବ୍ଧି ହାସଲ ହୋଇଥିଲା। ୨୦୨୪ ମହିଳା ଟି-୨୦ ବିଶ୍ବକପ୍ରେ ଅମ୍ପାୟାରିଂ କରିଥିବା ସେ ହେଉଛନ୍ତି ଜିମ୍ବାୱେରୁ ପ୍ରଥମ। ସେ ମୋଟ ୬୩ଟି ବରିଷ୍ଠ ଅନ୍ତର୍ଜାତୀୟ ମୁକାବିଲାରେ ଅମ୍ପାୟାରିଂ କରିଛନ୍ତି, ଯେଉଁଥିରେ ୪୨ଟି ମହିଳା ଟି-୨୦, ୧୧ ମହିଳା ଦିନିକିଆ ଏବଂ ୧୦ ପୁରୁଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍। ଏତଦ୍ ବ୍ୟତୀତ ସେ ୨୦୨୨ରେ ଆଇସିସିର ଡେଭଲପମେଣ୍ଟ ପ୍ୟାନେଲ ଅଫ୍ ଅମ୍ପାୟାରର୍ସ ସହିତ ଜଡ଼ିତ ଥିଲେ। ଅମ୍ପାୟାର ହେବା ପୂର୍ବରୁ ସେ ଜଣେ ଖେଳାଳି ଭାବେ ମଧ୍ୟ ଦେଶରୁ ପ୍ରତିନିଧିତ୍ବ କରିଥିଲେ ଏବଂ ୨୦୧୧ର ବିଶ୍ବକପ କ୍ବାଲିଫାୟରରେ ଜିମ୍ବାୱେ ଦଳର ସଦସ୍ୟ ଥିଲେ।
ଜିମ୍ବାୱେ କ୍ରିକେଟ୍ ଦେଲା ଶ୍ରଦ୍ଧାଞ୍ଜଳି
ଜିମ୍ବାୱେ କ୍ରିକେଟର ଅଧ୍ୟକ୍ଷ ତୱେଗୱା ମୁକୁହଲାନୀ ଜଣେ ଖେଳାଳି ଏବଂ ଅମ୍ପାୟାର ଭାବେ ଡମ୍ବାନେୱାନାଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାରା ପ୍ରଥମେ ଜଣେ ଖେଳାଳି ଏବଂ ପରେ ଅମ୍ପାୟାର ଭାବେ ଜିମ୍ବାୱେ ପାଇଁ ସେବା କରିଛନ୍ତି। ତାଙ୍କୁ ବିଶ୍ବକପର ଫାଇନାଲରେ ଛିଡ଼ା ହୋଇଥିବା ଦେଖିବା ଆମର କ୍ରିକେଟ ଗୋଷ୍ଠ ଏବଂ ପୂରା ଦେଶ ପାଇଁ ଗର୍ବର ମୁହୂର୍ତ୍ତ ଥିଲା।
ସୌଜନ୍ୟ ସମ୍ବାଦ




